ଚାଷୀଙ୍କ ପାଇଁ ମାଡି ଆସୁଛି ବଡ ବିପଦ ! ଲୁଣ ପାଣି ଛିଞ୍ଚି ଫସଲ ରକ୍ଷା କରିବାକୁ ପରାମର୍ଶ ଦେଲା ଓୟୁଏଟି

55

କନକ ବ୍ୟୁରୋ : ‘ବର୍ଷା ଆସୁଛି କାଟି ନିଅ ଧାନ’ । ଚାଷୀଙ୍କ ପାଇଁ ଆସିଲା ପରାମର୍ଶ ।ପଶ୍ଚିମ ଓଡିଶାରେ ଚକଡା ପୋକର ଚଡକ ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡିଶା ପାଇଁ ଅଦିନିଆ ବର୍ଷା ଅଡୁଆ ଆଣିଛି । ଖାସକରି ଫସଲ ଅମଳ ହେବା ସମୟ ବେଳକୁ ପ୍ରବଳ ବର୍ଷା ବାବଦରେ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ଚିନ୍ତା ବଢାଇଦେଇଛି । ଆଉ ଏହାରି ଭିତରେ ଫସଲକୁ କେଉଁଭଳି ଭାବେ ସୁରକ୍ଷିତ କରି ରଖାଯାଇ ପାରିବ, ସେନେଇ ଓୟୁଏଟି ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛି ।

ଦାନା ବାନ୍ଧୁଛି ଲଘୁଚାପ, ମାଡ଼ି ଆସୁଛି ବର୍ଷା । ଠିକ୍ ଫସଲ ଅମଳ ହେଲା ବେଳକୁ ଏହି ଖବର ଏବେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ରୋଗପୋକ ଏବଂ ମରୁଡ଼ି ପରେ ଏବେ ଅଦିନିଆ ବର୍ଷା, ଚାଷୀଙ୍କ ସମସ୍ୟା ବଢ଼ାଇ ଦେଇକ୍ତି । ଆଉ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଷୀ ପାଇଁ ଜାରି ହୋଇଛି ପରାମର୍ଶ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନେଇ ମଧ୍ୟ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

କ’ଣ କହୁଛି ପାଣିପାଗ ବିଭାଗ ?
– ଆସନ୍ତା ୧୩ରୁ ୧୫ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
– ଆସନ୍ତା ୧୬ରୁ ୧୮ ଯାଏଁ ଉକପୂଳ ଏବଂ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
– ଉପକୂଳ ଜିଲ୍ଲାରେ ଲଘୁଚାପର ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା ରହିଛି

advisory for farmerବର୍ଷା ସମ୍ଭାବନା ଥିବାରୁ କ’ଣ କରିବେ ଚାଷୀ ? କେମିତି ନିଜ ଫସଲକୁ ରକ୍ଷା କରି ପାରିବେ, ସେନେଇ ଚାଷୀଙ୍କ ପାଇଁ କିଛି ସତର୍କତା ମୂଳକ ପରାମର୍ଶ ଜାରି କରିଛି ଓୟୁଏଟି ।
ଚାଷୀଙ୍କୁ ଓୟୁଏଟିର ପରାମର୍ଶ

– ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ
– ବର୍ଷା ଜନିତ କ୍ଷୟକ୍ଷତିରୁ ରକ୍ଷା ପାଇଁ ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
– ମଣ୍ଡି ଏବଂ ଧାନ ଗଚ୍ଛିତ ରହୁଥିବା ସ୍ଥାନରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ

ଆଉ ଏସବୁ ଭିତରେ ଚ୍ୟାଲେଂଜ୍ ପାଲଟିଛି, ଅମଳ ହୋଇଥିବା ଫସଲକୁ ସୁରକ୍ଷିତ କରିବା ଏବଂ ଅମଳ ହୋଇନଥିବା ଫସଲକୁ ରକ୍ଷା କରିବା କରିବା । ଆଉ କେମିତି ଚାଷୀ ନିଜ ଫସଲକୁ ସୁରକ୍ଷିତ ରଖିବେ ସେନେଇ ଜାରି ହୋଇଛି ପରାମର୍ଶ ।

farmer advisoryଫସଲକୁ କେମିତି ରଖିବେ ସୁରକ୍ଷିତ ?
– ବର୍ଷା ଯୋଗୁଁ ଫସଲ ଗଜା ହେବାର ଆଶଙ୍କା ରହିଛି, ତେଣୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
– ଚାଷ ଜମିରେ ଅମଳ ହୋଇଥିବା ଫସଲକୁ ରଖନ୍ତୁ ନାହିଁ
– ଯଦି ଅମଳ ହୋଇନି ଗୋଟିଏ ଲିଟର ପାଣିରେ ୨୦ଗ୍ରାମ ଲୁଣ ମିଶାଇ ପାଣି ଛିଂଚନ୍ତୁ
– ଯଦି ଅମଳ ହୋଇନି, ଜମିରେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁୁ
– ଫସଲ ବେରଙ୍ଗ ହେଉଥିଲେ ଦେଢ଼ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ ଓ ୨୫ ଗ୍ରାମ ହାଇକ୍ଲୋରାଇଡକୁ ୧୦ ଲିଟର ପାଣିରେ ମିଶାଇ ଛିଂଚନ୍ତୁ
– ବିଲାତି ଏବଂ ବାଇଗଣ ଚାରା ଝାଉଁଲି ପଡ଼ିଲେ ଦେଢ଼ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ ଓ ୨୫ ଗ୍ରାମ ହାଇକ୍ଲୋରାଇଡକୁ ୧୦ ଲିଟର ପାଣିରେ ମିଶାଇ ଛିଂଚନ୍ତୁ
– ଲଙ୍କା, ପନିପରିବାକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ କ୍ୟାପଟନ ଛିଂଚନ୍ତୁ

ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ବର୍ତମାନ ଚାଷୀଙ୍କ ପାଇଁ ବଡ ଆହ୍ୱନ ଏହି ସବୁ ପରାମର୍ଶକୁ ପାଳନ କରି ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା କରିବା । ଗୋଟିଏ ପଟେ ଚକଡା ପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏଭଳି ଅଦିନିଆ ବର୍ଷାର ପୂର୍ବାନୁମାନ ଚାଷୀଙ୍କ ନିଦ ହଜାଇ ଦେଇଛି ।