ବଦଳୁଛି ପୁରୀର ଚିତ୍ର ! ଭକ୍ତ ବଖାଣିଲେ ମନର କଥା । କହିଲେ, ଉଚ୍ଛେଦ ପରେ ଦୂରରୁ ଦିଶୁଛି ଶ୍ରୀମନ୍ଦିର ।

689

କନକ ବ୍ୟୁରୋ: ଦିନ କେଇଟା ଭିତରେ ୪-୪ଟି ମଠ ଓ ଉଠା ଦୋକାନୀ ଉଚ୍ଛେଦ ପରେ ବେଶ ଫାଙ୍କା ହୋଇଯାଇଛି ଶ୍ରୀମନ୍ଦିର ଚାରିପାଖ । ଫଳରେ ଦୂରବାଟରୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ସଂପୂର୍ଣ୍ଣ ଶ୍ରୀମନ୍ଦିର । ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ଉଚ୍ଛେଦ ପରର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରାନ୍ୱିତ କରିଛି ପ୍ରଶାସନ ।

ପୂର୍ବରୁ ଯେଉଁଠି କୋଠା ମାଳମାଳ ଦିଶୁଥିଲା, ସେହିଠାରୁ ସ୍ପଷ୍ଟ ଭାବେ ଦିଶୁଛି ସଂପୂର୍ଣ୍ଣ ଶ୍ରୀମନ୍ଦିର । ଲଙ୍ଗୁଳି ମଠ, ଏମାର ମଠ, ବଡ ଆଖଡା ମଠ ଓ ସାନଛତା ମଠ ଉଚ୍ଛେଦ ପରେ ଏବେ ଶ୍ରୀମନ୍ଦିର ଚାରିପଟ ବେଶ୍ ଫାଙ୍କା ହୋଇଯାଇଛି । ସ୍ପଷ୍ଟ ଭାବେ ଦେଖାଯାଉଛି ସଂପୂର୍ଣ୍ଣ ଶ୍ରୀମନ୍ଦିର । ଦୂରରୁ ନୀଳଚକ୍ର ଓ ପତିତପାବନ ବାନା ଦୃଶ୍ୟମାନ ହେଉଛି । ଏପରିକି ରୋଷଘର, ଆନନ୍ଦ ବଜାର ସବୁ କିଛି ବାହାରୁ ଦେଖାଯାଉଛି । ଆଗରୁ ସତେ ଯେମିତି ବିଶାଳକାୟ ମେଘନାଦ ପାଚେରୀ ହଜିଯାଇଥିଲା, ଏବେ ଏହା ସଂପୂର୍ଣ୍ଣ ଦିଶୁଛି । ଫଳରେ ପୁରୀର ଏହି ନୂଆ ରୂପକୁ ନେଇ ବେଶ ଉତ୍ସାହିତ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ।

ସେପଟେ ଉଚ୍ଛେଦ ସ୍ଥଳକୁ ସମତୁଳ କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଚାଲିଛି କାମ । ଏମାର ମଠର ରଘୁନନ୍ଦନ ପାଠାଗାରଠାରୁ ବଣିପଟି ଅଂଚଳରେ ଟାଇଲ ବିଛା କାମ ଚାଲିଥିବା ବେଳେ ପଥଚାରୀଙ୍କ ପାଇଁ କରାଯାଇଛି ମୋବାଇଲ ଟଏଲେଟର ବ୍ୟବସ୍ଥା । ଲଙ୍ଗୁଳି ମଠ ଓ ଅଖଡା ମଠ ଉଚ୍ଛେଦ ସ୍ଥଳରେ ବି ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଆଗକୁ ସାନଛତା ମଠ ଓ ମଙ୍ଗୁମଠର ଉଚ୍ଛେଦ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରୁଛି । ତେବେ ଉଚ୍ଛେଦ ପରବର୍ତୀ କାମକୁ ପ୍ରଶାସନ ତ୍ୱରାନ୍ୱିତ କରିଛି ।