ବନ୍ୟା ପରେ ତଳିଆ ଅଞ୍ଚଳ ଜଳବନ୍ଦୀ : ବ୍ୟାପୁଛି ସଂକ୍ରମଣ, ପୁରୀରେ ୭୯୧ହେକ୍ଟର ଧାନଜମି ଜଳମଗ୍ନ

292

କନକ ବ୍ୟୁରୋ : ସରକାର କହୁଛନ୍ତି ବନ୍ୟା ସ୍ଥିତି ଟଳିଯାଇଛି । ରାଜ୍ୟ‌ରେ ବନ୍ୟା ପରିସ୍ଥିତି ନାହିଁ । ହେଲେ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିଛି । କେନ୍ଦ୍ରାପଡ଼ା ଓ ପୁରୀର କିଛି ସ୍ଥାନରେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକ ଘରୁ ବାହାରିପାରୁନାହାନ୍ତି । ଏବେବି ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏପଟେ କଟକ ଜିଲ୍ଲା‌େର ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବାଙ୍କି ଥାନା ଅନ୍ତର୍ଗତ ବରହମପୁରା ପଞ୍ଚାୟତର ହଳିଆ ସାହିର ବସନ୍ତ ସାମଲଙ୍କର(୫୦) ମୃତ୍ୟୁ ହୋଇଛି। ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ହୋଇଥିବା ରାଜସ୍ବ ବିଭାଗ କହିଛି ।

ନଦୀରେ ସିନା ପାଣି କମିଛି । ହେଲେ ତଳିଆ ଅଞ୍ଚଳରେ ମାଡ଼ିଥିବା ପାଣି ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି । ଧାନ ଜମିରେ ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡ଼ିବା ପରିସ୍ଥିତି ଉପୁଜିଲାଣି। ବିଲରେ ଫସଲ ଉଜୁଡ଼ୁଥିବାବେଳେ ଲୋକଙ୍କୁ ସଂକ୍ରମଣ ଜନିତ ରୋଗ ଆକ୍ରାନ୍ତ କଲାଣି ।

ରାଜସ୍ବ ବିଭାଗର ରିପୋର୍ଟ ଅନୁଯାୟୀ, ଆଜି ସୁଦ୍ଧା ୧୪ଜିଲ୍ଲାରେ ୫୧ଟି ବ୍ଲକରେ ୨୦୯୧ଟି ଗାଁ, ୯ଟି ସହରାଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ୩ଲକ୍ଷ ୩୨ହଜାର ୬୮୨ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା‌ବେଳେ ୯୨,୪୮୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୧୯୮ଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅପରପକ୍ଷେ ରାଜସ୍ବ ବିଭାଗ ଶୁକ୍ରବାର ରିପୋର୍ଟ ଦେଇଥିଲା ଯେ, ରାଜ୍ୟର ୧୪ଟି ଜିଲ୍ଲାର ୪୬ଟି ବ୍ଲକର ୨୦୩୧ଟି ଗାଁ ଓ ୯ଟି ସହରାଞ୍ଚଳ ପ୍ରଭାବିତ ହୋଇଛି । ୩,୧୧,୯୩୧ଜଣ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୩୧୭ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଦିନକରେ ଅଧିକ ୫ଟି ବ୍ଲକ, ୬୦ଟି ଗାଁ ଲୋକ ପ୍ରଭାବିତ ହେଲା । ଅଧିକ ୨୦ହଜାର ୭୫୧ ଲୋକ ପ୍ରଭାବିତ ହେଲେ । ଅଧିକ ୧୬୬ ଲୋକ ସ୍ଥାନାନ୍ତର ହେଲେ ।

ପୁରୀ ଜିଲ୍ଲାରେ ୭୯୧ହେକ୍ଟର ଧାନ ଜମିରେ ପାଣି ମାଡ଼ି ଯାଇଛି । ଆଗକୁ ଆଉ ଦୁଇ ଦିନ ବର୍ଷା ହେବାକୁ ଥିବାରୁ ଧାନ ଗଛ ସଢ଼ିବା ଥୟ । ସୋନପୁରରେ ୪ଟି ବ୍ଲକ ଓ ୪୬ଟି ଗାଁ ପ୍ରଭାବିତ ହୋଇଥିବାବେଳେ ସ୍ବାସ୍ଥ୍ୟ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଲୋକଙ୍କ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ସଂକ୍ରମଣର ଶିକାର ହେଲେଣି । ଏଥିପାଇଁ ୨ଟି ମେଡିକାଲ ଟିମ୍ ଏବଂ ଗୋଟିଏ ପଶୁ ଡାକ୍ତର ଦଳ ନିୟୋଜିତ କରାଯାଇଛି ।

କଟକ ଜିଲ୍ଲା‌େର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫୫୦ଜଣ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ସଂକ୍ରମଣ ଜନିତ ରୋଗ ବ୍ୟାପୁଥିବାରୁ ୨ଟି ମେଡିକାଲ ଟିମ୍ ଏବଂ ଗୋଟିଏ ପଶୁ ଡାକ୍ତର ଦଳକୁ ନିୟୋଜିତ କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ବି ତିନିଟି ମେଡିକାଲ୍‌ ଟିମ୍ ନିୟୋଜିତ କରାଯାଇଛି । ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ୧୨ଟି ଜିଲ୍ଲାରେ ୧୬ଟି ଏନ୍‌ଡିଆରଏଫ୍‌ ଓ ଓଡିଆରଏଏଫ୍‌ ଟିମ୍ ନିୟୋଜିତ ହୋଇଛନ୍ତି ।

ବନ୍ୟା ସ୍ଥିତି ପୂରା ନିୟନ୍ତ୍ରଣାଧୀନ ହୋଇନଥିବାବେଳେ ପାଣିପାଗ ବିଭାଗର ଦୁଇ ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ବନ୍ୟା ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛି । ବିଶେଷକରି ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଏବେ ବର୍ଷା ହେଲେ ସ୍ଥିତି ସାଂଘାତିକ ହେବାର ସମ୍ଭାବନା ସୃଷ୍ଟି ହେଲାଣି ।