ଶାନ୍ତିରେ ନିଶ୍ୱାସ ମାରିଲା ବନବିଭାଗ । ନାକେଦମ୍ କଲା ପରେ ଶେଷରେ ଧରାପଡ଼ିଲା ଜଙ୍ଗଲ ରାଣୀ ବାଘୁଣୀ ‘ସୁନ୍ଦରୀ’ ।

ଅଭୟାରଣ୍ୟରେ ମହାବଳ ବଂଶ ବୃଦ୍ଧି ପାଇଁ ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘକୁ ଅଣାଯାଇଥିଲା । ଏହାପରେ ଜୁନ୍ ୨୮ ତାରିଖରେ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା ।

475

କନକ ବ୍ୟୁରୋ: ଦୀର୍ଘ ୧୫ ଦିନ ଧରି ବନବିଭାଗକୁ ଟେନସନ୍ ଦେଇଥିବା ଜଙ୍ଗଲ ରାଣୀ ‘ସୁନ୍ଦରୀ’ ଶେଷରେ ଧରାପଡ଼ିଛି । ବନବିଭାଗର ବିଶେଷଜ୍ଞଙ୍କ ନିଶ୍ଚେତକ ଗୁଳି ଡାର୍ଟରେ ଅଚେତ ହୋଇପଡ଼ିଛି ବାଘୁଣୀ ‘ସୁନ୍ଦରୀ’ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ଆଜି ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନ ଧରି ବାଘୁଣୀ ସୁନ୍ଦରୀ ସାତକୋଶିଆର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ପରେ ଯନ୍ତାରେ ପଡ଼ିଛି ମଣିଷଖିଆ ବାଘୁଣୀ ସୁନ୍ଦରୀ । କୁମକୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଛି ବୋଲି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ତେବେ ସୁନ୍ଦରୀ ଆସିବା ଠାରୁ ଆରମ୍ଭ କରି ପୁରା ଘଟଣା କିଛି ଏଭଳି ଥିଲା । ଅଭୟାରଣ୍ୟରେ ମହାବଳ ବଂଶ ବୃଦ୍ଧି ପାଇଁ ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର  ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ବାଘକୁ ଅଣାଯାଇଥିଲା । ଏହାପରେ ଜୁନ୍ ୨୮ ତାରିଖରେ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା । ତାକୁ ମଧ୍ୟ ଏନକ୍ଲୋଜରରେ ରଖାଯାଇଥିଲା। ପରିବେଶ ସହ ଖାପଖୁଆଇ ଚଳି ପାରିବ ବୋଲି ବନ ବିଭାଗ ଅନୁଭବ କରିବା ପରେ ମହାବଳ ବାଘକୁ ଜୁଲାଇ ୬ ତାରିଖରେ ସାତକୋଶିଆ ଜଙ୍ଗଲରେ ଛାଡ଼ିଥିଲା । ଆଉ ଅଗଷ୍ଟ ୧୭ ତାରିଖରେ ସୁନ୍ଦରୀକୁ ମୁକ୍ତ କରାଯାଇଥିଲା। କିନ୍ତୁ ପ୍ରଥମେ ବଳଦ ଓ ପରେ ସେପ୍ଟେମ୍ବର ୧୩ ତାରିଖରେ ସାତକୋଶିଆ ହାତୀବରି ଗାଁରେ ଜଣେ ମହିଳାଙ୍କୁ ସୁନ୍ଦରୀ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଣି ଟାଇଁଶି ଗାଁରେ ଜଣେ ପୁରୁଷ ସୁନ୍ଦରୀ ଆକ୍ରମଣରେ ପ୍ରାଣ ହରାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା ।

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୁନ୍ଦରୀକୁ କାବୁ କରିବା ପାଇଁ ଗତ ୨୩ ତାରିଖରୁ ବନବିଭାଗ ଆରମ୍ଭ କରିଥିଲା ବାଘୁଣୀ ସୁନ୍ଦରୀ ଅପରେସନ । କେତେବେଳେ ଛେଳି ତ କେତେବେଳେ ଗାଇ, ବାଘୁଣୀକୁ ଧରିବା ପାଇଁ ଜାଲ ବିଛାଇଥିଲେ ବନବିଭାଗ ବିଶେଷଜ୍ଞ ଦଳ । ଶେଷରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିଲେ ଏକ ସ୍ୱତନ୍ତ୍ର ଟିମ୍ । ପରେ ଚନ୍ଦକାରୁ କୁମକୀ ହାତୀ ଯଶୋଦାକୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ନିଆଯାଇଥିଲା । ପ୍ରାୟ ଏକ ମାସର ଲୁଚକାଳି ପରେ ଆଜି ବନ ବିଭାଗ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି । ମଣିଷ ଖିଆ ସୁନ୍ଦରୀକୁ ସାତକୋଶିଆରୁ ନେଇଯିବାକୁ ଦାବି ଜୋର ଧରିଥିଲା । ଯାହାକୁ ଗତ ୨୩ ତାରିଖରୁ ଟ୍ରାଙ୍କୁଲାଇଜ୍ ଅପରେସନ୍ ଆରମ୍ଭ ହୋଇଥିଲା । କିନ୍ତୁ ବାଘୁଣୀ ବାରମ୍ବାର ଚକମା ଦେଇଥିଲା କିନ୍ତୁ ତିନି ଦିନର ଅପରେସନ୍ ପରେ ଶେଷରେ ଆଜି ସୁନ୍ଦରୀ ଧରା ଦେଇଛି ।

ବାଘୁଣୀ ସୁନ୍ଦରୀ ଧରାପଡ଼ିବା ପରେ ଏବେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ବନ ବିଭାଗ କର୍ମଚାରୀ । କାରଣ ଦୀର୍ଘ ଦେଢ଼ମାସ ହେବ ସ୍ଥାନୀୟ ଅଞ୍ଚଳରେ ସୁନ୍ଦରୀ ଆତଙ୍କ ଖେଳାଉଥିବା ବେଳେ ପାଖାପାଖି ୧୫ ଦିନ ଧରି ଯେଉଁ ସୁନ୍ଦରୀ ଅପରେସନ ଚଳାଇଥିଲା ବନ ବିଭାଗ ତାହା ଏବେ ସଫଳ ହୋଇଛି । ହାତୀ ଯଶୋଦା ଜରିଆରେ ସୁନ୍ଦରୀ କାବୁ ହେବାପାରେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ବନବିଭାଗ ।