ରାଜ୍ୟର ୯୬୬ଟି ସ୍କୁଲରେ ପଡିବ ତାଲା: ସୂଚନା ଦେଲା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ, କେଉଁ ଜିଲ୍ଲାରେ କେତେ ସ୍କୁଲ ବନ୍ଦ ହେବ ଆସିଲା ତାଲିକା

ରାୟଗଡା ଜିଲ୍ଲାରୁ ବନ୍ଦ ହେବ ସର୍ବାଧିକ ୧୩୯ଟି ସ୍କୁଲ

1,174

କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ୯୬୬ ଟି ପ୍ରାଥମିକ ସ୍କୁଲ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ ରାଜ୍ୟର ରାୟଗଡା ଜିଲ୍ଲାରୁ ବନ୍ଦ ହେବ ସର୍ବାଧିକ ୧୩୯ଟି ସ୍କୁଲ ବନ୍ଦ ହେବ । କୋରାପୁଟରେ ୯୩, ଅନୁଗୁଳରେ ୬୪, କନ୍ଧମାଳରେ ୬୦, ଗଂଜାମରେ ୬୦, ମୟୂରଭଂଜରେ ୫୩, ବଲାଙ୍ଗିର ଓ ସୁନ୍ଦରଗଡରେ ୪୪ଟି ପ୍ରାଥମିକ ସ୍କୁଲ ବନ୍ଦ ହେବ ।

ସେହିପରି କଳାହାଣ୍ଡିରେ ୩୯, ସଂବଲପୁରରେ ୩୪, ଯାଜପୁରରେ ୩୨ ଓ ଗଜପତି ଜିଲ୍ଲାରେ ବନ୍ଦ ହେବ ୩୩ଟି ସ୍କୁଲ । କଟକ ଓ କେନ୍ଦ୍ରାପଡାରେ ୨୭ଟି ସ୍କୁଲରେ ପଡିବ ତାଲା । ସୋନପୁରରେ ୨୪,ବରଗଡ , ଜଗତସିଂହପୁର ଓ ଢେଙ୍କାନାଳରେ ୧୯ ଟି ସ୍କୁଲ ବନ୍ଦ ହେବ । ନୂଆପଡା ଓ ବୌଦ୍ଧରେ ୧୮, ମାଲକାନଗିରିର ୧୭, ପୁରୀରେ ୧୬, ଦେବଗଡରେ ୧୨ଟି ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କାରଣରୁ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ହେବ । ଏହି ପରି ରାଜ୍ୟର ୯୬୬ଟି ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ ହେବ । ତେବେ ଏହି ବନ୍ଦ ହେଉଥିବା ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୋଟିଏ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲ ଗୁଡିକୁ ସ୍ଥାନାନ୍ତର କରାଯିବ ।

ସ୍ଥାନାନ୍ତର ହେଉଥିବା ଛାତ୍ରଛାତ୍ରୀଙ୍କୁ ଗସ୍ତ ଖର୍ଚ ଦେବେ ବୋଲି ସରକାର ଆଗରୁ ଘୋଷଣା କରିଛନ୍ତି । ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬୦୦ ଓ ୧୦ ମାସକୁ ମିଳିବ ୬ ହଜାର ଟଙ୍କା । ୫୦ ରୁ ୭୪ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୪୦୦ ଟଙ୍କା ଓ ୧୦ ମାସକୁ ମିଳିବ ୪ ହଜାର ଟଙ୍କା । ୩୦ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ୧୦ ମାସକୁ ମିଳିବ ୩ ହଜାର ଟଙ୍କା । ତେବେ ୩୦ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ କିଛି ଗସ୍ତ ଖର୍ଚ୍ଚ ମିଳିବନି ।