କମିସନରେଟ ପୁଲିସକୁ ଖୁବ୍‌ ଶୀଘ୍ର ମିଳିବ ଇନଭେଷ୍ଟିଗେସନ୍‌ କିଟ୍‌ ! ତଦନ୍ତକୁ ଅଧିକ ମଜବୁତ ଓ ସଫଳ କରିବା ପାଇଁ ପ୍ରୟାସ

28

କନକ ବ୍ୟୁରୋ : ତଦନ୍ତକୁ ଅଧିକ ମଜବୁତ ଓ ସଫଳ କରିବା ପାଇବା ପାଇଁ କମିସନରେଟ ପୁଲିସକୁ ଖୁବ୍‌ ଶୀଘ୍ର ଇନଭେଷ୍ଟିଗେସନ୍‌ କିଟ୍‌ ଯୋଗାଇ ଦିଆଯିବ । ଏହି କିଟ୍‌ ମାଧ୍ୟମରେ ପୁଲିସ ଅଫିସରମାନେ ଅପରାଧ ସ୍ଥାନକୁ ଯାଇ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ସହିତ ଘଟଣାସ୍ଥଳରୁ ଅଭିଯୋଗକାରୀ, ପ୍ରତ୍ୟେକ୍ଷଦର୍ଶୀ ଓ ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ କରାଇବେ । କ୍ରାଇମ୍‌ବ୍ରାଞ୍ଚ ପରେ ପରେ କମିସନରେଟ୍‌ ପୁଲିସକୁ ଏହି କିଟ୍‌ ମିଳୁଛି । ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ମୁତାବକ, କମିସନରେଟ ପୁଲିସ ପକ୍ଷରୁ ୪୩ଟି କିଟ୍‌ ଭୁବନେଶ୍ୱର ଓ କଟକ ପୁଲିସକୁ ଯୋଗାଇ ଦିଆଯିବ ।

ଏବେ ଏହି କିଟ୍‌କୁ ପ୍ରଥମେ ଜୋନାଲ ଏସିପି, ସମସ୍ତ ଥାନା, କମିସନରେଟ୍‌ ପୁଲିସର ମାନବଚାଲାଣ ୟୁନିଟ ଓ ମହିଳା ଅପରାଧ ନିରୋଧୀ ସେଲ୍‌କୁ ଯୋଗାଇ ଦିଆଯିବ । ପରେ ପରେ ଏହି କିଟ୍‌କୁ ପ୍ରତ୍ୟେକ ଥାନାର ତଦନ୍ତକାରୀ ଅଫିସରମାନଙ୍କୁ ଦିଆଯିବ । ଏହି କିଟ୍‌ରେ ଲାପଟପ୍‌, କି-ବୋର୍ଡ, ହେଡ୍‌ଫୋନ୍‌, ଡଙ୍ଗଲ, ପେନ୍‌ ଡ୍ରାଇଭ, ନୋଟବୁକ୍‌, ଟର୍ଚ, କଇଁଚି, ଛୁରି, ସ୍ମାର୍ଟଫୋନ୍‌, ହାତୁଡି, ଲେନସ୍‌, ଟର୍ଚ, ଫିତା, ଗଜ କପଡ଼ା, କାଚ ବୋତଲ, ସେଲଟେପ୍‌, ମାର୍କର ପେନ୍‌, ବ୍ଲେଡ୍‌, ସୂତା, କାଲକୁଲେଟର, ଟ୍ୟାଗ୍‌ ଆଦି ରହିବ । ଏହି କିଟ୍‌ର ଦାମ୍‌ ୯୧ ହଜାର ଟଙ୍କା ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି ।