ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବାତିଲ ହୋଇଥିବା ବୁଥରେ ଆଜି ସାନି ମତଦାନ : ପାଟକୁରା, କାମାକ୍ଷାନଗର ଓ ଧର୍ମଶାଳାରେ ଭୋଟ ଗ୍ରହଣ

26

କନକ ବ୍ୟୁରୋ : କେନ୍ଦ୍ରାପଡା ପାଟକୁରାରେ ଆଜି ସାନି ମତଦାନ । ପ୍ରଥମ ପର୍ଯ୍ୟାୟରେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକର ୧୧ଟି ବୁଥ୍ ଜବରଦଖଲ, ଭୋଟ ବାକ୍ସ ପୋଡି ଓ ବାଲାଟ ପେପର ଚିରା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆଜି ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳ ୭ଟାରୁ ୧୨ଟା ଯାଏଁ ମତଦାନ ହୋଇଛି । ରାମଚନ୍ଦ୍ରପୁର ପଂଚାୟତର ୧, ୨, ୩, ୪, ୫, ୬, ୧୦ ଓ ୧୧ ବୁଥ୍ ସହ ବଙ୍ଗାଳପୁର ପଂଚାୟତର ୧୨ ଓ ୧୮ନମ୍ବର ବୁଥ୍ ଏବଂ ପାଟକୁରା ପଂଚାୟତର ୧୪ନମ୍ବର ବୁଥରେ ମତଦାନ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ବାତିଲ ହୋଇଥିବା ବୁଥରେ ଆଜି ସାନି ମତଦାନ ହୋଇଛି । କାମାକ୍ଷାନଗର ୧ ନମ୍ବର ଜୋନର ୪ ନମ୍ବର ବୁଥରେ ମତଦାନ ହୋଇଛି । ବାଲାଟ ପେପର ଚୋରି ହୋଇଯାଇଥିବାରୁ ଏହି ବୁଥରେ ନିର୍ବାଚନ ବାତିଲ ହୋଇଥିଲା । ଆଜି ସକାଳୁ କଡା ସୁରକ୍ଷା ମଧ୍ୟରେ ମତଦାନ ହୋଇଛି ।

ସେହିପରି ଯାଜପୁର ଧର୍ମଶାଳା ବ୍ଲକ ଉତରପ୍ରତାପ ଓ ଦେଓଡା ଗ୍ରାମପଂଚାୟତର ୫ଟି ବୁଥରେ ସାନି ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ୨ ଗ୍ରାମପଂଚାୟତର ଜଳେଶ୍ୱର ଓ ମଝିପାଟଣା ବୁଥରେ ଭୋଟ ବାକ୍ସ ଲୁଟ ହୋଇଥିଲା । ଆଜି ସେଠାରେ ପୁଣି ଭୋଟ ଗ୍ରହଣ କରାଯାଇଛି ।