କ’ଣ ଭାବୁଛି ଓଡିଶା ! ଆସିଲା ଏଡିଆର ରିପୋର୍ଟ, ୭୫ ପ୍ରତିଶତ କହିଲେ ଦଳଠାରୁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ, ୧୫ ପ୍ରତିଶତ କହିଲେ କମ ପ୍ରଭାବିତ କରିବ ଟଙ୍କା, ମଦ ଓ ଉପହାର ।

379

କନକ ବ୍ୟୁରୋ : ନିର୍ବାଚନ ନେଇ କଣ ଭାବୁଛି ଓଡିଶା । କଣ ରହିଛି ମତାଦାତାଙ୍କ ଆଚରଣ ? ଏ ନେଇ ଏଡିଆର ପକ୍ଷରୁ ଆସିଛି ମତାଦାତାଙ୍କ ମୁଡ୍ ଅନୁଧ୍ୟାନ । ଆସନ୍ତୁ ଜାଣିବା କଣ କହୁଛି ରିପୋର୍ଟ । ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ ଅଫ ଇଲେକ୍ସନ ରିଫର୍ମସ, ଏଡିଆର ପକ୍ଷରୁ କରାଯାଇଛି ଭୋଟରଙ୍କ ମତଦାତାଙ୍କ ଆଚରଣ । ଏଡିଆର ସର୍ଭେର ପ୍ରଶ୍ନ ଥିଲା ପ୍ରାର୍ଥୀ ନା ଦଳ ଗୁରୁତ୍ୱପୂର୍ଣ୍ଣ । ଏମାନଙ୍କ ମଧ୍ୟରେ ୭୫ ଭାଗ ଭୋଟରଙ୍କ ମତ ଥିଲା ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ଓ ୧୮ ଭାଗଙ୍କ ମତ ହେଲା ପ୍ରାର୍ଥୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ସେହି ସର୍ଭେରେ ଆଉ ଏକ ତଥ୍ୟ ମଧ୍ୟ ଚର୍ଚ୍ଚାକୁ ଆସିଛି । ୫୬ ପ୍ରତିଶତ ବ୍ୟକ୍ତି ଦଳକୁ ଗୁରୁତ୍ୱ ଦେଇଛନ୍ତି । ଏଥି ସହ ସେମାନଙ୍କ ଭିତରୁ ୨୯ ପ୍ରତିଶତ ଭୋଟରଙ୍କ ମତ ଥିଲା ଦଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏଥିସହ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଏହି ସର୍ଭେରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ୫୩ ପ୍ରତିଶତ କହିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ଗୁରୁତ୍ୱପୂର୍ଣ୍ଣ । ସେଥିମଧ୍ୟରୁ ୨୬ ପ୍ରତିଶତ ଭୋଟରଙ୍କ ମତ ଥିଲା ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ଆଉ ଏକ ପ୍ରଶ୍ନ ଥିଲା ଟଙ୍କା ମଦ ଓ ଉପହାର ବିତରଣ କେତେ ଗୁରୁତ୍ୱ ରଖୁଛି । ୧୫ ପ୍ରତିଶତ ଭୋଟରଙ୍କ ପାଇଁ ଟଙ୍କା, ମଦ, ଉପହାର ବିତରଣ ବହୁତ କମ୍ ଅର୍ଥାତ ୧୦ ପ୍ରତିଶତ ଗୁରୁତ୍ୱ ରଖିଥାଏ । ଟଙ୍କା ଓ ଉପହାର ବିତରଣ ନେଇ ୮୫% ଓଡିଶା ମତଦାତା ମତ ରଖିଛନ୍ତି ଟଙ୍କା ଓ ଉପହାର ବିତରଣ ବେଆଇନ ବୋଲି ସେମାନେ ଜାଣିଛନ୍ତି ।

ତେବେ ଅପରାଧ ପୃଷ୍ଠ ଭୂମିଥିବା ପ୍ରାର୍ଥୀଙ୍କୁ ନେଇ ମତଦାତାଙ୍କ ଆଚରଣ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ୯୮ ପ୍ରତିଶତ ଭୋଟର ଅନୁଭବ କରିଛନ୍ତି ଏଭଳି ପ୍ରାର୍ଥୀ ସଂସଦ କିମ୍ବା ବିଧାନସଭାରେ ରହିବା ଅନୁଚିତ । ୩୭ ପ୍ରତିଶତ ଭୋଟର ଅନୁଭବ କରିଛନ୍ତି ପ୍ରାର୍ଥୀଙ୍କ ବିରୋଧରେ ଥିବା ମାମଲା ସେଭଳି ଗୁରୁତର ନୁହେଁ । ୩୬ ଭାଗ ଭୋଟର ଅନୁଭବ କରିଛନ୍ତି ଯେ, ଏଭଳି ପ୍ରାର୍ଥୀଙ୍କୁ ଲୋକେ ଭୋଟ ଦିଅନ୍ତି କାରଣ ପ୍ରାର୍ଥୀ ଭଲ କାମ କରନ୍ତି । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସମ୍ପର୍କରେ ବି ମତାମତ ନିଆଯାଇଥିଲା । ୩୬ ଭାଗ ଭୋଟରଙ୍କ ମତ ଥିଲା ପ୍ରାର୍ଥୀ ଶକ୍ତିଶାଳୀ ଓ ୩୪ ଭାଗ ଭୋଟରଙ୍କ ମତ ଥିଲା ସେମାନେ ଫୌଜଦାରୀ ରେକର୍ଡ ସଂକ୍ରାନ୍ତରେ ଜାଣନ୍ତି ନାହିଁ । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଭୋଟ ଦେବାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ୩୬ ଭାଗ ଭୋଟର ଭାବନ୍ତି ପ୍ରାର୍ଥୀ ଶକ୍ତିଶାଳୀ ଓ ୩୪ ଭାଗ ଭୋଟର ସେମାନଙ୍କ ଫୌଜଦାରୀ ରେକର୍ଡ ସଂକ୍ରାନ୍ତରେ ଜାଣନ୍ତି ନାହିଁ । ନିର୍ବାଚନରେ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବା । ଏ ବାବଦରେ ୮୬ ଭାଗ ଭୋଟରଙ୍କ ମତ ହେଲା ସେମାନଙ୍କ ନିଜସ୍ୱ ମତ ଗୁରୁତ୍ୱପୂର୍ଣ୍ଣ । ୬ ପ୍ରତିଶତ ପରିବାର ଓ ୫ ପ୍ରତିଶତ ପତ୍ନୀଙ୍କ ମତ ଉପରେ ନିଷ୍ପତି ନେଇଥାନ୍ତି ।