ଡେରା ସଚ୍ଚା ସୌଦାର ପ୍ରମୁଖ ହୋଇପାରନ୍ତି ରାମରହିମଙ୍କ ପୁଅ ! ବଳାତ୍କାରୀ ବାବା ଜେଲ ଯିବା ପରେ ଚର୍ଚ୍ଚାରେ ଯଶମିତ ଇନସାନ

36

କନକ ବ୍ୟୁରୋ: ଡେରା ସଚ୍ଚା ସୌଦାର ପରବର୍ତ୍ତୀ ମୁଖ୍ୟ ହେବ ବଳାତ୍କାରୀ ବାବା ଗୁରମିତ ରାମରହିମ ସିଂହର ପୁଅ ଯଶମିତ ଇନସାନ । ଦୁଇ ଅନୁଗାମୀଙ୍କୁ ବଳାତ୍କାରୀ ମାମଲାରେ ରାମରହିମ ଜେଲ ଯିବା ପରେ କିଏ ହେବ ଡେରାମୁଖ୍ୟ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ହେଉଥିବା ଚର୍ଚ୍ଚା ଅନୁସାରେ ଆଗାମୀ ୨୩ ତାରିଖରେ କାର୍ଯ୍ୟକାରୀ ପ୍ରମୁଖ ଭାବେ ଦାୟିତ୍ୱ ନେଇପାରନ୍ତି ଯଶମିତ ।

କାରଣ ୨୭ ବର୍ଷ ତଳେ ଅର୍ଥାତ ୧୯୯୦ ସେପ୍ଟେମ୍ବର ୨୩ ତାରିଖରେ ଡେରା ସଚ୍ଚା ସୌଦାର ତୃତୀୟ ପ୍ରମୁଖ ଭାବେ ଦାୟିତ୍ୱ ନେଇଥିଲା ରାମରହିମ । କୁହାଯାଉଛି, ଯଶମିତ ପଛରେ ରାମରହିମର ମାଆ ନସିବ କୌର ଓ ସ୍ତ୍ରୀ ହରଜୀତ କୌରଙ୍କ ସମର୍ଥନ ରହିଛି । ରାମରହିମକୁ ସଜା ପରେ ମଧ୍ୟ ସେ ଡେରାମୁଖ୍ୟ ରହିବ ଓ ଯଶମିତ କାର୍ଯ୍ୟକାରୀ ପ୍ରମୁଖ ଭାବେ ଦାୟିତ୍ୱ ତୁଲାଇବ ।

ବାବା ରାମରହିମଙ୍କ ପାଳିତା କନ୍ୟା କୁହାଯାଉଥିବା ହନିପ୍ରୀତ ଇନସାନ ଡେରା ମୁଖ୍ୟ ହେବା ନେଇ ଆକଳନ କରାଯାଉଥିବାବେଳେ ସେ ବର୍ତ୍ତମାନ ଫେରାର ଅଛନ୍ତି । ବାବାଙ୍କୁ ଫେରାର ଷଡଯନ୍ତ୍ରରେ ପୋଲିସ ତାଙ୍କୁ ମୋଷ୍ଟ ୱାଂଟେଡ ଘୋଷଣା କରିଥିବାରୁ ଯଶମିତ ଡେରା ପ୍ରମୁଖ ହେବା ସୁନିଶ୍ଚିତ ।