ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ : କାହାକୁ ମିଳିଲା କେଉଁ ଦାୟିତ୍ୱ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟ ପ୍ରଶାସନିକ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ଦୁଇ ବରିଷ୍ଠ ଆଇଏଏସଙ୍କ ବିଭାଗ ବଦଳିଥିବା ବେଳେ ଜିଲ୍ଲାପାଳଙ୍କ ସ୍ତରରେ ବି ହୋଇଛି ବ୍ୟାପକ ଅଦଳବଦଳ । ୧୯୮୮ ବ୍ୟାଚର ପ୍ରଦୀପ୍ତ ମହାପାତ୍ର ଖାଦ୍ୟ ଓ ଯୋଗଣ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡାମା ର ଏମଡି ଦାୟିତ୍ୱରେ ବି ରହିବେ । ସେହିପରି ୧୯୯୧ ବ୍ୟାଚ୍ ଆଇଏଏସ ମଧୁସୂଦନ ପାଢୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଏବଂ ଓମଫେଡର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମନ୍ତ୍ରୀଙ୍କ କଥା ନଶୁଣି ବିବାଦ ଭିତରକୁ ଆସିଥିବା ଧିରେନ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି କୃଷି ବିଭାଗର ଅତିରିକ୍ତ ସଚିବ ଭାବେ । କିଛି ଜିଲ୍ଲାପାଳଙ୍କୁ ମିଳିଛି ଭୁବନେଶ୍ୱରର ଟିକେଟ । ସମ୍ବଲପୁର ଜିଲ୍ଲାପାଳ ବଲବନ୍ତ ସିଂ ହୋଇଛନ୍ତି ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦେଶକ । ବଲାଙ୍ଗିର ଜିଲ୍ଲାପାଳ ଏମ୍.ମୁଥୁ କୁମାର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ, ମାଲକାନଗିରି ଜିଲ୍ଲାପାଳ ଡି ପ୍ରଶାନ୍ତ କୁମାର ରେଡି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଜଗତସିଂପୁର ଜିଲ୍ଲାପାଳ ବିଜୟ କେତନ ଉପାଧ୍ୟାୟ ହୋଇଛନ୍ତି ଫିସରୀ ବିଭାଗର ନିର୍ଦେଶକ ।ସେହିଭଳି ଜିଲ୍ଲାପାଳସ୍ତରରେ ହୋଇଛି ଅଦଳବଦଳ । ଦେଓଗଡ ଜିଲ୍ଲାପାଳ ଗୁହା ପୁନମ ତାପସକୁମାର ହୋଇଛି ରାୟଗଡା ଜିଲ୍ଲାପାଳ । ପୂର୍ଣଚନ୍ଦ୍ର ପାଠୀ ଦେଓଗଡର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ । କନ୍ଧମାଳ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ହୋଇଛନ୍ତି ଜଗତସିଂପୁରର ଜିଲ୍ଲାପାଳ । ସେହିପରି କନ୍ଧମାଳର ଦାୟିତ୍ୱ ପାଇଛନ୍ତି ୨୦୧୧ ବ୍ୟାଚର ରେଘୁ.ଜି । କେ. ସୁଦର୍ଶନ ଚକ୍ରବର୍ତୀ ମାଲାକନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ପାଇଥିବା ବେଳେ ସମ୍ବଲପୁର ଯାଇଛନ୍ତି ସମର୍ଥ ବର୍ମା, ନୟାଗଡ ଅରିନ୍ଦମ ଡାକୁଆ ଓ ବଲାଙ୍ଗିର ଜିଲ୍ଲାପାଳ ଭାବେ ଦାୟିତ୍ୱ ପାଇଛନ୍ତି ଆଶିଷ ଠାକରେ ।