ବିଜ୍ଞାପନ ଲଢେଇରେ ବିକାଶର କଥା । ନିର୍ବାଚନୀ ବର୍ଷର ପ୍ରଥମ ଦିନରେ ନବୀନ-ଧର୍ମେନ୍ଦ୍ର ଲଢେଇ ।

168

ନବୀନ ସରକାର ଚତୁର୍ଥ ପାଳିର ପଂଚମ ବର୍ଷରେ ପାଦ ଥାପିଲେ । ନିର୍ବାଚନୀ ବର୍ଷର ଆରମ୍ଭ ହେଲା ଅବଗଣନା । ଲଗାତର ୧୯ ବର୍ଷ କ୍ଷମତାରେ ଥିବା ବିଜେଡି ସରକାର ପାଇଁ ଆରମ୍ଭ ହେଲା ଅସଲ ପରୀକ୍ଷାର ବେଳ । ପଂଚମ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ କରି କାର୍ଯ୍ୟ କରୁଥିବା ଦଳ ପାଇଁ ଆହ୍ୱାନ ଅନେକ ଆଉ ଆଶ୍ୱସ୍ତିର ଖବର ବି ଢେର୍ । ହେଲେ ଏହାରି ଭିତରେ କିନ୍ତୁ ବିଜ୍ଞାପନ ଲଢେଇ ହୋଇଛି ଜୋରଦାର । ସରକାରର ଚତୁର୍ଥ ପାଳିର ପଂଚମ ବର୍ଷରେ ପାଦ ଦେଇଥିବା ନବୀନ ପଟ୍ଟନାୟକ, ନିଆଯାଇଥିବା ତମାମ ପଦକ୍ଷେପ ବାବଦରେ ଜନତାଙ୍କୁ ବିଜ୍ଞାପନ ମାଧ୍ୟମରେ ଅବଗତ କରାଉଥିବା ବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବି ପଛରେ ପଡିନାହାନ୍ତି ।


ଖବରକାଗଜରେ ଭରି ରହିଛି ବିଜ୍ଞାପନ । ଗୋଟିଏ ପରେ ନବୀନ ପଟ୍ଟନାୟକ ଆଉ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ ୨୧, ୨୦୧୪ରେ ନବୀନ ପଟ୍ଟନାୟକ ଚତୁର୍ଥ ପାଳୀର ଶପଥ ନେଇଥିବା ବେଳେ ସମାନବର୍ଷ ମେ ୨୬ରେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ସ୍ୱାଭାବିକ ଭାବେ ଉଭୟ ରାଜନୈତିକ ନେତାଙ୍କ ପାଇଁ ମେ ମାସର ତୃତୀୟ ସପ୍ତାହର ଗୁରୁତ୍ୱ ଯଥେଷ୍ଟ ଅଧିକ । ଖାସ କରି ସରକାରୀ ଯୋଜନା ଆଉ ନୀତିର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଥାଏ । ଆଉ ଆଜି ଖବରକାଗଜରେ ମଧ୍ୟ ସେଭଳି ଏକ ଲଢେଇ ଦେଖିବାକୁ ମିଳିଥିଲା । ଛାଇ ଯାଇଥିଲା ଦୁଇଟି ବିଜ୍ଞାପନ । ଗୋଟିଏରେ ମୋଦିଙ୍କ ପୂର୍ବୋଦୟର କଥା ଆଉ ଅନ୍ୟଟିରେ ନବୀନ ପଟ୍ଟନାୟକଙ୍କର ସୁସ୍ଥ ଓଡିଶା ସୁଖୀ ଓଡିଶାର କଥା । କହିବାକୁ ଗଲେ ମେ ୨୧ରେ ଯେଉଁଦିନ ନବୀନ ପଟ୍ଟନାୟକ କ୍ଷମତାର ୧୮ ବର୍ଷ ପୂରଣ କରିଛନ୍ତି, ସେହିଦିନ ହିଁ ଦେଖିବାକୁ ମିଳିଛି ଏକ ଜୋରଦାର ଲଢେଇ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ମୋଦି ସରକାରଙ୍କ ବିଭାଗ ଅର୍ଥାତ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞାପନରେ ରାଜ୍ୟରେ ବିକାଶ, ନିବେଶ ଓ ନିଯୁକ୍ତି କଥା କୁହାଯାଇଛି । ରାଜନୈତିକ ଦୃଶ୍ୟପଟ୍ଟରେ ଦେଖିଲେ ଏଠି ବିଜ୍ଞାପନରେ ଲଢେଇ ନବୀନ ବନାମ ଧର୍ମେନ୍ଦ୍ର ଦେଖିବାକୁ ମିଳିବ ।

bijepur

ବିଜ୍ଞାପନ ଅନୁସାର, ବଲାଙ୍ଗିର ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ୧୦୩ କୋଟି ଟଙ୍କା ନିବେଶ ହେବ । ପ୍ଲାଣ୍ଟରୁ ୧୪ ଜିଲ୍ଲାକୁ ଏଲପିଜି ଯୋଗାଣ କରାଯିବ । ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭରିବ ଏବଂ ଯୁବଗୋଷ୍ଠୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସହିଭଳି ୨୦୧୪ରୁ ରାଜ୍ୟରେ ହୋଇଥିବା ଏଲପିଜିର ଅଭିବୃଦ୍ଧି ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଛି । ଅବଶ୍ୟ ନିଜ ବିଭାଗର କାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେକୈାଣସି ଦିନ ଯେକୈାଣସି ସ୍ଥାନରେ କରିବାରେ କିଛି ପ୍ରତିବନ୍ଧକ ନାହିଁ । ହେଲେ ଆଜିର ଭିତ୍ତିପ୍ରସ୍ତର ସ୍ଥାପନରେ ରହିଛି ଯଥେଷ୍ଟ ରାଜନୈତିକ ମହତ୍ତ୍ୱ । ରାଜ୍ୟରେ ୨୦୧୯ରେ ବିଜେପି କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି । ମିଶନ ୧୨୦ ନେଇ କାର୍ଯ୍ୟ କରୁଛି । ପୂର୍ବଭାରତ ଉପରେ ରହିଛି ମୋଦି-ଶାହାଙ୍କ ନଜର । ଆଉ ପୂର୍ବଭାରତର ପ୍ରମୁଖ ଏକ ରାଜ୍ୟ ଓଡିଶାରେ ଧର୍ମେନ୍ଦ୍ର ଧରିଛନ୍ତି ମଙ୍ଗ । ତେଣୁ ରାଜନୈତିକ ଦୃଶ୍ୟପଟ୍ଟରେ ଆଜିର ଦିନରେ ଭିତ୍ତିପ୍ରସ୍ତର ସ୍ଥାପନର ଗୁରୁତ୍ୱ ଯଥେଷ୍ଟ ବଢିଯାଉଛି ।

ଅନ୍ୟପକ୍ଷରେ ବଲାଙ୍ଗୀରରେ ଏହି ପ୍ଲାଣ୍ଟ ସ୍ଥାପନର ଅର୍ଥ ପଶ୍ଚିମ ଓଡିଶାର ଲୋକଙ୍କ ଉପରେ ନଜର । ଏମିତିରେ ବି କିଛିଦିନ ତଳେ ଅମିତ ଶାହା ବଲାଙ୍ଗୀରରେ ନିର୍ବାଚନୀ ବିଗୁଲ ବଜାଇଥିଲେ । ପଶ୍ଚିମ ଓଡିଶାରେ ବିଜେପିର ସ୍ଥିତି ଅପେକ୍ଷାକୃତ ମଜଭୁତ ଅଛି । ତେଣୁ ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ ସ୍ଥାପନର ଭିତ୍ତିପ୍ରସ୍ତର ପକାଇ ଏହାକୁ ଏକ ନିର୍ବାଚନୀ ମୁଦ୍ଦା କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହୁଛି । ଏଲପିଜି ଭରିବା ହେଉ, ଯୋଗାଣ ହେଉ ଅବା ଉଜ୍ଜ୍ୱଳା ଯୋଜନା, ଏହା ବିଜେପିର ଏକ ଫ୍ଲାଗଶିପ କାର୍ଯ୍ୟକ୍ରମ ହୋଇଥିବାରୁ, ଏହାକୁ ମଧ୍ୟ ଆଖି ଆଗରେ ରଖି ଆଜିର ଗୋଟିଚାଳନା ହୋଇଥିବା କୁହାଯାଉଛି ।

ସେହିଭଳି ନବୀନ ସରକାରର ବିଜ୍ଞାପନ ମଧ୍ୟ ଆଜି ସାଧାରଣ ଲୋକଙ୍କ ବିଶ୍ୱାସ ଜିତିବାକୁ ଏକ ବଡ ପ୍ରୟାସ ବୋଲି କୁହାଯାଇ ପାରିବ । ପ୍ରତିଟି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବା ନବୀନ ସରକାର, ନିଆଯାଇଥିବା ପଦକ୍ଷେପ ବାବଦରେ ଲୋକଙ୍କୁ ଅବଗତ କରାଇଛନ୍ତି ।
– ୮ଟି ଯୋଜନା ଯାହା ଲୋକଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି, ତାର ବିଶଦ ତଥ୍ୟ ସ୍ଥାନ ପାଇଛି ଏହି ବିଜ୍ଞାପନରେ
– କୋରାପୁର, ବାରିପଦାରେ ନୂତନ ସରକାରୀ ମେଡିକାଲ କଲେଜ କାକ୍ଷ୍ୟକ୍ଷମ, ବାଲେଶ୍ୱର ବଲାଙ୍ଗୀର ନଳ୍ପଚ୍ଛନ ସରକାରୀ ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷରୁ ଶିକ୍ଷାଦାନ
– ୮୨୦ କୋଟି ବ୍ୟୟରେ ୭୦ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରାଯାଇଛି
– ସମ୍ପୂର୍ଣ୍ଣା, ନିରାମୟ, ଦମନ, ନିଦାନ, ସହାୟ, ସୁନେତ୍ର, ଖୁସି ଭଳି ଯୋଜନାର ତଥ୍ୟ ରଖାଯାଇଛି
– ଓଡିଶା କମ୍ପ୍ରିହେନସିଭ କ୍ୟାନସର କେୟାର ପ୍ରୋଗ୍ରାମ୍ ମଧ୍ୟ ସ୍ଥାନ ପାଇଛି ବିଜ୍ଞାପନରେ

ଚତୁର୍ଥ ପାଳିର ପଂଚମ ବର୍ଷର ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞାପନ ଅର୍ଥାତ୍, ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ହୋଇଥିବା ବ୍ୟାପକ ଉପଲବ୍ଧିକୁ ଲୋକଙ୍କ ସାମ୍ନାରେ ପହଂଚାଇବାର ଉଦ୍ୟମ । ୨୦୦୦ ମସିହାର ସ୍ଥିତି ଆଉ ୨୦୧୮ର ସ୍ଥିତିରେ ହୋଇଥିବା ତମାମ ପରିବର୍ତ୍ତନ ନିହାତି ଭାବେ ରାଜ୍ୟ ସରକାରଙ୍କ ଏକ ଭିନ୍ନ ଦିଗକୁ ସାମ୍ନାକୁ ଆଣୁଛି । ଗ୍ରାମାଂଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଂଚାଇବା, ଅପହଂଚ ଇଲାକାରେ ଲୋକଙ୍କ ପାଇଁ ଡାକ୍ତର ଯୋଗାଇବା ଏହା ଏକ ସରକାରର କର୍ତ୍ତବ୍ୟ, କିନ୍ତୁ ଏହାକୁ ବାସ୍ତବତାର ରୂପ ଦେଇଥିବା ନବୀନ ସରକାର ଏହାକୁ ନିର୍ବାଚନୀ ବର୍ଷର ପ୍ରଥମ ଦିନରେ ପ୍ରମୁଖ ମୁଦ୍ଦା କରିଛନ୍ତି ।
ଦୁଇଟି ବିଜ୍ଞାପନ, ଗୋଟିଏ ପଟେ ବିଜେପି ଅନ୍ୟପଟେ ବିଜେଡି, ଗୋଟିଏ ପାଶ୍ୱର୍ରେ ନବୀନ ଅନ୍ୟ ପାଶ୍ୱର୍ରେ ଧର୍ମେନ୍ଦ୍ର ଆଉ ଉଭୟ ବିଜ୍ଞାପନରେ ବିକାଶର କଥା । ଏହାରି ଭିତରେ ନିର୍ବାଚନୀ ବର୍ଷରେ ଜନତା କାହା ବିକାଶର କଥାରେ ମୋହର ମାରୁଛନ୍ତି, ତାଉପରେ ନଜର ।