ବିମାନବନ୍ଦର ନାଁ ବଦଳିଲା ପରେ ଚର୍ଚ୍ଚା : କିଏ ନେବ ଶ୍ରେୟ, ‘ହାତ’ ଛାଡ଼ି ଶଙ୍ଖ ଧରିବେ କି ଝାରସୁଗୁଡ଼ା କଂଗ୍ରେସ ବିଧାୟକ !

ଖଟିରେ ଚର୍ଚ୍ଚା ୨୦୧୯ ନିର୍ବାଚନ ପୂର୍ବରୁ ହାତ ଛାଡ଼ି ଶଙ୍ଖ ଧରି ପାରନ୍ତି କଂଗ୍ରେସ ବିଧାୟକ । ବିମାନବନ୍ଦର ନାମକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ କେନ୍ଦ୍ରକୁ ଦାବି କରିବାକୁ ଅନୁରୋଧ କରିଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ ।

355

କନକ ବ୍ୟୁରୋ: ଗତ ୧ ତାରିଖ ଦିନ କେନ୍ଦ୍ର କ୍ୟାବିନେଟର ମୋହର ବାଜିବା ପରେ ଝାରସୁଗୁଡ଼ା ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ନାମିତ କରାଗଲା । ଆଉ ବିମାନବନ୍ଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ । ବାସ୍ ଏହାପରେ ତ ଚର୍ଚ୍ଚା ଥମିବାର ନାଁ ନେଉନି । ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଟ୍ୱିଟରରେ ଖୁସି ଜାହିର କଲେ , ହେଲେ ପ୍ରକୃତରେ ଏହାର ଶ୍ରେୟ କିଏ ନେବ ଏବଂ ‘ଶ୍ରେୟ’ର ଲଢ଼େଇରେ କାହାର ଫାଇଦା, ତାକୁ ନେଇ ଏବେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଯାଏଁ ଚା’ ଖଟିରେ ଚର୍ଚ୍ଚା ଜୋର ଧରିଛି ।

ଶୁଣିବାକୁ ମିଳୁଛି, ଯେଉଁ ଘୋଷଣା ପୂରଣ କରିବା ପାଇଁ ଦୀର୍ଘ ଦିନ ଲାଗିଗଲା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଚିଠିରେ ତାହାକୁ ଅନୁମୋଦନ କରିଦେଲେ କେନ୍ଦ୍ର ସରକାର । ତେବେ ଗତ ୨୭ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ା ବିମାନବନ୍ଦର ପ୍ରସଙ୍ଗ ନେଇ ସାକ୍ଷାତ କରିଥିଲେ । ଏହାର ଠିକ୍ ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ଖଟିରେ ଚର୍ଚ୍ଚା ଜୋର ଧରିଛି ଯେ, ନିର୍ବାଚନ ପୂର୍ବରୁ ଉପପୂଳ ଓଡ଼ିଶାର ନେତାଙ୍କୁ ଶଙ୍ଖ ଫୁଙ୍ଖାଇବା ପାଇଁ ସଜବାଜ ହୋଇ ବସିଛନ୍ତି ନବୀନ । ଆଉ ଏହାର ଶୁଭ ମହୁରତ କୁଆଡ଼େ କଂଗ୍ରେସର ଟାଣୁଆ ନେତା  ନବ କିଶୋର ଦାସଙ୍କ ଠାରୁ ହିଁ ଆରମ୍ଭ ହେବ ବୋଲି ଖଟିରେ ଶୁଣିବାକୁ ମିଳୁଛି ।

ତା’ମାନେ କ’ଣ ହାତ ଛାଡ଼ି ଶଙ୍ଖ ଧରିବେ କି ନବ ? ଏହା କିଛି ଅସମ୍ଭବ ବି ନୁହେଁ ଯେମିତି କଂଗ୍ରେସ ଦଳ ଭିତରେ କନ୍ଦଳ ରହିଛି ଏଭଳି ସମୀକରଣ କିଛି ଅସମ୍ଭବ ବି ନୁହେଁ । ସବୁଠାରୁ ବଡ଼ କଥା ହେଲା ଯେ ଗତ କିଛି ମାସ ତଳେ ସମ୍ବଲପୁର ଇବ୍ ନଦୀ ଉପରେ ସେତୁ ନିର୍ମାଣ ସମାରୋହରେ ନବୀନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ କଂଗ୍ରେସ ବିଧାୟକ ନବ ଦାସ । ଏବଂ ଶଙ୍ଖ ଧରିବାକୁ ମଧ୍ୟ ବୁଲେଇ ବଙ୍କାଇ ଇସାରା ଦେଇ କହିଥିଲେ ଯେ, ଝାରସୁଗୁଡ଼ବାସୀ ଯାହା ନିଷ୍ପତି ନେବେ ସେ ତାକୁ ପାଳନ କରିବେ  । ତେବେ ଏହା ଦର୍ଶାଉଛି ଯେ ନିର୍ବାଚନୀ ଋତୁରେ ବିଭିନ୍ନ ଦଳରେ ଅଦଳ ବଦଳ ହେବା ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ କଂଗ୍ରେସ ବିଧାୟକଙ୍କୁ ଲାଗୁଛି ଶଙ୍ଖ ଧରିବାକୁ ଯେମିତି ଗୋଡ଼ କାଢ଼ି ବସିଛନ୍ତି ଆଉ ଅପେକ୍ଷା ଶୁଭ ମହୁରତକୁ । ଏହାରି ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦର ନାମକୁ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରିବାକୁ ୧ ମାସ ପର୍ଯ୍ୟନ୍ତ ଡେଡ ଲାଇନ୍ ଦେଇଥିଲେ ନବ ଦାସ ଏବଂ ଏହାର ତତକ୍ଷଣାତ ପରେ ମିଳିଲା ସ୍ୱୀକୃତି । ଯାହାକୁ ନେଇ ଏବେ ଝାରସୁଗୁଡ଼ାର ଗେହ୍ଲାପୁଅ ନବ ଦାସଙ୍କୁ ନେଇ ଶ୍ରେୟ ଦିଆଯାଉଥିବା ଖଟିରେ ଚର୍ଚ୍ଚା ହେଉଛି ।