କଳାବ୍ୟାଜ ପିନ୍ଧି ସତ୍ୟାଗ୍ରହ କରିବେ ଚାଷୀ: ନବୀନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ,ଚଳିବନି ଅନ୍ଧାରି ଶାସନ

39

କନକ ବ୍ୟୁରୋ : ଚାଷୀଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଆଜିଠାରୁ ଚାଷୀମାନେ କଳାବ୍ୟାଜ ପିନ୍ଧି କରିବେ ସତ୍ୟାଗ୍ରହ । ପ୍ରତ୍ୟେକ କୃଷକ ପରିବାରର ଘର ଉପରେ ଉଡିବ କଳାପତାକା । ନବୀନଙ୍କ ଅନ୍ଧାରି ଶାସନ ଆଉ ଚଳିବ ନାହିଁ । ହକ୍ ପାଇବା ଲାଗି ଆମେ ସମସ୍ତ ପ୍ରକାର ଲଢ଼େଇ କରିବାକୁ ପ୍ରସ୍ତୁତ ଅଛୁ । ନବନିର୍ମାଣ ସଂଗଠନ ପକ୍ଷରୁ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହା କହିଛନ୍ତି ସଂଗଠନ ମୁଖ୍ୟ ଉପଦେଷ୍ଟା ସୈାମ୍ୟରଞ୍ଜନ ପଟ୍ଟନାୟକ ।

ସେ ଆହୁରି କହିଛନ୍ତି ବିଜେଡି ସରକାର ଚାଷୀମାନଙ୍କୁ ଡରିଯାଇଛି । ଯେଉଁଥିପାଇଁ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶକୁ ଭଣ୍ଡୁର ଲାଗି ରାଜ୍ୟର ପୋଲିସ ପ୍ରଶାସନ କରିଛି ଗୁଣ୍ଡାଗିରି । ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ରୋକିବା ଲାଗି ଦମନଲୀଳା କରିଛି । ତଥାପି ପୋଲିସର ନାଲିଆଖିକୁ ଡରିଯାଇ ନାହିଁନ୍ତି କୃଷକ । ରାଜଧାନୀରେ ପହଞ୍ଚି ରଣହୁଙ୍କାର ଦେଇଛନ୍ତି । ନବୀନ ବାବୁଙ୍କ ଯୁଦ୍ଧ ଡାକରାକୁ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ଚାଷୀ ।

ସଂଗଠନର ସଂଯୋଜକ ଅକ୍ଷୟ କୁମାର ଓ ସହସଂଯୋଜକ ଶେଷଦେବ ନନ୍ଦଙ୍କ ସମେତ ଯେଉଁ ଚାଷୀଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ନିସର୍ତ୍ତ ଖଲାସ ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ନହେଲେ ଏହାର ଦୃଢ଼ ଜବାବ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଦାବି ପୂରଣ କରିବା ପାଇଁ ବ୍ୟକ୍ତଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।