ଆକାଶଛୁଆଁ ବିଜ୍ଞାପନ ଦର ! ଫାଇନାଲ ମ୍ୟାଚ୍ ପାଇଁ ଅଧ ମିନିଟକୁ କୋଟିଏ ଟଙ୍କା

37

ଭାରତ ସମେତ ବିଶ୍ୱର କେତେକ ଦେଶରେ କ୍ରିକେଟ ଖେଳକୁ ସବୁଠୁ ଅଧିକ ଦର୍ଶକ ଦେଖିଥାନ୍ତି । ଆଉ ଯେତେବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପଡ଼ିଆରେ କ୍ରିକେଟ ଖେଳ ହୁଏ ତାହାର ଯଥେଷ୍ଟ ସଂଖ୍ୟା ଆହୁରି ଅଧିକ ବଢ଼ିଯାଏ । ଇଂଲଣ୍ଡରେ ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୧୭ର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କ୍ରିକେଟ ପ୍ରେମୀ ଦର୍ଶକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ବୃଦ୍ଧି ପାଇଛି ବିଜ୍ଞାପନଦାତାଙ୍କ ମଧ୍ୟରେ ଉତ୍ସାହ ଆହୁରି ଅଧିକ ବଢ଼ିଯାଇଛି ।

ଫଳରେ ଏହି ମ୍ୟାଚ ପାଇଁ ଟିଭିରେ ବିଜ୍ଞାପନ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ୩୦ ସେକେଣ୍ଡ ପାଇଁ ଟିଭିରେ ଯେଉଁ ବିଜ୍ଞାପନ ପ୍ରସାରଣର ମୂଲ୍ୟ ସାଧାରଣତଃ ୧ ନିୟୁତ ଟଙ୍କା ରହିଥାଏ ତାହା ଏବେ ୧୦ ଗୁଣ ବୃଦ୍ଧି ପାଇ ୧୦ ନିୟୁତ ଟଙ୍କାରେ ପହଞ୍ଚିଛି ବୋଲି ବିଜ୍ଞାପନ ଶିଳ୍ପ ସହ ଜଡ଼ିତ ସୂତ୍ରକୁ ଉଦ୍ଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଟିଭିରେ ଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥିବାରୁ ବିଜ୍ଞାପନ ଦର ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବାକୁ ଯାଉଛି ।

ବିଜ୍ଞାପନ ବୁକିଂ ସହିତ ଜଡ଼ିତ ଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଷ୍ଟାର ସ୍ପୋର୍ଟସରେ ଅଧିକାଂଶ ଭାରତୀୟ ସୋ’ ପାଇଁ ବିଜ୍ଞାପନ ଦର ୩୦ ସେକେଣ୍ଡକୁ ୧୦ ଲକ୍ଷ ଟଙ୍କା ରହୁଥିବାବେଳେ ଆସନ୍ତାକାଲିର ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବିଜ୍ଞାପନ ଦର ୩୦ ସେକେଣ୍ଡ ପାଇଁ ୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଉଛି । ତେବେ ଫାଇନାଲ ମ୍ୟାଚ ପାଇଁ ଅଧିକାଂଶ ବିଜ୍ଞାପନ ସମୟ ଟୁର୍ଣ୍ଣାମେଣ୍ଟର ବାଣିଜ୍ୟିକ ପ୍ରଯୋଜକ ନିସାନ ମୋଟର, ଇଣ୍ଟେଲ କର୍ପୋରେସନ, ଏମିରେଟ୍ସ, ଚୀନ୍‌ର ମୋବାଇଲ କମ୍ପାନି ଓପୋ ଏବଂ ଭାରତୀୟ ଟାୟାର ନିର୍ମାତା ଏମ୍‌ଆର୍‌ଏଫ୍‌ ପକ୍ଷରୁ ବୁକ୍‌ କରାଯାଇ ସାରିଛି ।

୧୦ ପ୍ରତିଶତରୁ କମ୍‌ ସ୍ଲଟ୍‌ ବୁକ୍‌ ହେବା ପାଇଁ ବାକି ରହିଥିବାବେଳେ କମ୍ପାନି ଗୁଡ଼ିକ ଆକାଶଛୁଆଁ ଦର ଦେଇ ବିଜ୍ଞାପନ ବୁକ୍‌ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଚଳିତବର୍ଷର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳିସାରିଛନ୍ତି । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ତେବେ ଏହି ଖେଳକୁ ୨୦ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ତେଣୁ ପୂର୍ବ ମ୍ୟାଚ ତୁଳନାରେ ୩୦ରୁ ୪୦ ପ୍ରତିଶତ ଅଧିକ ଦର୍ଶକ ଆଜିର ମ୍ୟାଚକୁ ଦେଖିବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।