୨୦୦୦ ଠାରୁ ବିଜେପୁରରେ କିଏ କେବେ ମାରିଛି ବାଜି? ମେଂଟ ଥାଇ ବି ହାରିଥିଲା ବିଜେଡି । ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ କରିଥିଲେ ସୁବଳ ।

64

୨୦୦୦ ରୁ ଆରମ୍ଭ କରି ୨୦୧୪ ଯାଏଁ ହୋଇଥିବା ୪ଟି ନିର୍ବାଚନରେ କଂଗ୍ରେସ ନିଜ ଦବଦବା ଦେଖାଇବାରେ ସକ୍ଷମ ହୋଇଥିଲା । ତିନିଥର କଂଗ୍ରେସ ପ୍ରାର୍ଥୀ ଭାବେ ସୁବଳ ସାହୁ ବାଜିମାତ କରିଥିବା ବେଳେ, ଥରୁଟିଏ ମେଂଟରେ ଲଢି ବିଜେଡି ଏଠି ବାଜିମାତ କରିଥିଲା । ନଜର ପକାନ୍ତୁ ୨୦୦୦ ମସିହାରୁ ଆରମ୍ଭ କରି ଆଜି ଯାଏଁ ହୋଇଥିବା ନିର୍ବାଚନରେ କେଉଁ ଦଳର ପ୍ରଦର୍ଶନ କିଭଳି ରହିଲା ।

୨୦୧୪ ନିର୍ବାଚନ ଫଳାଫଳ

ସାରା ଦେଶରେ ମୋଦି ଲହର ଆଉ ଓଡିଶାରେ ନବୀନଙ୍କ ଯାଦୁ ଚାଲିଥିବା ବେଳେ ବିଜେପୁରରେ କିନ୍ତୁ କଂଗ୍ରେସ ନିଜ ଦମ୍ ଦେଖାଇଥିଲା । ଲଗାତର ତୃତୀୟ ଥର ପାଇଁ ବିଜେପୁର ଆସନରୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୧୨ ଜଣ ପ୍ରାର୍ଥୀ ଥିଲେ ବିଜେପୁର ମୈ÷ଦାନରେ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଥିଲେ ସୁବଳ । ୫୩ ହଜାର ୨୯୦ ଅର୍ଥାତ୍ ୩୨.୧୫ ପ୍ରତିଶତ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟ ୫୨, ୮୩୨ ଅର୍ଥାତ୍ ୩୧.୮୮ ଭୋଟ ସହ ରହିଥିଲେ ଦ୍ୱିତୀୟ ସ୍ଥାନରେ । ସ୍ୱାଧୀନ ଭାବେ ଅଶୋକ ପାଣିଗ୍ରାହୀ ୧୮ ହଜାର ୨୩୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ପାଇଥିଲେ ୩୦ ହଜ୪ ୧ ଖଣ୍ଡ ଭୋଟ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ରେ ରାଜ୍ୟରେ ବିଜେଡି ଆଉ ବିଜେପି ମେଂଟ ଭାଙ୍ଗିଯାଇଥାଏ । ଉଭୟ ଦଳ ନିଜ ନିଜ ଦମରେ ଲଢୁଥିଲେ ନିର୍ବାଚନ । ହେଲେ ଏଠି ବି ବାଜି ମାରିଥିଲେ ସୁବଳ ସାହୁ । ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ହୋଇଥିଲେ ନିର୍ବାଚିତ । ୨୦୦୯ରେ ବିଜେପୁର ମୈଦାନରେ ଥିଲେ ମୋଟ ୭ ଜଣ ପ୍ରାର୍ଥୀ । ୫୬ ହଜାର ୮୬୪ ଅର୍ଥାତ୍ ୪୦.୯୧ ପ୍ରତିଶତ ଭୋଟ ସହ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିଲେ ବିଜେଡିର ପ୍ରଭାତ ଆଦିତ୍ୟ ମିଶ୍ର । ପାଇଥିଲେ ୩୪.୪୫ ପ୍ରତିଶତ ଅର୍ଥାତ୍ ୪୭, ୮୯୩ ଭୋଟ । ବିଜେପି କିନ୍ତୁ ତୁଳନାତ୍ମକ ଭାବେ ଢେର ପଛରେ ରହିଥିଲା । ୧୪.୦୨ ପ୍ରତିଶତ ଅର୍ଥାତ୍ ୧୯ ହଜାର ୪୯୩ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲେ ବିଜେପି ପ୍ରାର୍ଥୀ ମହମ୍ମଦ ରଫିକ୍ ।

୨୦୦୪ ନିର୍ବାଚନ ଫଳାଫଳ

୨୦୦୪ରେ ରାଜ୍ୟରେ ବିଜେଡି ଆଉ ବିଜେପି ମେଂଟରେ ଲଢୁଥିବା ସତ୍ୱେ ପ୍ରଥମ ଥର ପାଇଁ ସୁବଳ ସାହୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ଲଢେଇ ପାଇଁ ୮ ଜଣ ପ୍ରାର୍ଥୀ ଥିଲେ ନିର୍ବାଚନ ମୈଦାନରେ । ୬୬ ହଜାର ୪୦୭ ଖଣ୍ଡ ଭୋଟ ସହ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ସୁବଳ ସାହୁ । ଯାହା ଥିଲା ନିଜ ନିର୍ବାଚନୀ କ୍ୟାରିୟରରେ ସେ ପାଇଥିବା ସବୁଠାରୁ ଅଧିକ ଭୋଟ । କାରଣ ୨୦୦୯ ଆଉ ୨୦୧୪ରେ ତାଙ୍କ ଭୋଟ କମିଥିଲା । ସୁବଳଙ୍କ ଠାରୁ ପରାସ୍ତ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ସେ ପାଇଥିଲେ ୪୪ ହଜାର ୪୮୯ ଭୋଟ । ୨୧ ହଜାର ୯୧୮ ଭୋଟରେ ପରାସ୍ତ ହୋଇଥିଲେ ଅଶୋକ, ଯାହା ଥିଲା ମୋଟ ଭୋଟର ୧୭.୮୧ ପ୍ରତିଶତ ।

୨୦୦୦ ନିର୍ବାଚନ ଫଳାଫଳ

ଏହି ବର୍ଷ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେଡି-ବିଜେପି ମେଂଟ । ପ୍ରାର୍ଥୀ ଥିବା ଅଶୋକ ପାଣିଗ୍ରାହୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରେ ସେ ହୋଇଥିଲେ ନିର୍ବାଚିତ । ବିଜେପୁର ନିର୍ବାଚନରେ ଥିଲେ ମୋଟ ୫ ଜଣ ପ୍ରାର୍ଥୀ । ବିଜେଡିରୁ ଅଶୋକ ପାଣିଗ୍ରାହୀ ଲଢୁଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ଥିଲେ ରିପୁନାଥ ସେଠ । ୫୭ ହଜାର ୨୯୮ ଅର୍ଥାତ୍ ୫୩.୯୯ ପ୍ରତିଶତ ଭୋଟ ପାଇ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ୪୪ ହଜାର ୨୦୨ ଅର୍ଥାତ୍ ୪୧.୬୫ ପ୍ରତିଶତ ଭୋଟ ପାଇଥିଲେ ରିପୁନାଥ ସେଠ । ୧୩ ହଜାର ୯୬ ଭୋଟରେ ରିପୁନାଥଙ୍କୁ ପରାସ୍ତ କରିଥିଲେ ଅଶୋକ । ଯାହା ଥିଲା ମୋଟ ଭୋଟର ୧୨.୩୪ ପ୍ରତିଶତ ।