ଖୋଲିଲା ହୀରାକୁଦ ତେଜିଲା ରାଜନୀତି : ରାସେଶ୍ୱରୀ କହିଲେ ଦାଦାଗିରି ଚଳାଇଛି ଛତିଶଗଡ଼, ବିଜେପିର ଜବାବ ଅପାରଗତା ଘୋଡାଇବାକୁ ଚେଷ୍ଟା ।

39

କନକ ବ୍ୟୁରୋ: ହୀରକୁଦ ଗେଟ୍ ଖୋଲିବା ପରେ ତେଜିଲା ରାଜନୀତି । ଛତିଶଗଡ଼ ସରକାରକୁ ଦାୟୀ କରିଛି ଶାସକ ବିଜେଡି । ସମ୍ବଲପୁର ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଛତିଶଗଡ଼ର ଦାଦାଗିରି ବୋଲି କହିଛନ୍ତି । ବିଧାୟିକା ରାସେଶ୍ୱରୀ କହିଛନ୍ତି ଯେ, ଖରାଦିନେ ଛତିଶଗଡ଼ ସରକାର ପାଣି ଅଟକାଇ ଦେଉଛନ୍ତି । ଓ ବର୍ଷାଦିନେ ସମସ୍ତ ଗେଟ୍ ଖୋଲି ଦେଉଛନ୍ତି , ଯାହାଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ପାଣି ଆସୁଛି । ତେବେ ହୀରାକୁଦରେ ବର୍ଷାଜଳର ସ୍ଥିତି ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ହେବାରୁ ବାଧ୍ୟ ହୋଇ ହୀରାକୁଦ ଗେଟ୍ ଖୋଲାଯାଉଛି । ଯାହାଦ୍ୱାରା ବନ୍ୟା ପରିସ୍ଥିତି ଉପୁଜିବାରେ ସମସ୍ୟା ସୃଷ୍ଟି ହେଉଛି । ଖାଲି ଏତିକି ନୁହେଁ ବିଜେଡି ବିଧାୟିକା ରାସେଶ୍ୱରୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସମର୍ଥନ ପାଇ ଛତିଶଗଡ଼ ଏଭଳି ଖୋଲାଖୋଲି ଦାଦାଗିରି କରୁଛି । ସେହିପରି ଛତିଶଗଡ଼ ଏକ ପ୍ରକାର ମହାନଦୀର ଅବବାହିକାକୁ ନିୟନ୍ତ୍ରଣ କରୁଛି । କେନ୍ଦ୍ର ସମର୍ଥନ ପାଇ ଛତିଶଗଡ଼ ଏଭଳି କରୁଥିବା ବିଜେଡିର ବରିଷ୍ଠ ନେତା ଦାମ ରାଉତ କହିଛନ୍ତି ।

ସେପଟେ ବିଜେଡିକୁ ପାଲଟା ଆକ୍ରମଣ କରିଛି ବିଜେପି । ଜବାବରେ ବିଜେପି କହିଛି, ଛତିଶଗଡ଼ ଏକପାଖିଆ ହୋଇ ଜଳ ନିୟନ୍ତ୍ରଣ କରିପାରିବ ନାହିଁ । କିନ୍ତୁ ରାଜ୍ୟ ଅପାରଗତା ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।

ଅନ୍ୟପଟେ ବିଜେପି ଦଳରୁ କୋଣଠେସା ହୋଇପଡ଼ିଥିବା ବିଜୟ ମହାପାତ୍ର ପୁଣି ଛତିଶଗଡ଼କୁ ପରୋକ୍ଷରେ ଦାୟୀ କରିଛନ୍ତି । ବିଜୟ କହିଛନ୍ତି ଯେ, “ଅଣ ମୌସୁମୀ ସମୟରେ ଛତିଶଗଡ଼ ପାଣି ଅଟକାଇଥିଲା । କିନ୍ତୁ ମୌସୁମୀ ସମୟରେ ଉଭୟ ସରକାର ଆଲୋଚନା କରି ବନ୍ୟା ସ୍ଥିତି ନିୟନ୍ତ୍ରଣ କରିଥାନ୍ତେ । ମୁଁ ମନ୍ତ୍ରୀ ଥିବାବେଳେ ମଧ୍ୟ କୌଣସି ସୁଚନା ନଦେଇ ଛତିଶଗଡ଼ ସରକାର ୫୦ ହଜାର କ୍ୟୁସେକ ଜଳ ମହାନଦୀକୁ ଛାଡ଼ିଥିଲେ । ତେଣୁ ଯଦି ଛତିଶଗଡ଼ର ଏଭଳି ମନଭାବ ରହିବ, କି ଯଦି ସେମାନେ ବିନା କୌଣସି ସୁଚନାରେ ସମସ୍ତ ଗେଟ୍ ଖୋଲି ମହାନଦୀକୁ ଜଳ ଛାଡ଼ିବେ, ତେବେ ଓଡ଼ିଶାର ପରିସ୍ଥିତି ସଂଗୀନ ହେବ ବୋଲି ବିଜୟ କହିଛନ୍ତି ।