ବିରଳ ନେତା ବାଜପେୟୀ । ପୁରୀ ବେଳାଭୂମିରେ ଫସିଥିଲା କାର୍, ଗାଡିରୁ ଓହ୍ଲାଇ କାରକୁ ପଛରୁ ଠେଲିଥିଲେ ବାଜପେୟୀ

25

କନକ ବ୍ୟୁରୋ: ଆମ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଛନ୍ତି ଭାରତରତ୍ନ ପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସାରା ଦେଶ ତାଙ୍କ ବିୟୋଗରେ ସ୍ତବ୍ଧ ହୋଇପଡିଛି । ଯେଉଁମାନେ ତାଙ୍କ ସହିତ କିଛି ସମୟ ବିତାଇବାକୁ ସୌଭାଗ୍ୟ ଅର୍ଜନ କରିଥିଲେ ସେମାନେ ବି ତାଙ୍କୁ ମନେ ପକାଇ ଅଶ୍ରୁ ଝରାଉଛନ୍ତି । ଏଭଳି କିଛି ସ୍ମରଣୀୟ ମୂହୁର୍ତ୍ତ ବର୍ଣ୍ଣନା କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ବାଜପେୟୀଙ୍କ ସହ ବିତାଇଥିବା କିଛି ପୁରୁଣା ମୂହୂର୍ତ୍ତକୁ ସ୍ମରଣ କରି ସମୀର କହିଛନ୍ତି ଯେ, “ ୧୯୮୧ରୁ ୮୨ ମସିହାରେ ପୁରୀ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରଚାର ସଭାରେ ଯୋଗଦେବାକୁ ବାଜପେୟୀଜୀ ଆସିଥିଲେ । ସେତେବେଳେ ଏବିଭିପି ଛାତ୍ରନେତା ଭାବେ ତାଙ୍କ ସଂଶ୍ପର୍ଷରେ ଆସିବାକୁ ସୁଯୋଗ ମିଳିଥିଲା । ଏପରିକି ତାଙ୍କ ଗାଡ଼ିରେ ପୁରୀ ଯିବାର ସୌଭାଗ୍ୟର୍ଜନ ପାଇଥିଲି । ବାଜପେୟୀ ଜୀ ପ୍ରଥମେ ଲିଙ୍ଗରାଜ ମନ୍ଦିର ବୁଲିଥିଲେ । ତା’ପରେ ପୁରୀ ବଡଦାଣ୍ଡରେ ପ୍ରଚାର ସଭାରେ ଯୋଗଦେଲେ । ଯିବାବେଳେ ଚୁପ କରି କହିଥିଲେ ପୁରୀ ସମୂଦ୍ରବେଳାଭୂମିକୁ ବିଲିଯିବା । କିନ୍ତୁ ଏ ବାବଦରେ କାହାକୁ କହିବ ନାହିଁ ବୋଲି କହିଥିଲେ ।

ସମସ୍ତ କାର୍ଯ୍ୟ ସରିଲା ଏହାପରେ ଆମେ ପୁରୀ ବେଳାଭୂମିକୁ ଯାଇଥିଲୁ । ସେତେବେଳେ ଯେହେତୁ ଏତେ ଗହଳୀ ନଥିଲା । ତେଣୁ ଗାଡିଟିକୁ ବେଳାଭୂମି ଭିତରକୁ ନେଇ ଯାଇଗଲୁ । ସେଠାରେ ବାଜପେୟୀ ଜୀ ପାଖାପାଖି ୪୫ରୁ ୫୦ ମିନିଟ୍ ବେଳାଭୂମିରେ ବସି ରହିଲେ । ପୁରା ଚୁପଚାପ୍ ବସି କ’ଣ ଭାବୁଥିଲେ କେଜାଣି କିଛି ବୁଝା ପଡୁନଥିଲା । ରାତି ପ୍ରାୟ ୯ଟା ହେବ ସେ ଗାଡିକୁ ଫେରିଲେ । ହେଲେ ଗାଡି ଷ୍ଟାର୍ଟ ହେଲା କିନ୍ତୁ ବାଲି ଭିତରେ ଚକ ଦବିଗଲା । ଚକ ଫସିଯିବାରୁ ଆଉ ବାଲିରୁ କାର ବାହାରି ପାରିଲାନି । କାରକୁ ଧକ୍କା ମାରିବା ପାଇଁ ଚାଳକକୁ କହି ବାଜପେୟୀ ଜୀ ନିଜେ ଗାଡିରୁ ଓହ୍ଲାଇ ଆସିଲେ । ଆମ ସହ ମିଶି କାରକୁ ପଛରୁ ଧକ୍କା ମାରିଥିଲେ । କିନ୍ତୁ କାର ବାହାରି ପାରିନଥିଲା । ଶେଷରେ ପୁରୀର ସମସ୍ତ ନେତାମାନେ ଖବର ପାଇଥିଲେ । ବିଳମ୍ବିତ ରାତିରେ ମ୍ୟୁନିସିପାଲିଟି ଟ୍ରାକ୍ଟର ସହାୟତାରେ ଗାଡିକୁ ବାହାର କରାଗଲା ।

ପୁରୀରୁ ଫେରିବା ପରେ ସେଦିନ ରାତିରେ ବାଜପେୟୀ ଜୀ ରାଜ୍ୟ ଅତିଥି ଭବନରେ ସମୟ ଅତିବାହିତ କରିଥିଲେ । ସକାଳୁ ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲୁ । ସେଠାରେ ଦେଖିଲି ବାଥ୍-ରୁମ କବାଟ ଖୋଲା ଅଛି. ନିଜ ଲୁଗା ସଫା କରିବାରେ ବ୍ୟସ୍ତ ବାଜପେୟୀ । ସହାୟତା କରିବାକୁ କହିବାରୁ ମନାକଲେ ବାଜପେୟୀ ଜୀ । କହିଥିଲେ ଯେ, ମୋ ପୋଷାକ ମୁଁ ନିଜେ ସଫା କରିବି । ଏହାପେର ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ବାହାରିଥିଲେ । ହେଲେ ଗାଡି ଆସିବାକୁ ବିଳମ୍ବ ହେବାରୁ ମୋ ସ୍କୁଟର ପଛ ପଟେ ବସି କହିଲେ ସଭାସ୍ଥଳକୁ ଚାଲ । ଏତେ ବଡ ନେତା ସ୍କୁଟରରେ କେମିତି ଯିବେ ? ଏକଥା ମୋତେ ହତବାକ୍ କରିଥିଲା । ହେଲେ କିଛି ବାଟ ଆସିବା ପରେ କାର୍ ଆମ ପାଖରେ ପହଁଚିଥିଲା । ଏବଂ ସେ କାର୍ ରେ ଚାଲିଗଲେ । ତାଙ୍କ ପରି ସରଳ ଜୀବନ ବିତାଉଥିବା ନେତା ଆଜି ପର୍ଯ୍ୟନ୍ତ ମୁଁ ଦେଖି ନାହିଁ । ସେ ଜଣେ ଦିବଙ୍ଗତ ଏବଂ ସାଧାରଣ ବ୍ୟକ୍ତିତ୍ୱଧାରୀ ନେତା ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଏଭଳି କିଛି ଘଟଣାକୁ ସୃତି ଚାରଣ କରି ମନେ ପକାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।