ଅପେକ୍ଷା କରିଛି ଭକ୍ତ, ଅପେକ୍ଷା କରିଛନ୍ତି ଭଗବାନ ! ଦୁହେଁ ଦୁହିଁଙ୍କୁ ଦେଖିବେ ବୋଲି କାହାକୁ ନାହିଁ ନିଦ…

ଶ୍ରୀଜିଉଙ୍କୁ ଚାହିଁଛି ସାରା ବିଶ୍ୱ...

146

କନକ ବ୍ୟୁରୋ: ସିନ୍ଦୂରା ଫାଟିବାକୁ ସମସ୍ତଙ୍କ ଅପେକ୍ଷା । ରାତିର ଅନ୍ଧାର ଚିରି ଶ୍ରୀକ୍ଷେତ୍ର ଆକାଶରେ ସୂର୍ଯ୍ୟ କେତେବେଳେ ଉଁଇବେ ସେହି ମୁହୂର୍ତ୍ତକୁ ଚାତକ ପରି ଚାହିଁ ରହିଛନ୍ତି ସମସ୍ତେ । ଖାଲି ଭକ୍ତ ନୁହଁନ୍ତି, ଭାବରେ ଉବୁଟୁବୁ ହେଉଥିବା ସାରା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କୁ ଚାହିଁ ଚହିଛି । ଶ୍ରୀକ୍ଷେତ୍ରର ପାଣି-ପବନ, ଗଛ-ଲତା, ଆକାଶ-ସମୁଦ୍ର, ସଜୀବ-ନିର୍ଜୀବ, ରଥ, ପଥ ସମସ୍ତେ ନିଜ ପ୍ରିୟ ଠାକୁରଙ୍କୁ ଚାହିଁ ରହିଛନ୍ତି । କେତେବେଳେ ତାଙ୍କ କାଳିଆ ସାଆନ୍ତ ଆସିବେ, ଶ୍ରୀମନ୍ଦିରରୁ ବାହାରି ତାଙ୍କୁ ଟିକେ ଦର୍ଶନ ଦେବେ । ଆଉ ତାପରେ ସେମାନେ ଜନ୍ମ ଜନ୍ମ ପାଇଁ ତରିଯିବେ ।


ରାତି ପାହିଲେ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛି ୩ ରଥ, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ । ଆସନ୍ତାକାଲି ବଡଦାଣ୍ଡରେ ଭକ୍ତ-ଭଗବାନ ମିଳନ ହେବ । ରଥ ଉପରେ ଚତୁର୍ଦ୍ଧାମୁରତିଙ୍କ ଦର୍ଶନ କରିବେ କୋଟି କୋଟି ଶ୍ରଦ୍ଧାଳୁ । ଆଉ ତାପରେ ଭାବରେ ଭାସିବ ବଡଦାଣ୍ଡ ।


ରଥଯାତ୍ରା ପାଇଁ ଆଜି ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡାକୁ ନିଆଯାଇଛି । ପ୍ରଥମେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଅଣାଯାଇଥିଲା । ତା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ଆସିଥିଲା ବଳଭଦ୍ରଙ୍କ ତାଳଧ୍ୱଜ । ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ୩ ବାଡରୁ ଆଜ୍ଞାମାଳ ଆଣି ୩ ରଥରେ ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ।


ରଥଖଳାରୁ ରଥ ଗୁଡିକୁ ଟଣାଯାଇ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ରାତି ୯ରେ ମହାପ୍ରଭୁଙ୍କ ବଡସିଂହାର ଭୋଗ ଓ ରାତି ସାଢ଼େ ୯ରେ ପହୁଡ ଆଳତି ହୋଇଛି । ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଂଟ ନୀତି ଅନୁଷ୍ଠିତ ହୋଇଛି । ପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ ।
ଆସନ୍ତାକାଲି ସକାଳୁ ଶ୍ରୀଜିଉଙ୍କ ପହଣ୍ଡି କରାଯାଇ ରଥକୁ ଅଣାଯିବ । ରଥ ଉପରେ ଛେରା ପହଁରା ନୀତି ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବ ତିନି ରଥ । ଏହା ପରେ ଆରମ୍ଭ ହୋଇଯିବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ୧୦ ହଜାର ଫୋର୍ସ ମୁତୟନ କରାଯାଇଛି ।