ପ୍ରତିଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ବିଦେଶ ଗସ୍ତରେ ଯାଇଥାନ୍ତି ନରେନ୍ଦ୍ର ମୋଦି

29

କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ଏବଂ ଶପଥଗ୍ରହଣ ପରେ ଚୀନ୍ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର ଜିଆମେନ୍ ସହରରେ ଆରମ୍ଭ ହେଉଥିବା ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ଯାତ୍ରା କରିଛନ୍ତି ମୋଦି । ଆଜି ହୋଇଥିବା ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମୋଦିଙ୍କ ଏହି ଟିମରେ ୯ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି । ସେହିଭଳି ୪ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ତେବେ ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ସଙ୍ଗେ ସଙ୍ଗେ ମୋଦି ଚୀନ୍ ଓ ମିଆଁମାର ଅଭିମୁଖେ ଯାତ୍ରା କରିଛନ୍ତି । ପୂର୍ବରୁ ମଧ୍ୟ କ୍ୟାବିନେଟ ଅଦଳବଦଳ କରିବା ସହ ମୋଦି ବିଦେଶ ଯାତ୍ରା କରିଥିବାର ନଜିର ରହିଛି । ତେବେ ଆଜି ପୁଣିଥରେ ଏହାର ପୂନରାବୃତ୍ତି ଦେଖିବାକୁ ମିଳିଛି ।

୨୦୧୪ରେ ମୋଦି ଶାସନଭାର ହାତକୁ ନେବା ପରେ ୯ ନଭେମ୍ବର ୨୦୧୪ରେ ପ୍ରଥମଥର ପାଇଁ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିଥିଲେ । ମନ୍ତ୍ରୀମଣ୍ଡଳ ବଦଳିବା ସଙ୍ଗେ ସଙ୍ଗେ ୧୦ ଦିନିଆ ମିଆଁମାର,ଫିଜି ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ ମୋଦି । ଏହାପରେ ୫ ଜୁଲାଇ ୨୦୧୬ରେ ଦ୍ୱିତୀୟ ଥର ପାଇଁ ମୋଦିଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ହୋଇଥିଲା । ଦ୍ୱିତୀୟ ଥର ହୋଇଥିବା ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଅନେକ ନୂଆଁ ମୁହଁକୁ ସାମିଲ କରାଯାଇଥିଲା । ଦ୍ୱିତୀୟ ଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ୬ ଦିନିଆ ଆଫ୍ରିକା ଗସ୍ତରେ ବାହାରି ଯାଇଥିଲେ ମୋଦି । ଏହି ଗସ୍ତରେ ସେ ୪ଟି ଆଫ୍ରିକୀୟ ରାଷ୍ଟ୍ର ପରିଭ୍ରମଣ କରିଥିଲେ ।

ଆଉ ଆଜି ତୃତୀୟ ଥର ପାଇଁ ହୋଇଛି ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ହୁଏତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦିଙ୍କ ଶେଷ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ତେବେ ଆଜି ମନ୍ତ୍ରୀମଣ୍ଡଳ ସଂପ୍ରସାରଣର କିଛି ସମୟ ପରେ ମୋଦି ୯ମ ବ୍ରିକ୍ସ ସମ୍ମିଳନୀ ଉପଲକ୍ଷେ ଚୀନ୍ ଗସ୍ତ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ମୋଦି ମିଆଁମାର ଯାତ୍ରା କରିବେ । ପାଞ୍ଚଦିନିଆ ଗସ୍ତରେ ମୋଦି ଉଭୟ ଚୀନ୍ ଓ ମିଆଁମାର ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି ।

କେବଳ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନୁହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଘୋଷଣା କରିବା ପରେ ମଧ୍ୟ ମୋଦି ବିଦେଶ ଯାତ୍ରା କରିଛନ୍ତି । ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ ଘୋଷଣା କରିବା ପରେ ମୋଦି ବିଦେଶ ଯାତ୍ରା କରିଥିବାର ନଜିର ରହିଛି । ୮ ଡିସେମ୍ବର ୨୦୧୬ ରାତି ୮ଟାରେ ମୋଦି ଦେଶରେ ନୋଟବନ୍ଦୀର ଘୋଷଣା କରିବା ପରେ ଦୁଇଦିନିଆ ଜାପାନ ଗସ୍ତରେ ଯାଇଥିଲେ ।

ଭାରତ ପାଇଁ ମୋଦିଙ୍କ ମିଆଁମାର ଗସ୍ତ ଗୁରୁତ୍ୱପୂର୍ଣ୍ଣ:
ଉଭୟ ଭାରତ ଓ ଚୀନ୍ ପାଇଁ ମିଆଁମାର ହେଉଛି ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର । ତେଣୁ ଉଭୟ ଭାରତ ଓ ଚୀନ୍ ମିଆଁମାରକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଛନ୍ତି । ତେଣୁ ମିଆଁମାର କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି ଉଭୟ ଦେଶ । ଏପରିକି ଦୀର୍ଘଦିନ ଧରି ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ମିଆଁମାରକୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି ଉଭୟ ଦେଶ । ତେଣୁ ଏହି ସମୟରେ ମୋଦିଙ୍କ ମିଆଁମାର ଗସ୍ତ ଭାରତକୁ କେତେ ଫାଇଦା ଦେବ ତାହା ଦେଖିବା ବାକି ରହିଲା ।