ବମିଖାଲ ପରେ କଳାହାଣ୍ଡି ! ରେତ ନଦୀବନ୍ଧ ଯୋଜନାରେ କଂକ୍ରିଟ ଭୁଷୁଡିବା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

55

କନକ ବ୍ୟୁରୋ : କଳାହାଣ୍ଡି ରେତ ନଦୀବନ୍ଧ ଯୋଜନାରେ କଂକ୍ରିଟ ଭୁଷୁଡିବା ଘଟଣାରେ ୨ଜଣଙ୍କୁ ଗିରଫ କଲା ପୁଲିସ । ସାଇଡ ଇଂଜିନିୟର ଦୁଃଶାସନ ନାୟକ ଓ ସାଇଡ ଇନଚାର୍ଜ ଉପେନ୍ଦ୍ର ମହାନନ୍ଦକୁ ଗିରଫ କରିଛି ପୁଲିସ । ଗତକାଲି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରେତ ଯୋଜନାରେ କଂକ୍ରିଟ ଭୁଷୁଡି ପଡିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିଲା । ଏଥିରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଥିଲା । ରେତ ନଦୀବନ୍ଧ ଯୋଜନା ଠିକା କାମ ଏସଏସଏଲଆଇ ନାମକ କମ୍ପାନୀ ନେଇଛି ।

ବମିଖାଲ ଫ୍ଲାଏଓଭର ଭୁଷୁଡିବା ଘଟଣାର ଦିନ କେଇଟା ବିତିନାହିଁ କଳାହାଣ୍ଡିରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିଛିଦିନ ପୁର୍ବେ ଖୋଦ୍ ରାଜଧାନୀ ଭୁବନେଶ୍ୱରର ବମିଖାଲ ଠାରେ ନିର୍ମାଣଧୀନ ଫ୍ଲାଏଓଭର ଭୁଷୁଡିବା ଘଟଣାରେ ଜଣକ ମୃତ୍ୟୁ ହେବା ପରେ ରାଜ୍ୟର ସମସ୍ତ ପୋଲ, ନଦୀବନ୍ଧ ଓ ଫ୍ଲାଏଓଭରକୁ ଉଠିଛି ପ୍ରଶ୍ନ । ଏପରିକି ଏହି ଘଟଣା ବିଧାନସଭାରେ ମଧ୍ୟ ଉଠିଥିଲା । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । କିନ୍ତୁ ଏସବୁ ଭିତରେ କଳାହାଣ୍ଡିର ଘଟଣା ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ପୂର୍ତ୍ତ ବିଭାଗ ଅଧୀନରେ ଏହି ସବୁ କାମ ହେଉଥିବାରୁ ବିଭାଗର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରାଯାଇଛି ।