ବ୍ରାଣ୍ଡ ଅସଲି ହେଲେ ତେଲ ନକଲି ! ସିଲଭର ସିଟିରୁ ପୁଣି ନକଲି ତେଲ କାରଖାନା ଠାବ, ନାମୀଦାମୀ କମ୍ପାନୀର ତେଲର ହେଉଥିଲା ନକଲ

36

କନକ ବ୍ୟୁରୋ: ପୁଣି ନକଲି ତେଲ କାରଖାନା ଠାବ । କଟକ ଜଗତପୁର ଅଂଚଳରୁ ଏକ ନକଲି ତେଲ କାରଖାନା ଠାବ କରିଛି ପୋଲିସ । ଏଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ତେଲର ନକଲ କରାଯାଉଥିଲା ବୋଲି ଜଣାପଡିଛି । ଚଢାଉ ବେଳେ ଏହି କାରଖାନାରୁ ବିପୁଳ ପରିମାଣର ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ କରାଯାଇଛି । ଟ୍ରକ୍ ଟର୍ମିନାଲରେ ଦୀର୍ଘ ଦିନ ଧରି ଏହି ତେଲ ଅପମିଶ୍ରଣ କାରଖାନା ଚାଲିଥିଲା ବୋଲି ଜଣାପଡିଛି । ଏହି ନକଲି ତେଲ ତିଆରିରେ ସଂପୃକ୍ତ ଏକାଧିକ ବ୍ୟକ୍ତିଙ୍କୁ ଜଗତପୁର ଥାନାରେ ଅଟକ ରଖାଯାଇଛି ।

ସୂଚନା ମୁତାବକ, ପୁଲିସକୁ ଠୋସ୍ ସୂଚନା ମିଳିଥିଲା ଯେ ଜଗତପୁର ଗୋଳେଇ ଛକ ନିକଟରେ ଥିବା ଏକ ଗୋଦାମରେ କିଛି ଅପମିଶ୍ରଣ କାରବାର ଚାଲିଛି। ତେଣୁ ଆଜି ସକାଳୁ ପୁଲିସ ଏହି ଗୋଦାମ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରେ ବିଭିନ୍ନ ଦାମୀ ବ୍ରାଣ୍ଡର ଶୋରିଷ ତେଲ ଓ ରିଫାଇନ୍ ତେଲର ଲେବଲ ଜବତ କରାଯାଇଛି। କେବଳ ସେତିକି ନୁହେଁ, ୧୫ଶହ ଲିଟର ଅପମିଶ୍ରିତ ଶୋରିଷ ତେଲ ଓ ରିଫାଇନ୍ ତେଲ ୧୦୦ଟି ଟିଣରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ମଧ୍ୟ ଜବତ କରାଯାଇଛି। ଏହି ଘଟଣାର ପୁଲିସ କଟକ ସହର ମଙ୍ଗଳାବାଗ ଭଣ୍ଡାରିସାହିର ଅନାଦି ବେହେରାଙ୍କୁ ଗିରଫ କରିଛି।

ପୁଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ପ୍ରକାରର ତେଲ ଲିଟର ପିଛା ୧୨ରୁ ୧୫ ଟଙ୍କା ଦରରେ କିଣି ଏଠାରେ ଆଣି ଶୋରିଷ ତେଲ ଓ ରିଫାଇନ୍ ତେଲରେ ମିଶାଯାଇ ଲିଟର ପ୍ରତି ୮୦ ଟଙ୍କା ଦରରେ ବିକ୍ରି କରାଯାଉଥିଲା। ଘଟଣାର ତଦନ୍ତ ହେଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।