ଲୋକ ଗରିବ, ନେତା କୋଟପତି! ମିଜୋରାମର ୯୦ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି

138

ସଜ ସଜ ଏବେ ମିଜୋରାମରେ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଶାସକ କଂଗ୍ରେସକୁ ହଟାଇ ଏମଏନଏଫ ସରକାର ଗଢିବାକୁ ଯାଉଛି । ତେବେ ମିଜୋରାମ ବିଧାୟକଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଜୋରାମ ବିଧାନସଭା ପାଇଁ ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ନିର୍ବାଚିତ ହୋଇଥିବା ୪୦ ବିଧାୟକଙ୍କ ମଧ୍ୟରୁ ୩୬ ଜଣ କୋଟିପତି ବିଧାୟକ ଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)ର ଏକ ସର୍ଭେ ରିପୋର୍ଟରୁ ଜାଣିବା ପାଇଁ ମିଳିଛି।

ଗତ ୫ ବର୍ଷ ମଧ୍ୟରେ ମିଜୋରାମରେ କୋଟିପତି ବିଧାୟକଙ୍କ ସଂଖ୍ୟାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୩ରେ ମିଜୋରାମ ବିଧାନସଭାରେ ୪୦ ବିଧାୟକଙ୍କ ମଧ୍ୟରୁ ୩୦ ବିଧାୟକ କୋଟିପତି ଥିବାବେଳେ; ୨୦୧୮ରେ ୪୦ ବିଧାୟକଙ୍କ ମଧ୍ୟରୁ ୩୬ ବିଧାୟକ ହେଉଛନ୍ତି କୋଟିପତି ବିଧାୟକ। ନିର୍ବାଚନ କମିଶନଙ୍କ ନିକଟରେ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠକୁ ଅନୁଶୀଳନ କରି ଏଡିଆର୍ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ୨୦୧୩ରେ ବିଧାୟକମାନଙ୍କର ସମ୍ପତ୍ତିର ହାରାହାରି ପରିମାଣ ୩.୧୦ କୋଟି ଥିବା ବେଳେ ୨୦୧୮ରେ ତାହା ୪.୮୪ କୋଟିକୁ ବୃଦ୍ଧି ପାଇଛି। ୨୦୧୩ରେ ମିଜୋରାମ ବିଧାନସଭାରେ ଜଣେ ବି ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ ନଥିବା ବେଳେ ୨୦୧୮ରେ ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୨ ଜଣ  ବିଧାୟକଙ୍କର ଅପରାଧିକ ପୃଷ୍ଠଭୂମି ରହିଛି।

ମିଜୋରାମ ବିଧାନସଭାର ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୧୦ ଜଣ (୨୫ ପ୍ରତିଶତ) ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମଧ୍ୟରେ ଥିବାବେଳେ; ୨୯ ଜଣ (୭୩ ପ୍ରତିଶତ) ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦ୍ଦୁର୍ଦ୍ଧ ରହିଛି।