ବେତନ ନେବେନାହିଁ ପରାମର୍ଶଦାତା : ଜନତାଙ୍କ ସେବା ପାଇଁ ଅବୈତନିକ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଜଣାଇଲେ 

995

କନକ ବ୍ୟୁରୋ : ବେତନ ନେବେନି ପରାମର୍ଶଦାତା । ଅବୈତନିକ ଭାବେ କାମ କରିବେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଭିନ୍ନ ସରକାରୀ ବିଭାଗର ପରାମର୍ଶଦାତା । ନିଜ ନିଜ କାମ ପାଇଁ କୌଣସି ବେତନ ନେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଜରିଆରେ ଏକଥା ଜଣାଇଛନ୍ତି  । ଜନତାଙ୍କ ସେବାପାଇଁ କୌଣସି ଦରମା କିମ୍ବା ପାରିତୋଷିକ ନେବେନାହିଁ ବୋଲି ପରାମର୍ଶଦାତାମାନେ ଘୋଷଣା କରିଛନ୍ତି  । କେବଳ ଏତିକି ନୁହେଁ ଜନତାଙ୍କ ସେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶଦାତାମାନେ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି ।  

ଲୋକଙ୍କ ସେବା ହିଁ ନେତାଙ୍କ ମୂଳ ଧର୍ମ । ନବୀନ ସରକାରଙ୍କ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେଡ଼ି ନେତା ଆଉ ଏବେ ବିଭିନ୍ନ ବିଭାଗର ପରାମର୍ଶଦାତାମାନେ ଲୋକ ସେବାରେ ସମର୍ପିତ ଅଛନ୍ତି । ଆଉ ଏବେ ପରାମର୍ଶଦାତାଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏତାଦୃଶ ନିଷ୍ପତ୍ତିରୁ ସ୍ପଷ୍ଟ ହେଉଛି ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ବିଜେଡ଼ି ସରକାର । ସାଧାରଣତଃ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ କାମ କରିବା ପାଇଁ ବଦ୍ଧ ପରିକର  ବିଜେଡ଼ି ସରକାର । 

ଗତ ପ୍ରାୟ ଏକ ମାସ ପୂର୍ବରୁ ବିଜେଡ଼ି ନେତାଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆ ଯାଇଥିଲା । ଟିକଟରୁ ବଞ୍ଚିତ ହୋଇ ମଧ୍ୟ ଯେଉଁମାନେ ବିଜେଡି ସହିତ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ବିଭିନ୍ନ କମିଶନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି  ଦିଆଯାଇଥିଲା ।