କନକ ବ୍ୟୁରୋ : ଡେରାରୁ ଫେରାର ହୋଇଯାଇଛନ୍ତି ବିପାସନା । ଡେରାର ତୃତୀୟ କ୍ଷମତାଶାଳୀ କର୍ମକର୍ତ୍ତା ଭାବେ ବିପାସନା ଜଣାଶୁଣା । ତେବେ ରାମରହିମ ଗିରଫ ହୋଇ ଜେଲରେ ରହିବା ତାଙ୍କ ଜଣକ ପରେ ଜଣେ ନିକଟତମ ଅନୁଗାମୀ ଡେରାରୁ ଫେରାର ହେଉଛନ୍ତି । ଗତ ଶୁକ୍ରବାରଠାରୁ ତାଙ୍କୁ ଆଉ ଡେରାରେ ଦେଖିବାକୁ ମିଳୁନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ରାମରହିମଙ୍କ ପୁଅ ଯଶମିତଙ୍କୁ ଦେବାକୁ ରାଜସ୍ଥାନର ଗଙ୍ଗନଗରକୁ ଯାଇ ସେ ଆଉ ମୁଖ୍ୟ କାର୍ଯ୍ୟାଳୟକୁ ଫେରିନାହାନ୍ତି। ଗୁରମିତ ରାମରହିମ ଓ ହନିପ୍ରୀତଙ୍କ ପରେ ସେ ତୃତୀୟ ସର୍ବାଧିକ କ୍ଷମତାସମ୍ପନ୍ନ ଥିଲେ। ଅପରପକ୍ଷରେ ଡେରା ସମ୍ପ୍ରଦାୟର କେୟାରଟେକର ଭାବେ ଦାୟିତ୍ୱ ତୁଲାଇବାକୁ ରାମରହିମ ତାଙ୍କ ପୁଅ ଯଶମିତଙ୍କୁ ନିର୍ଦ୍ଦେଶ ଦେଇଥିବା ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

ରାମରହିମ ଜେଲ୍କୁ ଯିବାପରେ ତାଙ୍କର ପୋଷ୍ୟକନ୍ୟା ତଥା ପ୍ରମୁଖ ସହଯୋଗୀ ହନିପ୍ରୀତ ଫେରାର ରହିଛନ୍ତି। ଜେଲଦଣ୍ଡ ପରେ ହିଂସା ସୃଷ୍ଟିକରି ରାମରହିମଙ୍କୁ ଫେରାର କରାଇବାକୁ ସେ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଗିରଫଦାରି ଏଡ଼ାଇବାକୁ ସେ ନେପାଳ ପଳାଇଥିବା ସନ୍ଦେହ କରାଯାଉଛି। ରାମରହିମଙ୍କ ଅନ୍ୟତମ ଶକ୍ତିଶାଳୀ ସହଯୋଗୀ ଆଦିତ୍ୟ ଇନସାନ ମଧ୍ୟ ଫେରାର ରହିଛନ୍ତି। ଏବେ ବିପାସନା ଫେରାର ହୋଇଛନ୍ତି। ରାମରହିମଙ୍କ ବ୍ୟଭିଚାର ସମ୍ପର୍କରେ ବିଭିନ୍ନ ତଥ୍ୟ ପାଇବାକୁ ଓ ହନିପ୍ରୀତ, ଆଦିତ୍ୟ ଇନସାନଙ୍କ ଫେରାର ନେଇ ତାଙ୍କୁ ପୁଲିସ ଜେରା କରିପାରେ, ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି ବରାବର ଆଶଙ୍କା କରୁଥିବା ଡେରା ଅନ୍ତେବାସୀମାନେ କହିଛନ୍ତି। ଗତ ଶୁକ୍ରବାରରୁ ତାଙ୍କର ପତ୍ତା ନଥିବାବେଳେ ମୋବାଇଲ ଫୋନ୍ ମଧ୍ୟ ସ୍ୱିଚ ଅଫ୍ ରହିଛି।

Gurmeet-Ram-Rahims-daughter-Honeypreet-28.08.17-5ରାମରହିମଙ୍କ ମା’ ନସିବ କୌର ଗତ ଗୁରୁବାର ସୁନାରିଆ ଜେଲ୍ରେ ପୁଅକୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାମରହିମ ତାଙ୍କ ଅନୁପସ୍ଥିତିରେ ପୁଅ ଯଶମିତ ସଂପ୍ରଦାୟର କେୟାରଟେକର ଭାବେ ଦାୟିତ୍ୱ ନିର୍ବାହ କରିବ ବୋଲି ମା’ଙ୍କୁ କହିଥିବା ଡେରା ସୂତ୍ରରୁ ପ୍ରକାଶ। ଯଶମିତ ବ୍ୟତୀତ ଦ୍ୱିତୀୟ କେୟାରଟେକର ଭାବେ ଗୁରଦାସ ସିଂହ ସଲଓ୍ଵାରାଙ୍କ ନାମ ରାମରହିମ ଉଲ୍ଲେଖ କରିଥିଲେ। ଗୁରଦାସ ସିଂହ ହରିଆଣାର ଡେପୁଟି ଆଡଭୋକେଟ ଜେନେରାଲ ଥିଲେ। ସେ ରାମରହିମଙ୍କ ସମ୍ପର୍କୀୟ। ଗତ ଅଗଷ୍ଟ୨୫ରେ ରାମରହିମ ଜେଲ୍କୁ ଯିବାବେଳେ ଗୁରଦାସ ତାଙ୍କ ବ୍ୟାଗକୁ ଧରିଥିବାରୁ ତାଙ୍କୁ ରାଜ୍ୟ ସରକାର ପଦରୁ ବହିଷ୍କାର କରିଥିଲେ।

ରାମରହିମଙ୍କ ଜେଲଦଣ୍ଡ ଆଦେଶ ପରେ ପଞ୍ଚକୁଲାରେ ଦଙ୍ଗା ହାଙ୍ଗମା ଘଟାଇଥିବା ଅଭିଯୋଗରେ ପୁଲିସ ଆଜି ପ୍ରକାଶ ଇନସାନଙ୍କ ସମେତ ୩ଜଣଙ୍କୁ ଗିରଫ କରିଛନ୍ତି। ପ୍ରକାଶ ଫେରାର ରହିଥିବା ଆଦିତ୍ୟଙ୍କ ସମ୍ପର୍କୀୟ। ତାଙ୍କୁ ପଞ୍ଜାବର ମୋହାଲିରୁ ଗିରଫ କରାଯାଇଛି। ତାଙ୍କଛଡ଼ା ପ୍ରଦୀପ ଗୋୟଲଙ୍କୁ ରାଜସ୍ଥାନର ଉଦୟପୁର ଓ ବିଜୟ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଚକୁଲାରୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ପୂର୍ବରୁ ପୁଲିସ ଡେରାର ୫ ଅନୁଗାମୀଙ୍କୁ ଗିରଫ କରିଥିଲା।