କନକ ବ୍ୟୁରୋ : ଅଚଳ ହେଲା ଇଭିଏମ, ବାତିଲ ହେଲା ନିର୍ବାଚନ । ସୁନ୍ଦରଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଇଭିଏମ ଅଚଳ ଯୋଗୁଁ ନିର୍ବାଚନକୁ ବନ୍ଦ କରିବା ସହ ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ରିଟର୍ଣ୍ଣିଂ ଅଫିସର ତଥା ସୁନ୍ଦରଗଡ ଉପ-ଜିଲ୍ଲାପାଳ । ସୁନ୍ଦରଗଡର ରଙ୍ଗାଢିପା ସ୍କୁଲର ୨୧୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁୁଁ ନିର୍ବାଚନ ବାତିଲ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଇଭିଏମ । ଫଳରେ ମତଦାନ ନ କରି ଫେରି ଯାଇଥିଲେ ଭୋଟର । ଏହାର କିଛି ସମୟ ପରେ ଇଭିଏମକୁ ସଜଡାଯିବା ପରେ ପୁଣିଥରେ ଭୋଟିଂ ଆରମ୍ଭ ହୋଇଥିଲା ।
ପ୍ରାୟ ୨ ଘଣ୍ଟା ପରେ ପୁଣିଥରେ ମତଦାନ ଆରମ୍ଭ ହୋଇଥିବା ବେଳେ ଇଭିଏମରେ ପୁଣିଥରେ ତ୍ରୁଟି ଦେଖା ଦେଇଥିଲା । ଏପରିକି ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ବେଳେ ଏହା ଲୋକସଭା ପ୍ରାର୍ଥୀଙ୍କୁ ଯାଉଥିଲା । ଏହାକୁ ନେଇ ବଡ ଅଭିଯୋଗ ଆଣିଥିଲେ ଭୋଟର । ଯାହାକୁ ନେଇ ବୁଥ୍ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ରିଟର୍ଣ୍ଣିଂ ଅଫିସର ଏଠାରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ବୁଥରେ ପୁଣିଥରେ ରି ପୋଲିଂ କରିବାକୁ ନିର୍ବାଚନ କମିଶନଙ୍କୁ ରିଟର୍ଣ୍ଣିଂ ଅଫିସର ଚିଠି ଲେଖିଥିବା ଜଣାପଡିଛି ।
ଏହାଛଡା ଯେଉଁ ବୁଥରୁ ଏଭଳି ଅଭିଯୋଗ ଆସିଛି ସେହି ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବଚନ କମିସନ । ୪ଟି ବୁଥରେ ପରିଚାଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ର ବୁଥ୍ ନମ୍ବର, ସୁନ୍ଦରଗଡର ୨୧୩ ନମ୍ବର ବୁଥ, ଦଶପଲ୍ଲାର ୨୧୦ ନମ୍ବର ବୁଥ୍, ଦଶପଲ୍ଲାର ୨୨୨ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଏଠାରେ ମେସିନ ନୁହେଁ ନିର୍ବାଚନ କର୍ମଚାରୀଙ୍କର ତ୍ରୁଟି ରହିଛି ।