ଆଦିବାସୀଙ୍କ ପଥରଗାଡି ଶାସନକୁ ଜିଲ୍ଲା ପ୍ରଶାସନର କାଉଂଟର ଆଟାକ୍ : ସୁନ୍ଦରଗଡରେ ଜିଲ୍ଲା ଓ ବ୍ଲକ ଅଫିସ ଛାଡି ପଂଚାୟତ ସ୍ତରରେ ପହଂଚିଲା ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର

91

କନକ ବ୍ୟୁରୋ : ଧିରେ ଧିରେ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଳରେ ସୁନ୍ଦରଗଡରେ ପଥରଗାଡି ଭଳି ଆନ୍ଦୋଳନ ପୁଲିସକୁ ଖୋଲା ଚ୍ୟାଲେଂଜ କରୁଛି । ଜିଲ୍ଲାର ନିରୀହ ଆଦିବାସୀଙ୍କୁ କିଛି ଲୋକ ଭ୍ରମିତ କରି ଏହି ଆନ୍ଦୋଳନକୁ ବ୍ୟାପକ କରୁଥିବା ବେଳେ ଏହାକୁ କାଉଂଟର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସବୁ ପଂଚାୟତକୁ ଯିବା କାମ ଆରମ୍ଭ କରିଛନ୍ତି ପ୍ରଶାସନିକ ବାବୁ ।

ଜିଲ୍ଲା ଓ ବ୍ଲକ ସ୍ତରରେ ହେଉଥିବା ଜିଲ୍ଲାପାଳ ଶୁଣାଣି ଶିବର ପଂଚାୟତ ସ୍ତରରେ ଚାଲିଛି । ଜିଲ୍ଲାର କୁତ୍ରା ବ୍ଲକର ଉପାନ୍ତ ଅଂଚଳ ଏବଂ ପଡୋଶୀ ରାଜ୍ୟ ଝାଡଖଣ୍ଡ ସୀମା ଆମଗୋଭା ପଂଚାୟତରେ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ପହଂଚିଛନ୍ତି । ଆଉ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବରରେ ନିଜର ସମସ୍ୟା ଓ ଅଭିଯୋଗ ସିଧା ସଳଖ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଜନତା ।

ଜିଲ୍ଲାରେ ପଥପଗାଡି ଆନ୍ଦୋଳନ ବ୍ୟାପକ ହେଉଥିବା ବେଳେ ଏହାକୁ କାଉଂଟର କରିବା ପାଇଁ ଏଭଳି ଜନ ଶୁଣାଣି ଶିିବିରରେ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଆଦିବାସୀଙ୍କ ପଥରଗାଡି ଆନ୍ଦୋଳନ ବ୍ୟାପକ ହେଉଥିବା ବେଳେ ପ୍ରଶାସନର ଏଭଳି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି । ପେସା ଗ୍ରାମସଭା ନାଁରେ ସମାନ୍ତରାଳ ଶାସନ ବ୍ୟବସ୍ଥା ଲାଗୁ କରିବାକୁ କିଛି ଆଦିବାସୀ ଚାହୁଁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ପଂଚାୟତ ସ୍ତରରୁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲା ପ୍ରଶାସନର ଏହି ପ୍ରୟାସ କେତେ ସଫଳ ହେଉଛି, ଆଉ ପଥରଗଡା ଶାସନକୁ କେତେ ମାତ୍ରାରେ କାଉଁଟର କରୁଛି ତାହା ଆଗାମୀ ଦିନ ହିଁ ସ୍ପଷ୍ଟ କରିବ ।