ରାମ ମନ୍ଦିର ନିର୍ମାଣକୁ ନେଇ ଅଯୋଧ୍ୟା ପରେ ଏବେ ମହାରାଷ୍ଟ୍ରରେ ଶିବସେନାର ଧର୍ମସଭା ! ୩ ଲକ୍ଷ ଲୋକ ହୋଇପାରନ୍ତି ସାମିଲ୍ ।

68

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିନକୁ ଦିନ ଯେତିକି ବିବାଦ ଘେରକୁ ଯାଉଛି, ସେତିକି ସେତିକି ଏହି ବିବାଦ ରାଜନୀତିରେ ନୂଆ ରଙ୍ଗ ଲଗାଉଛି । ଆଉ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ଆରମ୍ଭ ହୋଇଯାଉଛି ନେତାଙ୍କ ବୟାନବାଜି । ରାମ ମନ୍ଦିର ନିର୍ମାଣକୁ ନେଇ ଗତ ମାସ ଅଯୋଧ୍ୟରେ ଏକ ବଡ ରାଲି କରିଥିଲେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ । ତେବେ ପୁଣି ଏହି ପ୍ରସଙ୍ଗରେ ଶିବସେନା ନିଜ ସ୍ୱର ଉଠାଇବା ନେଇ ସ୍ପଷ୍ଟ କରିଛି । ମହାରାଷ୍ଟ୍ରର ପଂଢରପୁରଠାରେ ଏକ ବିଶାଳ ଧର୍ମସଭାର ଆୟୋଜନ କରିବ ଶିବସେନା ।

ସେନାର ବରିଷ୍ଠ ଅଧିକାରଙ୍କ କହିବା ଅନୁଯାୟୀ, ଅଯୋଧ୍ୟରେ ଆୟୋଜନ ହୋଇଥିବା ଧର୍ମସଭାରେ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଡକାଯାଇନଥିଲା । କିନ୍ତୁ ମହାରାଷ୍ଟ୍ରରେ ସମଗ୍ର ରାଜ୍ୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଏଥିରେ ଯୋଗଦାନ କରିବେ । ଶିବସେନା ପକ୍ଷରୁ କୁହାଯାଇଛି ଯେ, ଏହି ଧର୍ମସଭାରେ ପାଖାପାଖି ୩ ଲକ୍ଷ ଲୋକଙ୍କର ସମାଗମ ହେବ । ତେବେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ସେନା ପାଇଁ କୌଣସି ରାଜନୈତିକ ମୁଦ୍ଦା ନୁହେଁ । ଅଯୋଧ୍ୟାରେ ଧର୍ମସଭା ପରେ କାର୍ଯ୍ୟକର୍ତ୍ତାଙ୍କ ମନରେ ଅନେକ ଉତ୍ସାହ ଭରି ହୋଇରହିଛି । କିନ୍ତୁ ଏହି ଧର୍ମସଭା, ଉଦ୍ଧବଲ ଠାକରେ ନିଜ ରାଜନୈତିକ ଶକ୍ତି ଦେଖାଇବା ପାଇଁ ପ୍ରୟାସ କରୁଥିବା ଅନେକାଂଶରେ ଚର୍ଚ୍ଚା ହେଉଛି ।