‘ଫୋନି’ ଗଲାପରେ ଅନ୍ଧାରରେ ଟ୍ୱିନସିଟି । ଏବେସୁଦ୍ଧା କେଉଁଠାରେ କେତେ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ହୋଇଛି, ତଥ୍ୟ ଦେଲେ ବରିଷ୍ଠ ସେସୁ ଅଧିକାରୀ ।

278

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ଗଲାପରେ ଅନ୍ଧକାରରେ ଜୀବନଯାପନ କରୁଛନ୍ତି ପୁରୀ, ଭୁବନେଶ୍ୱର ଓ କଟକବାସୀ । ଆଉ ଭୟଙ୍କର ବାତ୍ୟାରେ ପୁରୀ ଓ ଭୁବନେଶ୍ୱରରେ ଉପୁଡ଼ି ପଡ଼ିଛି ୧ଲକ୍ଷ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟି । ଯାହାଫଳରେ ବିଦ୍ୟୁତ୍ ସେବା ଏପ୍ରକାର ଠପ୍ ହୋଇ ପଡ଼ିଛି । ତେବେ ଏହି ପ୍ରମୁଖ ସ୍ଥାନରେ ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ ବିଦ୍ୟୁତ୍ ସଂଯୋଗୀକରଣ କରାଯାଇଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି, ସେସୁ ଏସଜିଏମ୍ ସୁବ୍ରତ ମିଶ୍ର । କହିଛନ୍ତି କି, ଭୁବନେଶ୍ୱରରେ ଏବେ ସୁଦ୍ଧା ୧୫ ପ୍ରତିଶତ ବିଦ୍ୟୁତ୍ ମରାମତି କାମ ହୋଇଛି । ଆଜି ସୁଦ୍ଧା ଭୁବନେଶ୍ୱରରେ ୨୫ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରିବାକୁ ଲକ୍ଷ୍ୟ ରହିଛି ।

ସେହିଭଳି କଟକରେ ମଧ୍ୟ ଭୁବନେଶ୍ୱର ଭଳି ସ୍ଥିତି ରହିଛି । ତେଣୁ ସେଠାରେ ମଧ୍ୟ ଆଜି ସୁଦ୍ଧା ୨୫ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କଟର ବିଭିନ୍ନ ଜରୁରୀକାଳୀନ ସ୍ଥାନ ଯଥା, ଶିଶୁଭବନ, ପାଣି ପମ୍ପିଙ୍ଗ୍ ଷ୍ଟେସନ୍ ଏବଂ ଏସସିବି ମେଡ଼ିକାଲ ଭଳି ସ୍ଥାନରେ ବିଦ୍ୟୁତ୍ ଯୋଗାଣ ଚାଲୁ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଡାଇରେକ୍ଟ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇନାହିଁ । କାରଣ ଏବେ ସୁଦ୍ଧା ଏଲ.ଟି ଲାଇନ୍ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ତେଣୁ କୌଣସି ଉଭୋକ୍ତା ଉପକୃତ ହୋଇପାରିବେ ନାହିଁ ବୋଲି କହିଛନ୍ତି ସୁବ୍ରତ ମିଶ୍ର ।

ଅନ୍ୟପଟେ ଭୁବନେଶ୍ୱରର ବିଭିନ୍ନ ସର୍ଭିସ୍ ସ୍ଥାନ ଯଥା- ବିଏସଏନଏଲ, ଦୂରଦର୍ଶନ ଭଳି ସ୍ଥାନ ଗୁଡ଼ିକରେ ବିଦ୍ୟୁତ୍ ସେବା ଆଜି ସୁଦ୍ଧା ହୋଇଯିବ । ତେବେ ବିନା ବିଜୁଳୀରେ ମୋବାଇଲ ସେବା ବାଧାପ୍ରାପ୍ତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛୀନ୍ନ ହୋଇପଡ଼ିଛି । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଟ୍ୱିନସିଟିବାସୀ । କାରଣ ଗତ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ପୁରୀରେ ତାଣ୍ଡବଲୀଳା କରିବା ପରେ ଭୁବନେଶ୍ୱର ଓ ପରେ କଟକ ସହରକୁ ନିଜ କବଳକୁ ନେଇଯାଇଥିଲା । ଫଳରେ କେଉଁଠି ଭାଙ୍ଗି ପଡ଼ିଛି ଗଛ ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟି ମାଟି କାମୁଡ଼ି ପଡ଼ିଛି । ଯାହାଦ୍ୱାରା ପୁରୀ ସମେତ ଭୁବନେଶ୍ୱର ଓ କଟରେ ବଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ।