୫ ଦିନପରେ ବିଜେପୁର ପଲିଟିକାଲ୍ । ପେପର ପରୀକ୍ଷାରେ ସଫଳ ହେବାକୁ ଚାଲିଛି ସମରସଜ୍ଜା…

ଆଉ ୫ ଦିନ ପରେ ବିଜେପୁର ପେପର୍ । ରଣକ୍ଷେତ୍ର ପ୍ରସ୍ତୁତ, ଏବେ ଲଢ଼େଇକୁ ଅପେକ୍ଷା । ଆଉ ଲଢ଼େଇ ପୂର୍ବରୁ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩ ଦଳର ଶୀର୍ଷ ନେତା ।

460

କନକ ବ୍ୟୁରୋ: ଆଉ ୫ ଦିନ ପରେ ବିଜେପୁର ପେପର୍ । ରଣକ୍ଷେତ୍ର ପ୍ରସ୍ତୁତ, ଏବେ ଲଢ଼େଇକୁ ଅପେକ୍ଷା । ଆଉ ଲଢ଼େଇ ପୂର୍ବରୁ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩ ଦଳର ଶୀର୍ଷ ନେତା । ଉଭୟ ବିଜେଡି ଓ ବିଜେପି ଓ କଂଗ୍ରେସର ସିପାହୀମାନେ ବିରାଟ ପଟୁଆରରେ କରୁଛନ୍ତି ସମରସଜ୍ଜା । ସେପଟେ ଗତ ଦେଢ଼ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ଭୋଟ୍ ଦେବାକୁ ଯାଉଥିବା ବିଜେପୁରବାସୀ ଆଉ ପାଞ୍ଚ ଦିନ ପରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପେପରେ ମାର୍କ ଦେବେ ।

ସବୁଠାରୁ ବଡ଼ କଥା ହେଲା ଦିନକ ପରେ ପୂର୍ବ ନିର୍ବାଚନରେ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ତେବେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଦମ୍ଭୋକ୍ତି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଲୋକାଭିମୂଖୀ ଯୋଜନାକୁ ନେଇ ଲୋକଙ୍କୁ ପାଖକୁ ଯିବ ବୋଲି ବିଜେଡି ଅଣ୍ଟା ଭିଡୁଛି । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ୱ ନେଇଥିବାରୁ ଭୋଟର୍ ବିଜେଡିକୁ ହିଁ ବାଛିବେ ବୋଲି ବିଜେଡି ନେତାମାନେ ନିଶ୍ଚିତରେ ଥିବା ଦାବି କରୁଛନ୍ତି ।

ଅନ୍ୟପଟେ ବିଜେଡି ଓ କଂଗ୍ରେସକୁ ଚେକ୍ ଦେବାକୁ ବିଜେପି ମଧ୍ୟ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଗତ ସାଧାରଣ ନିର୍ବାଚନରେ ନବୀନ ବିରୋଧରେ ପ୍ରତିଦ୍ୱନ୍ଦିତା କରିଥିବା ସତନ ଗଡ଼ତିଆଙ୍କୁ ପୁଣି ସିପାହିଭାବେ ମୈଦାନକୁ ଓହ୍ଲାଇଛି ଦଳ । ଆଉ ସନତଙ୍କୁ ସାଥ୍ ଦେବାକୁ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ବିଜେପୁର ମୈଦାନକୁ ଓହ୍ଲାଇ ଶକ୍ତିପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ହେଲେ ଏହାରି ମଧ୍ୟରେ ଦଳ ପାଇଁ ୨୦୧୮ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ‘ପଦ୍ମ’କୁ ପର କରିଦେଇ ଚାଲିଯାଇଛନ୍ତି । ଯାହାକି ବିଜେପି ପାଇଁ ବିଜେପୁର ବିଜୟପଥରେ କଣ୍ଟା ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି-ବିଜେପି ବାଦ୍ ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ‘ହାତ’ କିନ୍ତୁ ଏଥର ନୂଆ ମୁହଁକୁ ଭରସିଛି । ଚର୍ଚ୍ଚା ହେଉଥିବା ରିପୁନାଥ୍ ସେଠଙ୍କ ସ୍ଥାନରେ ଦଳ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆଉ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । ତେଣୁ ବିଜେପୁର ଭୋଟର୍ ଉଭୟ ଦଳଙ୍କୁ ଶିକ୍ଷା ଦେବେ ବୋଲି ଦମ୍ଭୋକ୍ତି ବାଢ଼ିଛି କଂଗ୍ରେସ ।