ହାତୀ ମୃତ୍ୟୁ ପରେ ଚେତୁନି ଶକ୍ତି ବିଭାଗ ! ଏବେ ବି ମୁକୁଳା ପଡିଛି ଟ୍ରାନ୍ସଫର୍ମର, ଝୁଲୁଛି ତାର

32

କନକ ବ୍ୟୁରୋ : ଢେଙ୍କାନାଳ କମଳାଙ୍ଗ ହାତୀ ମୃତ୍ୟୁକୁ ବିତିଲା ୨୦ ଦିନ । ହେଲେ ଘଟଣାସ୍ଥଳରେ ସ୍ଥିତି ଯଥା ପୂର୍ବ ତଥା ପରଂ । ଏବେ ବି ଖୋଲାମେଲା ପଡିଛି ଟ୍ରାନଫର୍ମର । ଝୁଲି ରହିଛି ବିଦ୍ୟୁତ ତାର । ପୁଣି ଥରେ ଜୀବଜନ୍ତୁ ଏହି ତାର ସଂସ୍ପର୍ଶରେ ଯେ ନ ଆସିବେ ତାହାକୁ ଏଡାଇ ଦିଆଯାଇପାରିବନି । ସେପଟେ ହାତୀ ମରିବା ପରେ ବନ ବିଭାଗର ଚେତା ପଶିଛି । ଝୁଲିରହିଥିବା ବିଦ୍ୟୁତ ତାରକୁ ଉଠାଇବା ପାଇଁ କାମ ଆରମ୍ଭ ହୋଇଛି । ଆଉ ଏସବୁ ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ହାତୀର ଶବସକ୍ରାର କରିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳ କମଳାଂଗରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମରିଯିବା ପରେ ବନ ବିଭାଗ ସତର୍କ ହୋଇଛି । ସାରା ରାଜ୍ୟରେ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ତାରର କେବଲିଂ ହେବ ବୋଲି ପିସିସିଏଫ କହିଛନ୍ତି । ହାତୀ କରିଡର ଭାବେ ପରିଚିତ ବାରିପଦା, ଶିମିଳିପାଳ, ଢେଙ୍କାନାଳ ଏବଂ ଅନୁଗୁଳରେ ପ୍ରଥମ ପର୍ଯ୍ୟାୟରେ ଏହି କାମ ହେବ । ଜଙ୍ଗଲ ବିଭାଗ ଓ ଶକ୍ତି ବିଭାଗ ମିଶି କାମ କରିବେ । ୯ଫୁଟ ଉଚ୍ଚତାରେ ଥିବା ବିଦ୍ୟୁତ ତାରକୁ ୧୮ଫୁଟ ଉଚ୍ଚତାକୁ ଉଠାଯିବ ବୋଲି ପିସିସିଏଫ କହିଛନ୍ତି । ଶକ୍ତିମନ୍ତ୍ରୀ କହିଛନ୍ତି, ପ୍ରତି ଜିଲ୍ଲାରେ ଏସଡିଓ ପାହ୍ୟାର ଅଧିକାରୀଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ଅବସ୍ଥାପିତ କରାଯିବ । ଯେଉଁମାନେ ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖିବେ ।

ଆଉ ବିଦ୍ୟୁତ ତାର ଲାଗି ହାତୀ ମରିବାର ୨୦ ଦିନ ପରେ ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲା କନକ ନ୍ୟୁଜ । କମଳାଂଗ ଗ୍ରାମର ଅନେକ ସ୍ଥାନରେ ବିଦ୍ୟୁତ ତାର ଝୁଲି ରହିଥିବା କ୍ୟାମେରାରେ କଏଦ ହୋଇଥିଲା ।ଏପରିକି ରାସ୍ତାକଡରେ ବିପଦ ସଙ୍କୁଳ ଅବସ୍ଥାରେ  ରହିଛି ଟ୍ରାନସଫର୍ମର । ସୁରକ୍ଷା ବାଡ ବି ନାହିଁ । କାଠ ବାଉଁଶ ବାଡିରେ ବନ୍ଧାଯାଇଛି ଫ୍ୟୁଜ ଜମ୍ପର । ତେଣୁ ଦୁର୍ଘଟଣା ଆଶଙ୍କାକୁ ଏଡାଇବା କଷ୍ଟକର ବ୍ୟାପାର ହୋଇଛି । ସେପଟେ କମଳାଂଗ ଏବଂ ଆଖପାଖ ୭ଟି ଗାଁର ଲୋକେ ମୃତ ହାତୀ ପୋତାଯାଇଥିବା ସ୍ଥାନରେ କୀର୍ତନ ସହ ନାମଯଜ୍ଞ କରିଛନ୍ତି । ମୃତ ଗଜରାଜଙ୍କ ଆତ୍ମାର ସଦଗତି କାମନା କରି ଗଜଲକ୍ଷ୍୍ମୀଙ୍କ ଉଦ୍ଦେଶ୍ୟରେ ପୂଜାପାଠ କରିଛନ୍ତି ।

Comments are closed.