ରାସ୍ତା ମଝିରେ ବିଚାରପତିଙ୍କୁ ଘେରିଲେ ଓକିଲ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କଲେ ଯୁକ୍ତି ।

42

କନକ ବ୍ୟୁରୋ : କଟକରେ ଓକିଲଙ୍କୁ ମାଡ଼ ଘଟଣାରେ କୋର୍ଟ ବନ୍ଦ, ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ କଚେରୀ ଠପ୍ । ଆଉ ସେପଟେ ଦୀର୍ଘ ୫୦ ଦିନ ହେଲା, ପଶ୍ଚିମ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁରରେ ଚାଲିଛି ଆନ୍ଦୋଳନ । ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ହାଇକୋର୍ଟ ବେଂଚ୍ ଦାବିକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାକୁ ଅଂଟା ଭିଡିଛନ୍ତି ବିଭିନ୍ନ ଓକିଲ ସଂଘ । ଆଉ ଏସବୁ ଭିତରେ ଆଇନ-କାନୁନରେ ଏକ ପ୍ରକାର ଲାଗିଛି ଡୋରି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଏକ ଭିନ୍ନ ମୋଡ ନେଇଥିଲା, ଯେତେବେଳେ ଆନ୍ଦୋଳନରତ ଓକିଲମାନେ ଜିଲ୍ଲା ଦୌରା ଜଜଙ୍କ ବାଟ ଓଗାଳି ଥିଲେ । ବାରମ୍ବାର ସ୍ମାରକପତ୍ର ସତ୍ୱେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ କ’ଣ ଘଟୁଛି, ସେନେଇ କୌଣସି ସ୍ପଷ୍ଟ ଉତର ମିଳୁନଥିବାରୁ ଦୌରା ଜଜଙ୍କୁ ଘେରିଗଲେ ଓକିଲ ।
ବିଚାରପତିଙ୍କୁ ରାସ୍ତାରେ ଅଟକାଇ ଓକିଲମାନେ ପ୍ରଶ୍ନ କରିଥିଲେ, ତାଙ୍କ ଦାବି ପ୍ରସଙ୍ଗରେ ହାଇକୋର୍ଟ ବିଚାରପତିଙ୍କ ନିଷ୍ପତି କ’ଣ? ହାଇକୋର୍ଟ ବେଂଚ ନହେବାରୁ ସାଧାରଣ ଲୋକେ ଅସୁବିଧା ଭୋଗୁଥିବା ଯୁକ୍ତି ଦର୍ଶାଇବା ସହ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । ସମ୍ବଲପୁରରେ ଯେଉଁ ଦାବି ନେଇ ଆନ୍ଦୋଳନ ହେଉଛି, ଅନୁରୁପ ଦାବି ନେଇ ଜୟପୁରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଓକିଲ । ଜୟପୁରରେ ହାଇକୋର୍ଟର ସ୍ଥ୍ରାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ନ୍ୟାୟିକ ପ୍ରକ୍ରିୟା ପୁରା ଠପ୍ ହୋଇଯାଇଛି ।

ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଛୋଟ ଛୋଟ ପିଲାଙ୍କୁ ନେଇ ଜେଲରେ ପହଂଚିଯାଉଛନ୍ତି ଜେଲରେ କଏଦ ଥିବା ବିଚାରଧିନ କଏଦୀଙ୍କ ପରିବାର ଲୋକ । କାରଣ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଛୋଟମୋଟ ମାମଲାରେ ଗିରଫ ହୋଇଥିବା ଲୋକଙ୍କ ବେଲ ହୋଇପାରୁନି । ଏପଟେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଘଟଣାରେ ଦେଢ଼ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଓକିଲ । ସ୍ରୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ବି କଟକରେ ବଦଳିନି ସ୍ଥିତି । ଯାହାଫଳରେ ନ୍ୟାୟିକ ପ୍ରକ୍ରିୟା ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି । ହେଲେ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ଆଉ କାହାକୁ ଅଧିକାରକୁ ବିଚ୍ୟୁତ କରିବା କେତେ ଦୂର ଗ୍ରହଣୀୟ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।