୧୯୭୫ କଳା କାହାଣୀକୁ ପୂରିଲା ୪୪ ବର୍ଷ । କାହିଁକି ଓ କେମିତି ସ୍ୱାଧିନତା ଉପରେ ରାତରାତି ଲାଗିଥିଲା ଅଙ୍କୁଶ, ପଢ଼ନ୍ତୁ ପୂରା ରିପୋର୍ଟ ।
ଯାହାଫଳରେ ଦେଶରେ ୧୯୭୫ ଜୁନ୍ ୨୫ଠାରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ୨୧ ମାସ ଧରି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା ।
କନକ ବ୍ୟୁରୋ: ଭାରତ ଇତିହାସର କଳା ଦିବସ ଅର୍ଥାତ୍ ଜରୁରୀକାଳୀନ ପରିସ୍ଥିତିକୁ ଆଜିକୁ ପୂରିଲା ୪୪ ବର୍ଷ । ୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟବରେଲୀ ଲୋସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ । ରାୟ ପ୍ରକାଶର ୧୧ ଦିନ ପରେ ଜୁନ୍ ୨୩ରେ ଇନ୍ଦିରା ସୁପ୍ରିମ୍କୋର୍ଟରେ ଏହାକୁ ଚ୍ୟାଲେଞ୍ଜ୍ କରିଥିଲେ । ଏହାର ବିଚାର କରି ସୁପ୍ରିମ୍କୋର୍ଟ ବିଚାରପତି ବି.ଆର୍. କୃଷ୍ଣ ଆୟାର ପ୍ରଧାନମନ୍ତ୍ରୀ ପଦରେ ଇନ୍ଦିରାଙ୍କୁ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟକୁ ଖାରଜ କରି ନ ଥିଲେ। ଜୁନ୍ ୨୫ ମଧ୍ୟରାତ୍ରରୁ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ସାମ୍ବିଧାନିକ ଧାରା ୩୫୨ ଅନୁସାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । ଆଉ ରାତାରାତି ସମ୍ବିଧାନର ସମସ୍ତ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଅଙ୍କୁଶ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦୀନଙ୍କ ଏଭଳି ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଜୟ ପ୍ରକାଶ ନାରାୟଣଙ୍କ ସୁଦୃଢ଼ ରାଜନୈତିକ ସ୍ଥିତି, ଗୁଜରାଟ ଓ ବିହାର ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ନିଜର ପଦବୀ ସୁରକ୍ଷିତ ରଖିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ୍ କରିଥିଲେ । ଯାହାଫଳରେ ଦେଶରେ ୧୯୭୫ ଜୁନ୍ ୨୫ଠାରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ୨୧ ମାସ ଧରି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା । ଜରୁରୀକାଳୀନ ସ୍ଥିତି ଜାରି ପରେ ଜୟପ୍ରକାଶ, ଲାଲକୃଷ୍ଣ ଆଡଭାନୀ, ଅଟଳବିହାରୀ ବାଜପେୟୀ, ଅଶୋକ ମେହେଟ୍ଟା, ମୋରାରଜୀ ଦେଶାଇ ଆଦି ନେତାଙ୍କୁ ଗିରଫ କରାଯାଇଥିଲା।
ଜରୁରୀକାଳୀନ ପରିସ୍ଥିତିର କଳା ଇତିହାସ ଫଳରେ ଶହ ଶହ ଦେଶଭକ୍ତଙ୍କ ବଳିଦାନ, ବର୍ଷ ବର୍ଷର ସଂଗ୍ରାମ ପରେ କଷ୍ଟଲବ୍ଧ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଗ୍ରହଣ । ରାତାରାତି ସମ୍ବିଧରନ ପ୍ରଦତ୍ତ ସବୁ ପ୍ରକାର ସ୍ୱାଧୀନତା, ପ୍ରେସ ସ୍ୱାଧୀନତା ଉପରେ ଲାଗିଥିଲା ଅଂକୁଶ । ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ସବୁଆଡେ ନୀରବତା ଛାଇ ଯାଇଥିଲା । ଦେଶର ଶହ ଶହ ନେତା, ସାମାଜିକ କର୍ମୀ, ସାମ୍ବାଦିକ, ଟ୍ରେଡ୍ ଯୁନିୟନ ନେତାଙ୍କୁ ରାତି ଅଧରେ ଉଠାଇ ନେଇ ଜେଲର ଚାରି କାନ୍ଥ ଭିତରେ ବନ୍ଦ କରାଯାଇଥିଲା । ଖବରକାଗଜ ଅଫିସରେ ବିଦ୍ୟୁତ କାଟି ଦିଆଯାଇଥିଲା । ଖବରକାଗଜ ସଂସ୍ଥାକୁ ନିୟନ୍ତ୍ରଣ ନେଇଯାଇଥିଲେ ସରକାର ।
୧୯୭୧ରେ ଇନ୍ଦିରା ଗରିବ ହଟାଅ ସ୍ଲୋଗାନ୍ ଦେଇ ଲୋକସଭା ନିର୍ବାଚନରେ ୫୧୮ ଆସନ ମଧ୍ୟରୁ ୩୫୨ ଆସନ ହାତେଇବାକୁ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ରାୟବରେଲୀ ଆସନରୁ ତାଙ୍କ ବିଜୟକୁ ଜୟ ପ୍ରକାଶ ନାରାୟଣ ବିରୋଧ କରିବାରୁ ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଜୁନ୍ ୨୫ରେ ରାମଲୀଳା ମଇଦାନରେ ଜୟ ପ୍ରକାଶ ଏକ ସଭାରେ ଇନ୍ଦିରାଙ୍କ ଇସ୍ତଫା ଦାବି କରିଥିଲେ। ଏହାକୁ ଉପସ୍ଥିତ ଜନତା ମଧ୍ୟ ସମର୍ଥନ କରିଥିଲେ । ରାଜନୈତିକ ସ୍ଥିତି ନିଜ ସପକ୍ଷରେ ନ ଥିବା ଦେଖି ଇନ୍ଦିରା ଜରୁରୀକାଳୀନ ସ୍ଥିତି ଜାରି ଲାଗି ନିଷ୍ପତ୍ତି ନେଇଥିଲେ। ଏହାକୁ ଦେଶର ରାଜନୈତିକ କ୍ଷେତ୍ରରେ କଳା ଇତିହାସ ଭାବେ କେତେକ ଅଭିହିତ କରିଥିଲେ।