ବୁଲବୁଲ ପରେ ‘ଦୟା’ ଦାଉ: ପୋକ ଲାଗି ଏକର ଏକର ଫସଲ ନଷ୍ଟ ହେବା ପରେ ଚାଷୀ ମୁଣ୍ଡରେ ଚଡକ । କେମିତି ସୁଝିବେ ଋଣ ? ରାତି ପାହିଲେ ଘାରୁଛି ଚିନ୍ତା

ବୁଲବୁଲ ଦରଜ ନକମୁଣୁ ଏବେ ଦୁଃଖ ପରେ ଦୁଃଖ ଦେଇଚାଲିଛି ଦୟା ପୋକ । ଏକର ଏକର ଜମିରେ ପୋକ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏବେ ଚାଷୀ ମୁଣ୍ଡରେ ପଡିଛି ଚଡକ

310

କନକ ବ୍ୟୁରୋ: ବୁଲବୁଲ ପରେ ଦାଉ ସାଜିଲା ‘ଦୟା’ । ଚାଷୀକୁ କଲବଲ କରି ମାରୁଛି ଦୟା ପୋକ । ଯେଉଁ ସମୟରେ ଚାଷୀ ବିଲରୁ ଧାନ ଅମଳ କରି ଘରକୁ ନେବା କଥା ସେହି ସମୟରେ ଚାଷୀର କମରକୁ ବାଡେଇଥିଲା ବୁଲୁବୁଲ । ଆଉ ବୁଲବୁଲ ଦରଜ ନକମୁଣୁ ଏବେ ଦୁଃଖ ପରେ ଦୁଃଖ ଦେଇଚାଲିଛି ଦୟା ପୋକ । ଏକର ଏକର ଜମିରେ ପୋକ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏବେ ଚାଷୀ ମୁଣ୍ଡରେ ପଡିଛି ଚଡକ ।

ଦୟା ପୋକ ଯୋଗୁଁ କେନ୍ଦ୍ରାପଡା ରାଜକନିକା ବ୍ଲକ ବାରାହାଦୋମଣ୍ଡା ପଞ୍ଚାୟତର ୪ଟି ଗାଁର ଚାଷ ଛାରଖାର ହୋଇଛି । କନପୁର, ମାନପୁର, ବାରାହାଦୋମଣ୍ଡା ଓ ଗୁଣ୍ଠଳ ଭଳି ୪ଟି ଗାଁରେ ପ୍ରାୟ ୫୦୦ ଏକର ଜମିରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଯେଉଁଥିପାଇଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବାତ୍ୟା ବୁଲବୁଲ ପରେ ଯାହା କିଛି ରହି ଯାଇଥିଲା ସେଥିରେ ବର୍ଷେ ଯାଏଁ କଷ୍ଟେମଷ୍ଟେ ଚଳିଯିବ ବୋଲି ଭାବିଥିଲା ଚାଷୀ । ହେଲେ ଦୟା ପୋକ ଲାଗିବା ପରେ ଚାଷୀର ମେରୁଦଣ୍ଡ ପୂରା ଭାଙ୍ଗି ଯାଇଛି ।

ଜମିରେ ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ଜଳିଯାଇଛି । ଆଉ ଜଳିଯାଇଥିବା ସେହି ନଷ୍ଟ ଫସଲକୁ ଧରି ଭବିଷ୍ୟତ କଥା ଭାବୁଛି ଚାଷୀ । ବର୍ଷେ ପର୍ଯ୍ୟନ୍ତ କେମିତି ଚଳିବ ଆଉ କରିଥିବା କରଜ କେମିତି ସୁଝିବ ସେ କଥା ଭାବିବା ସହ ସରକାରୀ ସହାୟତାକୁ ଅନାଇ ବସିଛି । ତେବେ ଯଦି ସରକାରଙ୍କ ପକ୍ଷରୁ କୌଣସି ସହାୟତା ନମିଳେ ତେବେ ଚାଷୀମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଏଭଳି ସ୍ଥିତିରେ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି କୃଷି ଅଧିକାରୀ କହିଛନ୍ତି ।