ବିଜେପି ଡଙ୍ଗାରେ ବସିଲେ ବୈଜୟନ୍ତ? ବିକଳ୍ପ ରାଜନୀତିର ପରିକଳ୍ପନା କରୁଥିବା ଭେଟରାନ ନେତାଙ୍କର କଣ ହେବ ଭବିଷ୍ୟତ ।

513

କନକ ବ୍ୟୁରୋ : ବିଜେପି ଡଙ୍ଗାରେ ବୈଜୟନ୍ତ ବସିବା ପରେ ପଦ୍ମ ଶିବିର ଉତ୍ସାହିତ ହୋଇପଡିଛି । ବିଜେପିର ମିଶନ ୧୨୦କୁ ବୈଜୟନ୍ତ ବଳ ଯୋଗାଇବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛିଦିନ ହେବ ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜୋରଦାର ଆଲୋଚନା ହେଉଥିଲା । ଏପରିକି ବୈଜୟନ୍ତ କେଉଁ ଶିବିରରେ ଏଣ୍ଟ୍ରି କରିବେ ତାହାକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ରାଜ୍ୟରେ ନୂଆ ନୂଆ ସମୀକରଣ ମୁଣ୍ଡ ଟେକିଥିଲା । ପ୍ରଥମରୁ ବିଜେପିରେ ‘ଜୟ’ ଯୋଗଦେବାକୁ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ଏଥିପାଇଁ ଡିଲ୍ ହୋଇଯାଇଥିଲେ ମଧ୍ୟ କୌଣସି କାରଣକୁ ନେଇ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା । ତେବେ ଏହି ଚର୍ଚ୍ଚାରେ ଖୋଦ ବୈଜୟନ୍ତଙ୍କ ଟ୍ୱିଟ୍ ବିରାମ ଲଗାଇଥିଲା । ଏହାଛଡା କେତେବେଳେ ବିଜେଡିରୁ ବିଦା ହୋଇଥିବା ନେତାଙ୍କ ସହ ବୈଜୟନ୍ତଙ୍କୁ ନେଇ ନୂଆ ଦଳର ସମ୍ଭାବନା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା ତ ପୁଣି କେତେବେଳେ କଂଗ୍ରେସରେ ବୈଜୟନ୍ତଙ୍କ ଯୋଗଦେବା ନେଇ ଖବର ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିଲା ।

କିନ୍ତୁ ସବୁ ଚର୍ଚ୍ଚା ଓ ସମ୍ଭାବନାକୁ ପଛରେ ପକାଇ ବୈଜୟନ୍ତ ପଦ୍ମ ପୋଖରୀରେ ବୁଡ ମାରିବା ପରେ ଆଗକୁ ସେହି ଭେଟରାନ ନେତାମାନଙ୍କର କଣ ହେବ ଯେଉଁମାନେ ବୈଜୟନ୍ତଙ୍କୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣର କଥା କହୁଥିଲେ । ବିଜେଡିରୁ ବିତାଡିତ ହୋଇଥିବା ଦାମ ରାଉତ ହୁଅନ୍ତୁ ଅବା ଉକ୍ରଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁ । ତା ଛଡା ସମତା କ୍ରାନ୍ତି ଦଳର ମୁଖିଆ ବ୍ରଜ ତ୍ରିପାଠୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ବୈଜୟନ୍ତଙ୍କୁ ସାଥୀ କରି ନୂଆ ମେଣ୍ଟ ମାଧ୍ୟମରେ ବିଜେଡି ବିରୋଧରେ ଲଢିବାକୁ ସ୍ୱପ୍ନ ଦେଖିଥିଲେ ।

damaଏପରିକି ଦାମଙ୍କ ବୟାନ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଦାମ କହିଥିଲେ, ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ନେଇ ଏକ ନୂଆ ଦଳ ମାଧ୍ୟମରେ ନବୀନଙ୍କୁ ଚେକମେଟ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ଏହି ତାଲିକାରେ ବୈଜୟନ୍ତଙ୍କୁ ସାମିଲ କରି ରାଜ୍ୟ ରାଜନୀତିରେ ନୂଆ ସମୀକରଣର କଥା କହିଥିଲେ ଦାମ । କିନ୍ତୁ ସେତେବେଳେ ବୈଜୟନ୍ତ ନିଜେ କୌଣସି ରାଜନୈତିକ ନିଷ୍ପତି ନେଲେ ଜଣାଇବେ ବୋଲି କହିବା ପରେ ଦାମଙ୍କ ମୁହଁ ତୁନି ପଡିଥିଲା ।

ତେବେ ନବୀନ ବିରୋଧୀ ଲଢେଇ ଆରମ୍ଭ ପୂର୍ବରୁ ଏହି ଶିବିରରୁ ବାହାରି ଯାଇ କଂଗ୍ରେସର ହାତ ଧରିନେଇଥିଲେ ପଞ୍ଚାନନ କାନୁନଗୋ । କିନ୍ତୁ ପୁଣିଥରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ପରିକଳ୍ପନା କରିଥିଲେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ବୈଜୟନ୍ତ, ଦାମ, ବ୍ରଜଙ୍କୁ ନେଇ ନୂଆ ମେଣ୍ଟର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ ଖାରବେଳ । ଏହି ମେଣ୍ଟ ମାଧ୍ୟମରେ ପୁଣିଥରେ ରାଜନୈତିକ ଜୀବନ୍ୟାସ ପାଇବାକୁ ଉଦ୍ୟମ କରି ଆସୁଥିଲେ ଖାରବେଳ । ସେତେବେଳେ ନବୀନ ବିରୋଧୀ ଏହି ମେଣ୍ଟକୁ ନେଇ ମୁହଁ ଖୋଲିନଥିଲେ ବୈଜୟନ୍ତ ।

ଏପରିକି ନିଜର ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଗୋଟିଏ ବର୍ଷ ଚୁପ ରହିବା ପରେ ବୈଜୟନ୍ତ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ପରେ ଏହି ଖବର ୟୁଟର୍ଣ୍ଣ ମାରିବା ସହ ବୈଜୟନ୍ତ କଂଗ୍ରେସ ସମର୍ଥନରେ ସ୍ୱାଧୀନ ଲଢିପାରନ୍ତି ବୋଲି ଖବର ସାମ୍ନାକୁ ଆସିଲା ।

baijayantଏଭଳି ରାଜନୈତିକ ଚର୍ଚ୍ଚା ଭିତରେ ଖାରବେଳଙ୍କ ମେଣ୍ଟ ପରିକଳ୍ପନାର ଠିକ୍ ଦୁଇ ମାସ ପରେ ବିଜେପିରେ ସାମିଲ ହୋଇଛନ୍ତି ବୈଜୟନ୍ତ । ତେବେ ବୈଜୟନ୍ତଙ୍କ ଯୋଗାଦାନ ବିଜେପିକୁ ଯେତିକି ଖୁସି କରିଛି ତା ଠାରୁ ଅଧିକ ଦୁଃଖୀ କରିଛି ନବୀନ ବିରୋଧୀ ମେଣ୍ଟ ପରିକଳ୍ପନା କରୁଥିବା ନେତାଙ୍କୁ । କାରଣ ବିଜେପିରେ ବୈଜୟନ୍ତ ନିଜ ପାଇଁ ସୁରକ୍ଷିତ ଆସନ ଧରିନେବା ପରେ ଏବେ ଏହି ଭେଟରାନ ରାଜନେତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏଭଳି ସ୍ଥିତିରେ ନବୀନଙ୍କୁ ସାମ୍ନା କରିବାକୁ ଯେଉଁ ମେଣ୍ଟର ପରିକଳ୍ପନା କରାଯାଇଥିଲା ତାହାର ଗତି କୁଆଡେ । ଶୀତଳଭଣ୍ଡାର ମଧ୍ୟକୁ ଠେଲି ହୋଇ ଯିବ କି ଏହି ମେଣ୍ଟର ନୀଳ ନକ୍ସା ।

ତେବେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ନେଇ ବିଜେଡି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବେଇମାନ ଆଖ୍ୟା ଦେଇଛନ୍ତି । ବିଜେଡିରୁ ଦୁଇ ଥର ଲେଖାଏଁ ଲୋକସଭା ଓ ରାଜ୍ୟସଭା ଯାଇଥିଲେ ମଧ୍ୟ ଦଳ ବିରୋଧରେ ଲଗାତାର ଷଡଯନ୍ତ୍ର କରୁଥିଲେ, ଏପରିକି ଏଥିପାଇଁ ବିଜେପି ସହ ହାତମିଳାଇଥିଲେ ବୋଲି କହିଛନ୍ତି ପ୍ରତାପ । ଏଭଳି କରି ବିଜୁ ଜନତା ଦଳ ଓ ଓଡିଶାବାସୀଙ୍କ ସହ ବୈଜୟନ୍ତ ଷଡଯନ୍ତ୍ର କରିଛନ୍ତି ଯାହାର ଜବାବ ତାଙ୍କୁ ଆଗାମୀ ଦିନରେ ମିଳିବ । ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ବିଜେଡି କିମ୍ବା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ପ୍ରତାପ ।