ପିଲାଚୋରି ଗୁଜବକୁ ନେଇ ଜାରି ହେଲା ଆଡଭାଇଜରୀ ! ଅପପ୍ରଚାର ବିଶ୍ୱାସ ନ କରିବାକୁ ଓଡିଶା ପୋଲିସର ପରାମର୍ଶ 

43

ସୋସିଆଲ ମିଡିଆରେ ବିହାରରୁ ୫ଶହ ପିଲାଚୋର ଗ୍ୟାଙ୍ଗ ଏବେ ଓଡିଶା ଆସିଥିବା ଘଟଣା ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଲା ଚୋର ସନ୍ଦେହ କରି ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଯଦି ନିଜ ପିଲା ପାଖରେ କେଉଁ ଅଜଣା ବ୍ୟକ୍ତିକୁ ଦେଖୁଛନ୍ତି ପରିବାର ଲୋକଙ୍କ ସହ ଗାଁ ଲୋକମାନେ ସେହି ଅଜଣା ଲୋକଙ୍କୁ ଆକ୍ରମଣ କରିବାରେ ଲାଗୁଛିନ୍ତି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ଏକ ପରାମର୍ଶ ଜାରି କରିଛନ୍ତି ।

ଜାରି କରାଯାଇଥିବା ଆଡଭାଇଜରୀରେ ଉଲ୍ଲେଖ ରହିଛି ଯେ ପିଲା ଚୋର ଗୁଜବରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଏହାସହିତ ୭ଟି ପ୍ରମୂଖ ପଏଣ୍ଟ ଉପରେ ପରାମର୍ଶ ଦେଇଛନ୍ତି ଓଡିଶା ପୋଲିସ୍ ।

୧. ବର୍ତ୍ତମାନ ଦେଖାଯାଇଛି ଯେ କିଛି ଲୋକ ସମାଜରେ ମିଛ ଗୁଜବ ପ୍ରଚାର କରୁଛନ୍ତି ଯେ ଏକ ପିଲା ଚୋରୀ ରାକେଟ ସକ୍ରିୟ ଅଛି । ବାସ୍ତବରେ ଏହା ସମୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ଗୁଜବ ଅଟେ । ରାଜ୍ୟ ପୋଲିସ ଡିଜି ଜନତାଙ୍କୁ ଆଶ୍ୱସ୍ତ କରାଇଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସେଭଳି କିଛି ଘଟଣା ଘଟି ନାହିଁ ।

୨. ଏପରି ଗୁଜବକୁ ହ୍ୱାଟ୍ସଆପ କିମ୍ବା ଫେସବୁକ ଜରିଆରେ ପଠାନ୍ତୁ ନାହିଁ । ଏପରି କରି ଆପଣାମନେ ଗୁଜବ ଜନିତ ଅପରାଧରେ ଅଂଶିଦାର ହୁଅନ୍ତୁ ନାହିଁ । ଯାହାକି ଏକ ଦଣ୍ଡନୀୟ ଅପରାଧ ବୋଲି ଆଡଭାଇଜରୀରେ ଉଲ୍ଲେଖ ରହିଛି ।

୩. ଆମ ରାଜ୍ୟର ପିଲାମାନେ ଓ ଲୋକମାନେ ଅନ୍ୟ ରାଜ୍ୟରେ ଶିକ୍ଷା ଲାଭ କରୁଛନ୍ତି ଏବଂ ଜୀବିକା ନିର୍ବାହ କରୁଛନ୍ତି । ସେହିପରି ଅନ୍ୟରାଜ୍ୟର ଲୋକମାନେ ମଧ୍ୟ ଆମ ରାଜ୍ୟରେ ଅଛନ୍ତି । ତେଣୁ ଓଡିଆ ଭାଷା ଜାଣି ନଥିବା ଲୋକଙ୍କୁ ସନ୍ଦିଗ୍ଧ ପିଲା ଚୋର ଭାବିବା ଠିକ୍ ନୁହେଁ ।

୪. ଗୁଜବକାରୀ ମିଥ୍ୟା ପ୍ରଚାରରେ ବ୍ୟସ୍ତ ଅଛନ୍ତି ଯେ ପିଲା ଚୋରମାନେ ଛୋଟ ଛୋଟ ପିଲାମାନଙ୍କୁ ଅପହରଣ କରି ସେମାନଙ୍କ କିଡନୀ, ହୃତପିଣ୍ଡ ଓ ଆଖିକୁ ତାଢ଼ି ନେଉଛନ୍ତି । ତେବେ ଏହା ସମୂର୍ଣ୍ଣ ମିଥ୍ୟା ଏବଂ ଅସମ୍ଭବ । କାରଣ ଏହି ଶରୀରର ଅଙ୍ଗପ୍ରତ୍ୟଙ୍ଗ ଡାକ୍ତରଖାନାରେ ସତର୍କତା ସହ ସଂରକ୍ଷଣ କରାଯାଇ ଉପଯୋଗୀ ହେବା ପାଇଁ ପ୍ରୟାସ କରାଯାଇଥାଏ । ସାଧାରଣ ଭାବରେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଅଙ୍ଗପ୍ରତ୍ୟଙ୍ଗକୁ ଶରୀରରୁ ଅଲଗା କଲେ ତାହା ବ୍ୟବହାର ଯୋଗ୍ୟ ହୋଇନଥାଏ ।

୫. ଓଡିଆ ଭାଷା ଜାଣି ନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆପଣଙ୍କ ଅଞ୍ଚଳରେ ଦେଖିଲେ ନିକଟସ୍ଥ ଥାନା କିମ୍ବା ଏସପିଙ୍କୁ ଜଣାନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

୬. ସମସ୍ତ ପୋଲିସ ଅଧିକାରୀଙ୍କୁ ନର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ ଅଞ୍ଚଳ ଗସ୍ତ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବେ ଏବଂ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କୌଣସି ନିର୍ଦ୍ଦୋଷୀ ଲୋକକୁ ଏଭଳି ଅକାରଣରେ ହଇରାଣ ବା ଆକ୍ରମଣ କଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

୭. ଆଇନଗତ କାର୍ଯ୍ୟନୁଷ୍ଠାନ କେବଳ ଥାନା ଏବଂ ଅଦାଲତ ପରିସରଭୁକ୍ତ ଅଟେ । ଏଣୁ ଆପଣମାନେ ଆଇନକୁ ଆଦୌ ନିଜ ହାତକୁ ନିଅନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

ତେବେ ଏହି ଭାଇରାଲ ମେସେଜରେ ଏକ ଫଟୋ ସହିତ ମେସେଜର ଲେଖା ଏଭଳି ଅଛି ନିଶ୍ଚିନ୍ତ ଭାବେ ତାହା ଦେଖି ନିଜ ପିଲାର ସୁରକ୍ଷା ପାଇଁ ଯେ କୌଣସି ସ୍ତରକୁ ପଳେଇ ଯିବା ସୁନିଶ୍ଚିନ୍ତ । କିନ୍ତୁ ପୋଲିସ ପ୍ରଶାସନ କହିବା ଅନୁଯାୟୀ ଏହି ଦିଗ ଉପରେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ଅଟେ ।