୨୦୧୧ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । ୨୮ ବର୍ଷ ପରେ ଭାରତ ହୋଇଥିଲା ବିଶ୍ୱବିଜେତା, ଦେଖନ୍ତୁ କିଭଳି ଥିଲା ସେଦିନର ସେହି ଅଭୁଲା ସ୍ମୃତି ।

505

କନକ ବ୍ୟୁରୋ : ଏପ୍ରିଲ ୨ ତାରିଖ ୨୦୧୧ । ଭାରତ ପାଇଁ ଏକ ଐତିହାସିକ ଦିନ । ୨୦୧୧ ଆଜିର ଦିନରେ ସାରା ବିଶ୍ୱକୁ ପଛରେ ପକାଇ ଇତିହାସ ରଚିଥିଲା ଭାରତ । ୮ ବର୍ଷ ପୂର୍ବର ଏହି ଘଟଣା ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି । ଶ୍ରୀଲଙ୍କାଙ୍କୁ ହରାଇ ୨୮ ବର୍ଷ ପରେ କ୍ରିକେଟ୍ ବିଶ୍ୱକପ ହାତେଇଥିଲା ଟିମ୍ ଇଣ୍ଡିଆ । ଭାରତର ଏହି ବିଜୟର ମୂକସାକ୍ଷୀ ପାଲଟିଥିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ । ରୋମାଞ୍ଚକର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ନିଜ ନାମରେ କରିଥିଲା ଭାରତ ।

ବିଶ୍ୱକପ ଫାଇନାଲ ମ୍ୟାଚର ହିରୋ ସାଜିଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଗୌତମ ଗମ୍ଭୀର । ଆଉ ପୁରା ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ହିରୋ ଥିଲେ ଯୁବରାଜ ସିଂହ । ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ତେବେ ଶେଷରେ ଏକ ସୁନ୍ଦର ଛକା ମାରି ଭାରତକୁ ବିଶ୍ୱବିଜେତା କରାଇଥିଲେ ଧୋନୀ । ଷ୍ଟାଡିୟମରେ ଉପସ୍ଥିତ ଥିବା କ୍ରୀଡାପ୍ରେମୀଙ୍କ ସମେତ ସାରା ଭାରତବାସୀଙ୍କ ଆଖିରେ ସେଦିନ ଦେଖିବାକୁ ମିଳିଥିଲା ଖୁସିର ଲୁହ । ଆଉ ସେହି ମୂହୁର୍ତ୍ତ, ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା, ଯେତେବେଳେ କ୍ରିକେଟ୍ ଜଗତର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ଖେଳାଳୀମାନେ କାନ୍ଧରେ ଉଠାଇ ପୁରା ଷ୍ଟାଡିୟମ ପରିକ୍ରମା କରିଥିଲେ । ‘ଇଣ୍ଡିଆ’ ‘ଇଣ୍ଡିଆ’ ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ଭାରତ । ଏହି ଐତିହାସିକ ମୂହୁର୍ତ୍ତକୁ ଇତି ମଧ୍ୟରେ ବିତିଯାଇଛି ୮ ବର୍ଷ । କିନ୍ତୁ ସେହି ସମୟ ସମସ୍ତଙ୍କ ମନରେ ଏକ ସ୍ମୃତି ହୋଇ ରହିଯାଇଛି । ଆସନ୍ତୁ ଦେଖିବା କିଭଳି ଥିଲା ସେଦିନର ସେହି ଅଭୁଲା ସ୍ମୃତି ।

ପୁଣି ଥରେ ଆସିଛି ସେହି ସମୟ, ଯେତେବେଳେ ଭାରତ ସାମ୍ନା କରିବାକୁ ଯାଉଛି, ଆଉ ଏକ ବିଶ୍ୱକପ ଲଢେଇ । ଖେଳାଳୀ ବଦଳିଛନ୍ତି, ରଣନୀତି ବି ବଦଳିଛି । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ବିଶ୍ୱକପରେ ଭାରତର ପ୍ରଦର୍ଶନ ଉପରେ । ସମସ୍ତଙ୍କ ବିଶ୍ୱାସ, ପୁଣି ଥରେ ବିଶ୍ୱକପ ଚାମ୍ପିୟନ ହେବ ଭାରତ, ଏବଂ ରଚିବ ଆଉ ଏକ ନୂଈ ଇତିହାସ ।