ସବୁ ଜଳିଗଲା ପରେ ଖୋଲା ଆକାଶତଳେ ବ୍ରହ୍ମପୁର ବସ୍ତି ବାସିନ୍ଦା । ଭିଟାମାଟି ଛାଡିବାକୁ ନାରାଜ ।

23

କନକ ବ୍ୟୁରୋ : ବ୍ରହ୍ମପୁରରେ ବିଜୁ ପଟ୍ଟନାୟକ ପାର୍କ ନିକଟ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବେଘର ହୋଇଛନ୍ତି ୬୦ରୁୂ ଅଧିକ ପରିବାର । ପ୍ରବଳ ଶୀତ ସାଙ୍ଗକୁ ରାତିରେ ଆଉଟୁ ପାଉଟୁ ହୋଇଛନ୍ତି ବାସହରା ହୋଇଥିବା ଶତାଧିକ ଲୋକ । ତେବେ ସରକାରଙ୍କ ତରଫରୁ ଜରୁରୀକାଳିନ ଭିତରେ ପଲିଥିନ୍ , ରନ୍ଧା ଖାଦ୍ୟ ଓ ଲୁଗାପଟା ଯୋଗାଇ ଦିଆଯାଇଛି ।

ବ୍ରହ୍ମପୁରର ଉପ-ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ଉପସ୍ଥିତ ରହି ପୀଡିତଙ୍କ ଥଇଥାନ କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସଂଗଠନର ପକ୍ଷରୁ ବାସହରା ହୋଇଥିବା ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଗତକାଲି ଅଗ୍ନିକାଣ୍ଡ ଘଟି ୬୦ଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ତେବେ ସୌଭାଗ୍ୟବଶତ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି ।

ଗତକାଲି ବ୍ରହ୍ମପୁରରେ ସହରର ବିଜୁ ପଟ୍ଟନାୟକ ପାର୍କ ନିକଟ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ବସ୍ତିରେ ଲାଗିଥିବା ନିଆଁରେ ଶହେ ଘର ଜଳିଯାଇଥିଲା । ଏହାସହ ଲକ୍ଷାଧିକ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ନାକେଦମ ହୋଇଥିଲା ଅଗ୍ନିଶମ ବିଭାଗ । ତେବେ କେଉଁ କାରଣରୁ ବସ୍ତିରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।