ଋଣଛାଡ ହେଲେ ବଦଳିବ କି ଚାଷୀର ଭାଗ୍ୟ? ଥମିଯିବ ଆତ୍ମହତ୍ୟା, ମିଳିବ ଉଚିତ୍ ମୂଲ୍ୟ!

3

ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ଜୋର ଧରିଛି । ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଏବଂ କୃଷିଋଣ ଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଗୋଟିଏ ପଟେ ସରକାରଙ୍କ ସାମ୍ନାରେ ରହିଛି ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ ଆଉ ଅନ୍ୟପଟେ ରହିଛି ସ୍ଥାୟୀ ସମାଧାନ । ହୁଏତ କୃଷିଋଣ ଛାଡ କରିଦେଲେ ସାମୟିକ ଭାବେ ଚାଷୀ ମୁଣ୍ଡରୁ ବୋଝ ହଟିଯାଇ ପାରିବ, ହେଲେ ଦୀର୍ଘମିଆଦୀ ଭାବେ ଏହାର ପ୍ରଭାବକୁ ନେଇ ଆକଳନ କରିବାର ନିହାତି ଆବଶ୍ୟକତା ରହିଛି । କାରଣ ଅତୀତରେ ଅନେକ ବାର କୃଷିଋଣ ଛାଡ଼ ହୋଇଥିଲେ ବି ଆଜିର ଦିନରେ ଚାଷୀ ସମସ୍ୟା ସହ ଲଢେଇ କରିଚାଲିଛି ।

ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଛି । ସ୍ୱାମୀନାଥନ୍ କମିଶନ ସୁପାରିଶକୁ ଲାଗୁ କରିବା, ପେନସନ୍ ଓ ସାମୟିକ ଭାବ ଚାଷୀଙ୍କ ଉପରୁ ଚାପ ହଟାଇବାକୁ ଋଣଛାଡ କରିବାକୁ ଦାବି କରିଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ୬ ମାସର ସମୟ । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସଂଗଠନ ଚେତାବନୀ ଦେଇଛି । ସରକାର ବାଧ୍ୟ ହେବେ ଚାଷୀଙ୍କ ଦାବି ମାନିବାକୁ, ଏହାର ବାଟ ବାହାର କରାଯିବ ବୋଲି ସ୍ପଷ୍ଟ କରିଛି ନବ ନିର୍ମାଣ କୃଷକ ସଂଗଠନ ।

Road Blocked By Naba Nirman Krushak Sangathanଏବେ ନଜର ପକାନ୍ତୁ, ଓଡିଶାରେ ଚାଷୀ ଋଣ ଓ ଚାଷୀଙ୍କର ସ୍ଥିତି କଣ ରହିଛି । ଓଡିଶାରେ ପାଖାପାଖି ୩୪ ଲକ୍ଷ ଚାଷୀ ୧୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ କରିଛନ୍ତି । ୧୨ ହଜାର କୋଟି ଟଙ୍କା ସମବାୟ ବ୍ୟାଙ୍କରୁ ଋଣ ଆକାରରେ ନେଇଥିବା ବେଳେ ୭ ହଜାର କୋଟି ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେଇଛନ୍ତି । ରାଜ୍ୟର ୬୨% ଲୋକ ଚାଷ ଉପରେ ନିର୍ଭରଶୀଳ । ବଡ କଥା ହେଉଛି, ଗର ଏପ୍ରିଲ ମାସରେ କୃଷିଋଣ ଛାଡ ଉପରେ ବିଚାର କରାଯାଉଥିବା କହିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହାରି ଭିତରେ ୨ ମାସ ବିତିଯାଇଥିଲେ ବି କୈାଣସି ଘୋଷଣା ହୋଇନି କିମ୍ବା ପଦକ୍ଷେପ ନିଆଯାଇନି ।

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଯେତେବେଳେ ବଜେଟ ଉପସ୍ଥାପନ କରିଥିଲେ, ସେତେବେଳେ ଭଣ୍ଡାର ଖୋଲିଦେଇଥିଲେ । ଚଳିତ ଆର୍ଥିକ ବର୍ଷ ପାଇଁ ୧୪, ୯୩୦ କୋଟିର ବଜେଟ ଉପସ୍ଥାପନ କରିଥିଲେ । ୧% ସୁଧରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ଦେବାକୁ ବ୍ୟବସ୍ଥା କରିଛନ୍ତି । ହେଲେ, ନିର୍ବାଚନୀ ଇସ୍ତାହାରରେ କରିଥିବା ଘୋଷଣା ଠାରୁ ଏହା ବହୁଦୂରରେ?

ରାଜ୍ୟର ପ୍ରାୟ ୬ଲକ୍ଷ ଚାଷୀ ଜାତୀୟକରଣ ବ୍ୟାଙ୍କରୁ ଋଣ ନେଇଛନ୍ତି । କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ସଂଖ୍ୟା ରାଜ୍ୟରେ ପ୍ରାୟ ୪୮ ପ୍ରତିଶତ । ଏମାନେ ମହାଜନ ଓ ସାହୁକାରଙ୍କ ଉପରେ ନିର୍ଭର କରିଥାନ୍ତି । ଆତ୍ମହତ୍ୟା ସଂଖ୍ୟା ଏହି ବର୍ଗରେ ଅଧିକ ଥିବା ଅଭିଯୋଗ । ଗତ ୧୫ ବର୍ଷରେ ୩୬୦୦ ଚାଷୀ ରାଜ୍ୟରେ କରିଛନ୍ତି ଆତ୍ମହତ୍ୟା । ଏନଏସଏସଓ ରିପୋର୍ଟ କହୁଛି, ଚାଷୀ ପରିବାରର ବାର୍ଷିକ ଆୟ ଅପେକ୍ଷା ଋଣ ପରିମାଣ ଅଧିକ । ଚାଷୀ ପରିବାରର ବାର୍ଷିକ ଆୟ ୫୯, ୭୧୨ ଟଂକା ହୋଇଥିବା ବେଳେ ହାରାହାରି ଋଣ ପରିମାଣ ୬୪, ୧୨୦ ଟଂକା । ରାଜ୍ୟରେ ପ୍ରାୟ ପ୍ରତି ୫ ଜଣ ଚାଷୀରେ ୨ ଜଣ ଋଣ ବୋଝ ଚାପରେ ।

୨୦୦୩ ରୁ ୨୦୧୩ ୧୦ ବର୍ଷରେ ଆୟ ୧ ହଜାରରୁ ୨ ହଜାରକୁ ବୃଦ୍ଧି କରିଥିବା ରାଜ୍ୟ ସରକାର ଦାବି କରିଛନ୍ତି । ପଂଜାବରେ ଚାଷୀର ଆୟ ୧୮ ହଜାର ୫୯ ଟଙ୍କା ଥିବା ବେଳେ ହରିଆଣାରେ ୧୪, ୪୩୪, ବିହାରରେ ୩୫୫୮ ଟଙ୍କା । ସାରା ଭାରତରେ ଚାଷୀଙ୍କ ହାରାହାରି ରୋଜଗାର ମାସିକ ୬୪୨୬ ଟଙ୍କା । ରାଜ୍ୟରେ ଚାଷ ଜମିର ପରିମାଣ କମୁଛି, ଜଳସେଚନ ବଢୁନି, କୃଷି ବିଭାଗର ଦୁର୍ନୀତି ଆକାଶଛୁଆଁ ହେଲାଣି । ଏଭଳି ସ୍ଥଳେ ଚାଷୀଙ୍କ ସମସ୍ୟାକୁ ଦୀର୍ଘମିଆଦି ଭାବେ ସମାଧାନ କରିବା ବଦଳରେ ସ୍ୱଳ୍ପମିଆଦୀ ସମାଧାନ ପାଇଁ ଦାବି ଜୋର ଧରିଛି ।

farmer sucideବିଡମ୍ବନାର କଥା ହେଉଛି, ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା । ଚାଷୀଙ୍କୁ ଋଣଛାଡ ବାବଦରେ ମୁଖ୍ୟମନ୍ତ୍ରୀ ଚିନ୍ତା କରାଯାଉଛି ବୋଲି ଘୋଷଣା କରିଦେଲେ । ହେଲେ ଯାହା ଲାଗୁଛି, ନିର୍ବାଚନ ଆସିଲେ ହିଁ ଚାଷୀଙ୍କୁ ଋଣଛାଡ କରାଯିବ । ଫଳରେ ଭୋଟ୍ ପାଇବାରେ ଏହି ଘୋଷଣା ସହାୟକ ହେବ । ତେଣୁ ଚାଷୀ ଆଉ ଚାଷ ପ୍ରସଙ୍ଗ ସବୁବେଳେ ରାଜନୈତିକ ଗୋଟିଚାଳନାର ଅଂଶବିଶେଷ । ଯେଉଁପର୍ଯ୍ୟନ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇନାହାନ୍ତି କିମ୍ବା ଆନ୍ଦୋଳନରେ କାହାର ଜୀବନ ଯାଇନି, ସେଯାଏଁ ସମସ୍ତେ କେବଳ ନୀରବଦ୍ରଷ୍ଟା ସାଜିବେ । ରାଜ୍ୟର କୃଷିମନ୍ତ୍ରୀ ବୟାନ ଦେଇ କହୁଛନ୍ତି, ରାଜ୍ୟରେ ଚାଷୀଙ୍କୁ ଋଣ ଛାଡ କରିବାର ଆବଶ୍ୟକତା ନାହିଁ, କାରଣ ଋଣ ନେଇ ଏମାନେ ମଦ ପିଉଛନ୍ତି, ଝିଅ ବାହାଘର କରୁଛନ୍ତି । ହେଲେ ଦାମୋଦର ରାଉତଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କ ମୁହଁରେ ଏଭଳି ବୟାନ ଦର୍ଶାଉଛି, ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ମାନସିକତା କିଭଳି ରହିଛି ।

ହେଲେ ଓଡିଶାରେ କଣ ଚାଷୀଋଣ ଛାଡ ହେବ? ହୁଏତ ବିଜେଡି ସରକାର ଏ ବାବଦରେ ଚିନ୍ତା କରୁଥାଇପାରେ, ନବୀନ ଘୋଷଣା କରିଥାଇପାନ୍ତି, କିନ୍ତୁ ଋଣଛାଡ ଘୋଷଣା ହେଲେ ଏହାର ଲାଭ କିଏ ପାଇବ? କାରଣ ଭାଗଚାଷୀ, ନାମମାତ୍ର ଚାଷୀ, ଜମି ମାଲିକ ଏମାନଙ୍କୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି, ତାକୁ ଦୂର କରିବାରେ ସଫଳତା ମିଳିନାହିଁ । ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଢିବା ପରେ ଏନେଇ ଦୁଇ ଦୁଇ ଥର ବୈଠକ ହୋଇସାରିଲାଣି । ହେଲେ ଫଳ କିଛି ମିଳିପାରିନାହିଁ । ଅପେକ୍ଷା ରହଛି, କେବେ ଏହି ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗୋଟିଏ ସମାଧାନର ସୁତ୍ର ବାହାର କରିବେ । ଆସନ୍ତା ୧୯ରେ ପୁଣି ଏକାଠି ବସିବେ ବିଭାଗୀୟ ମନ୍ତ୍ରୀ । ହେଲେ କିଛି ମିନିଟ୍ର ଆଲୋଚନା କିମ୍ବା ଗୋଟିଏ କପ୍ ଚା ପିଇବାରେ ଏହି ସମସ୍ୟାର ସମାଧାନ ହେବନାହିଁ । ଏହାରି ଭିତରେ କିନ୍ତୁ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବୟାନ ଆହୁରି ବିବାଦୀୟ । ମନ୍ତ୍ରୀଙ୍କ ହିସାବରେ, ପ୍ରକୃତ ଚାଷୀଙ୍କୁ ଋଣଛାଡ କରାଯାଉ । ହେଲେ ମନ୍ତ୍ରୀଙ୍କୁ ଆମର ପ୍ରଶ୍ନ, ପ୍ରକୃତ ଚାଷୀ କେବେ ଚିହ୍ନଟ ହେବେ ଆଉ କେବେ ଆପଣ ଋଣଛାଡ କରିବେ?

ଖାଲି ଓଡିଶା ନୁହେଁ, ସାରା ଦେଶର ବିଭିନ୍ନ ରାଜ୍ୟରେ କୃଷିଋଣ ଛାଡ କରିବାକୁ ଦାବି ଜୋର ଧରିଛି । ପଂଜାବ, ହରିୟାଣା, ତାମିଲନାଡୁ ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ଋଣଛାଡ ଦାବି କରୁଛନ୍ତି ଚାଷୀ । ଏହାରି ଭିତରେ ଦେଶରେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ସରକାର କୃଷିଋଣ ଛାଡ ବାବଦରେ ଘୋଷଣା କରିସାରିଛନ୍ତି । ଉତ୍ତରପ୍ରଦେଶରେ ୩୬, ୩୫୯ କୋଟିର ଋଣଛାଡ ହୋଇଥିବା ବେଳେ ମହାରାଷ୍ଟ୍ରରେ ଚାଷୀଙ୍କୁ ଋଣଛାଡର ପରିମାଣ ୩୦, ୦୦୦ କୋଟି ଟଙ୍କା ।

ଯଦି ଦାବି ହେଉଥିବା ସମସ୍ତ ରାଜ୍ୟରେ କୃଷିଋଣ ଛାଡ କରିବାକୁ ନିଷ୍ପତ୍ତି ନିଆଯାଏ ତେବେ ଏହାର ପରିମାଣ ହେବ ୩.୧ ଲକ୍ଷ କୋଟି । ଯାହା ୨୦୧୬-୧୭ ଆର୍ଥିକ ବର୍ଷରେ ଜିଡିପିର ୨.୬% । ରୋଚକ କଥା ହେଉଛି, ଗ୍ରାମାଂଚଳର ରାସ୍ତା ତିଆରି ପାଇଁ ଦିଆଯାଇଥିବା ବଜେଟ୍ ଠାରୁ ଏହି ପରିମାଣ ୧୬ ଗୁଣା ଅଧିକ । ଦେଶରେ ଗତ ୬୦ ବର୍ଷରେ ଯେତିକି ଜଳସେଚନ ହୋଇଛି, ତାଠାରୁ ଅଧିକ ୫୫% ଜଳସେଚନ ବୃଦ୍ଧି ହୋଇପାରିବ, ଯଦି ଏହି ପରିମାଣର ଅର୍ଥ ବିନିଯୋଗ କରାଯାଏ ।

କେଉଁ ରାଜ୍ୟରେ ଋଣର ପରିମାଣ କେତେ?
ପଂଜାବ
ଋଣ ପରିମାଣ – ୩୬, ୬୦୦ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୧୭ ଲକ୍ଷ
ତଥ୍ୟ: ଲାଇଭ୍ ମିଂଟ୍
ମଧ୍ୟପ୍ରଦେଶ
ଋଣ ପରିମାଣ – ୫୬, ୦୪୭ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୬୩ ଲକ୍ଷ
ତଥ୍ୟ: ହିନ୍ଦୁ ବିଜିନେସ୍ ଲାଇନ୍
ଗୁଜୁରାଟ୍
ଋଣ ପରିମାଣ – ୪୦, ୬୫୦ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୩୨ ଲକ୍ଷ
ତଥ୍ୟ: ହିନ୍ଦୁ ବିଜିନେସ୍ ଲାଇନ୍
ହରିୟାଣା
ଋଣ ପରିମାଣ – ୫୬, ୦୦୦ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୧୦ ଲକ୍ଷ
ତଥ୍ୟ: ଇଣ୍ଡିଆନ୍ ଏକ୍ସପ୍ରେସ୍

ତାମିଲନାଡୁ
ଋଣ ପରିମାଣ – ୭, ୭୬୦ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୧୯ ଲକ୍ଷ
ତଥ୍ୟ: ଦି ହିନ୍ଦୁ
କର୍ଣ୍ଣାଟକ
ଋଣ ପରିମାଣ – ୫୨, ୫୦୦ କୋଟି
ଋଣଗ୍ରସ୍ତ ଚାଷୀ ସଂଖ୍ୟା – ୫୯ ଲକ୍ଷ
ତଥ୍ୟ: ଡେଲି ଓ

ଗତ ୯ ବର୍ଷରେ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ଦେଶରେ ୮୮, ୯୮୮ କୋଟି ଋଣଛାଡ କରାଯାଇଛି । ପାଖାପାଖି ୪ କୋଟି ୮୦ ଲକ୍ଷ ଚାଷୀଙ୍କୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଅଯାଇଥିଲା । ଯେଉଁଥିରେ ଉପା ସରକାର ବେଳେ ଅର୍ଥାତ୍ ୨୦୦୮ରେ ହୋଇଥିବା ଋଣଛାଡ ସାମିଲ ଥିଲା । ୨୦୦୯ ନିର୍ବାଚନ ଆଗରୁ ଉପା ସରକାର ୫୨ ହଜାର କୋଟିର ଋଣଛାଡ କରିଥିଲେ । ହେଲେ ମୂଳ ପରିମାଣରେ ବ୍ୟାପକ ହରିଲୁଟ୍ ହୋଇଥିବାର ଅଭିଯୋଗ ହେଲା । ଏପରିକି ପ୍ରକୃତ ଚାଷୀ ଋଣ ଛାଡରୁ ବଂଚିତ ହୋଇଥିବା କୁହାଗଲା । ଯାହାକୁ ନେଇ ରାଜନୀତି ବି ଜୋର ଧରିଥିଲା ।

କୁହାଯାଏ, ଋଣଛାଡ ଫଳରେ ଚାଷୀଙ୍କ ଉପରେ ଥିବା ବୋଝ ହଟିଯିବ ଓ ଋଣ ଚାପ ପାଇଁ ସେ ଆତ୍ମହତ୍ୟା କରିବନାହିଁ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚାଷୀ ଆତ୍ମହତ୍ୟା ପରିସଂଖ୍ୟାନ ଉପରେ ଏହାର ସେଭଳି କିଛି ପ୍ରଭାବ ନାହିଁ । କାରଣ, ସାରା ଦେଶରେ ୩୨.୫ ପ୍ରତିଶତ ଚାଷୀ ବା ୭ କୋଟି ୯୦ ଲକ୍ଷ ୩୮ ହଜାର ଚାଷୀ ଯେଉଁମାନଙ୍କର ୧ ରୁ ୨ ହେକ୍ଟର ଭିତରେ ଚାଷଜମି ଅଛି, ସେମାନେ ମୁଖ୍ୟତଃ ହାତଉଧାରୀ ବା ମହାଜନ ମାନଙ୍କ ଠାରୁ ଉଚ୍ଚ ସୁଧ ହାରରେ ଋଣ ନେଇ ଚାଷ କରିଥାନ୍ତି । ଫଳରେ ସରକାରଙ୍କର କୃଷିଋଣ ଛାଡ ସୁବିଧାରୁ ଏହି ଚାଷୀମାନେ ବଂଚିତ ହୋଇଥାନ୍ତି ।

ପୂର୍ବରୁ କରାଯାଇଥିବା ଋଣଛାଡ, ଚାଷୀ ଆତ୍ମହତ୍ୟା ଉପରେ ଫରକ୍ ପକାଇନଥିଲା । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟ ଅନୁସାରେ, ଉପା ସରକାର ଋଣ ଛାଡ କରିବା ଆଗରୁ ୧୬, ୩୭୯ ଚାଷୀ ଆତ୍ମହତ୍ୟା କରିଥିଲେ । ଯେଉଁଥିରେ ମହାରାଷ୍ଟ୍ରର ସର୍ବାଧିକ ଚାଷୀ ପାଖାପାଖି ୪୨୩୮ ଜଣ ଥିଲେ । ଉପା ସରକାରର ଋଣଛାଡ ଘୋଷଣା ପରେ ୨୦୦୯ରେ ପୁଣି ଥରେ ମହାରାଷ୍ଟ୍ର ସରକାର ଅତିରିକ୍ତ ୬୨୦୮ କୋଟି ଋଣଛାଡ କରିବାକୁ ଘୋଷଣା କଲେ । ଫଳରେ ଉକ୍ତ ବର୍ଷ ଚାଷୀ ଆତ୍ମହତ୍ୟା କହିଲା । ହେଲେ ଏହା ପରବର୍ଷ ୨୦୧୦ରେ ଚାଷୀ ଆତ୍ମହତ୍ୟା ୬.୨% ବଢିଲା । ୨୦୧୫ ସୁଦ୍ଧା ଅର୍ଥାତ୍ ଋଣଛାଡର ୭ ବର୍ଷ ପରେ ମହାରାଷ୍ଟ୍ରରେ ୪,୨୯୧ ଚାଷୀ ଆତ୍ମହତ୍ୟା କଲେ ।

ଏନସିଆରବି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ବ୍ୟାଙ୍କରୁ ଋଣ ନେଉଥିବା ଚାଷୀଙ୍କ ତୁଳନାରେ ହାତଉଧାରୀ ବା ମହାଜନ ମାନଙ୍କ ଠାରୁ ଋଣ ନେଉଥିବା ଚାଷୀଙ୍କ ସଂଖ୍ୟ ଅଧିକ ରହୁଥିବାରୁ ଋଣଛାଡର ସୁବିଧା ସମୋନେ ନେଇପାରୁନାହାନ୍ତି । ତେଣୁ ଚାଷୀମାନଙ୍କ କ୍ଷେତ୍ରରେ ବଡଧରଣର ଫରକ ଆଣୁନଥିବା କୁହାଯାଉଛି ।

କୃଷିକ୍ଷେତ୍ରରେ ସବୁଠୁ ବଡ ସମସ୍ୟା ହେଲା ଚାଷଜମିର ଆକାର ଧୀରେ ଧୀରେ କମିବାରେ ଲାଗିଛି । ୨୦୦୧ ରୁ ୨୦୧୧ ମଧ୍ୟରେ ଚାଷୀ ସଂଖ୍ୟା କମିଛି । ୧୦ ବର୍ଷରେ ୧ ଲକ୍ଷ ୪୩ ହଜାର ୬୭୨ ଲୋକ ଚାଷ କାର୍ଯ୍ୟରୁ ଦୁରେଇଛନ୍ତି । କୃଷି ଶ୍ରମିକଙ୍କ ସଂଖ୍ୟା ୧୦ ବର୍ଷରେ ୧୭ ଲକ୍ଷ ବଢିଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦରେ କୃଷିର ଭାଗ ଲଗାତର କମୁଛି । ୨୦୧୨-୧୩ ବର୍ଷରେ ରାଜ୍ୟର ଜିଡିପିକୁ କୃଷିର ଅବଦାନ ଥିଲା ୧୫.୧୭% । ୨୦୧୪-୧୫ ବେଳକୁ ଏହା ୧୨.୩%କୁ ହ୍ରାସ ପାଇଛି । ଚାଷଜମି ଦିନକୁ ଦିନ ଛୋଟ ହୋଇଥିବାରୁ କୃଷି ଆୟ ବୃଦ୍ଧି ପାଇପାରୁନାହିଁ ।

୧୯୯୦ରେ ଜନତା ପାର୍ଟି ସରକାର ବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଭି. ପି. ସିଂ ୧୦ ହଜାର କୋଟି ଟଙ୍କାର ଋଣଛାଡ କରିଥିଲେ । ଏହାର ପ୍ରଭାବରୁ ବ୍ୟାଙ୍କ ଗୁଡିକୁ ବାହାରିବାକୁ ୯ ବର୍ଷ ସମୟ ଲାଗିଗଲା । ଏପ୍ରିଲ ୨୦୦୮ରେ ଏନେଇ ଇକୋନୋମିକ୍ ଆଣ୍ଡ ପଲିଟିକାଲ୍ ୱିକ୍ଲି ତଥୟ ପ୍ରକାଶ କରିଥିଲା । ସେହିଭଳି ୨୦୦୮ରେ ଯେତେବେଳେ ଉପା ସରକାର ଋଣଛାଡ କରିଥିଲା ଏହାପରେ କୃଷି କ୍ଷେତ୍ରରେ ଅକାମୀ ହୋଇପଡିଥିବା ସଂପତି ତିନି ଗୁଣା ବଢିଗଲା । ୨୦୦୮ରେ ୭, ୧୪୯ କୋଟି କୃଷିକ୍ଷେତ୍ରରେ ଏନପିଏ ଥିବା ବେଳେ ୨୦୧୩ରେ ଏହା ବଢି ହେଲା ୩୦ ହଜାର ୨୦ କୋଟି ।

ବିଭିନ୍ନ କ୍ଷେତ୍ରରୁ ଆସୁଥିବା ପ୍ରସ୍ତାବ ଅନୁସାରେ, କୃଷିଋଣ ଛାଡ ହୁଏତ ସମସ୍ତ ସମସ୍ୟାର ସମାଧାନର ବାଟନୁହେଁ । ପାଣିପାଗରେ ହେଉଥିବା ପରିବର୍ତ୍ତନ ଆଜିର ଦିନରେ ଚାଷୀଙ୍କୁ ବାଧ୍ୟ କରୁଛି ଜଳସେଚନ ଉପରେ ନିର୍ଭର କରିବାକୁ । ଜୁନ୍ ୮, ୨୦୧୭ରେ ଇଣ୍ଡିଆ ସ୍ପେଣ୍ଡ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ସାରା ଦେଶରେ ୪୭.୬ ପ୍ରତିଶତ ଜମି ଜଳସେଚିତ । କେନ୍ଦ୍ର କୃଷି ମନ୍ତ୍ରାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୦ ତୁଳନାରେ ବଢିଥିବା ଜଳସେଚିତ ଜମିର ପରିମାଣ ମାତ୍ର ୦.୩ ପ୍ରତିଶତ ।

ତେବେ ବଡ କଥା ହେଉଛି, ଆଜିର ଦିନରେ କୃଷିଋଣ ଛାଡ ବାବଦରେ ଯଦି କୈାଣସି ରାଜ୍ୟ ନିଷ୍ପତ୍ତି ନେଉଛି, ତେବେ ଏଥିରେ କେନ୍ଦ୍ରରୁ କୈାଣସି ପ୍ରକାର ସହାୟତା ମିଳିବ ନାହିଁ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରିସାରିଛନ୍ତି । ଜୁନ୍ ୧୩, ୨୦୧୭ରେ ଜେଟ୍ଲୀ ଦେଇଥିବା ବୟାନ ଅନୁସାରେ, ଯେଉଁ ରାଜ୍ୟ ଚାଷୀଙ୍କ ଋଣଛାଡ କରିବାକୁ ନିଷ୍ପତ୍ତି ନେବେ, ସେମାନେ ଏବାବଦ ରାଜସ୍ୱ ନିଜେ ସଂଗ୍ରହ କରିବାକୁ ପଡିବ । ଏଥିରେ କେନ୍ଦ୍ର କୈାଣସି ପ୍ରକାରର ସହଯୋଗ କରିପାରିବ ନାହିଁ ।

nabanirmana krushak sanghaରାଜ୍ୟରେ ଚାଷୀଙ୍କୁ ସଂଗଠିତ କରି ଆନ୍ଦୋଳନ ଚଳାଇଛି ନବନିର୍ମାଣ କୃଷକ ସଂଗଠନ । ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଓ ଚାଷୀଙ୍କୁ ସମ୍ମାନ ପ୍ରଦାନ ସହ ୩୬ ଲକ୍ଷ ଚାଷୀ ପରିବାରକୁ ୨୧, ୬୦୦ କୋଟି ଟଙ୍କା ଚାଷୀ ପେନ୍ସନ୍ ପ୍ରଦାନ ଦାବି କରି ଚଳାଇଛି ଆନ୍ଦୋଳନ । ତିନିବର୍ଷ ଧରି ମନ୍ତ୍ରୀ ଓ ସଚିବ ସ୍ତରୀୟ ଆଲୋଚନା ସତ୍ତେ୍ୱ କୈାଣସି ସୁଫଳ ମିଳୁନଥିବା ବେଳେ ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ପାଇଁ ରାସ୍ତାକୁ ଚାଷୀ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ।

ତେବେ ବଡ ପ୍ରଶ୍ନ ହେଉଛି, ଚାଷୀଙ୍କୁ ଋଣ ଛାଡ କରି ସାମୟିକ ରିହାତି ଦେବା ଆବଶ୍ୟକ ନା କୃଷି କ୍ଷେତ୍ରରେ ଅଧିକ ନିବେଶ କରି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଉଚିତ୍? ୨୦୧୦-୧୧ ପରଠାରୁ କୃଷି କ୍ଷେତ୍ରରେ ନିବେଶ ୦.୮ ପ୍ରତିଶତ ହାରରେ ପ୍ରତିବର୍ଷ କମିଛି । ଏଠି କେନ୍ଦ୍ର ସରକାରଙ୍କ ଦାୟିତ୍ୱବୋଧ ଏବଂ ତାଙ୍କ ଘୋଷଣା କେତେଦୁର କାର୍ଯ୍ୟକାରୀ ହେଉଛି ତାକୁ ନେଇ ମଧ୍ୟ ସନ୍ଦେହ ଜାତ ହୋଇଛି । ଏମଏସପି ବଢାଇବାକୁ କେନ୍ଦ୍ର ସରକାର ମନା କରିଦେଇଥିବା ବେଳେ ଚାଷୀଙ୍କୁ ଦିଆଯାଉଥିବା ବୋନସ୍କୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଏହାରି ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ଅନେକ କିଛି ନିର୍ଭର କରିବ । କାରଣ ଭୋଟ୍ ରାଜନୀତିରେ ଆଜିର ଦିନରେ ଚାଷୀଙ୍କ ପ୍ରଭାବ ଯଥେଷ୍ଟ ଅଧିକ । କାହିଁକିନା ଚାଷୀ ଯେତେବେଳେ ସଂଗଠିତ ହେବେ ଠିକ୍ ସେହି ସମୟରେ ସରକାର ଚାପଗ୍ରସ୍ତ ହୋଇ ପଦକ୍ଷେପ ନେବାକୁ ବାଧ୍ୟହେବେ । ହେଲେ ପ୍ରଶ୍ନ ଉଠିବ, ସ୍ୱଳ୍ପ ମିଆଦୀ ନା ଦୀର୍ଘମିଆଦୀ ଭାବେ ।

Comments are closed.