ନୋଟ ଅଚଳ ପରେ ବାହାରୁଛି ପୁଳାପୁଳା କଳା ଧନ : ଅସ୍ୱାଭାବିକ ଭାବେ ଆକାଉଂଟରେ ଜମା ହେଉଛି ଟଙ୍କା

57

କନକ ବ୍ୟୁରୋ : ବଡ ନୋଟ ଅଚଳ ପରେ ବ୍ୟାଙ୍କରେ ପୁଳାପୁଳା ୫୦୦ ଓ ୧୦୦୦ ଟଙ୍କିଆ ଜମା କରୁଥିବା ଲୋକଙ୍କୁ ଆୟକର ନୋଟିସ ପଠାଇଛି । କେଉଁ ସୁତ୍ରରୁ ଏତେ ଟଙ୍କା ପାଇଛନ୍ତି, ତାହାର ପୂରା ବିବରଣୀ ଦେବାକୁ କୁହାଯାଇଛି ।

ଅନେକ ଲୋକ ସେମାନଙ୍କ ଆକାଉଂଟରେ ହଠାତ୍ ବିପୁଳ ପରିମାଣର ଟଙ୍କା ଜମା କରୁଥିବା ନେଇ ବ୍ୟାଙ୍କ କର୍ତୃପକ୍ଷ ଜଣାଇବା ପରେ ଆୟକର ବିଭାଗ ଆରମ୍ଭ କରିଛି ତନାଘନା । ଯେଉଁମାନେ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଜମା କରୁଛନ୍ତି, ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଗତ ୮ ତାରିଖରୁ ବଡ ନୋଟ ଅଚଳ ହୋଇଯିବା ପରେ ବ୍ୟାଙ୍କ ଆକାଉଂଟରେ ବଡ ଧରଣର ହେଉଥିବା କାରବାର ଉପରେ ତୀକ୍ଷଣ୍ ନଜର ରଖାଯାଇଛି । ସନ୍ଦେହ ସୃଷ୍ଟି ହେଉଥିବା ଆକାଉଂଟ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆକାଉଂଟଧାରୀଙ୍କ ଆୟକର ବିବରଣୀ ଯାଂଚ କରାଯାଉଛି ।

ସେପଟେ ଅଚଳ ଟଙ୍କାକୁ ଧଳା କରିବା ପାଇଁ ସାରା ଦେଶରେ ଅନେକ ଲୋକ ବିଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି । ସେହିପରି ଅସାଧୁ ସୁନାରୁପା, ହାୱାଲା ଅପରେଟର ଓ ରିଅଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଉଛି । ଦେଶର ଶତାଧିକ ଦାତବ୍ୟ ଓ ଧାର୍ମିକ ଅନୁଷ୍ଠାନଗୁଡିକୁ ମଧ୍ୟ ଆୟକର ବିଭାଗ ନୋଟିସ ଜାରି କରିଛି ।