ପ୍ରଶାସନ ବନାମ ପ୍ରଜାକୋର୍ଟ ! ପଂଚାୟତ ଭୋଟକୁ ଭଣ୍ଡୁର କରିବାକୁ ମାଓବାଦୀଙ୍କ ଧମକ

26

କନକ ବ୍ୟୁରୋ:  ଯାହା କହିଲେ ତାହା କରିଦେଖାଇଲେ ମାଓବାଦୀ । ପ୍ରଥମେ ସୁଙ୍କି ଘାଟିରେ ନକ୍ସଲ କଲେ ନିରିହ ପୋଲିସ କର୍ମୀଙ୍କ ଶିକାର । ତାର ଦିନକ ପରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ବାରା ଗାଁର ଦାସରଥୀ ଦୁରୁଆଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ । ରାତି ଅଧରେ ଘରେ ପଶିଥିଲେ ଦରଭା ଡିଭିଜନାଲ୍ କମିଟିର ୨ ଜଣ ସଦସ୍ୟ । ଆଉ ପରିବାର ସଦସ୍ୟଙ୍କ ସାମ୍ନାରେ ଦାସରଥୀଙ୍କୁ ମାରିଥିଲେ ଗୁଳି । ଦାସରଥୀଙ୍କ ଦୋଷ ହେଲା ସ୍ତ୍ରୀଙ୍କୁ ୱାର୍ଡମେମ୍ବର ପ୍ରାର୍ଥୀ କରାଇଥିଲେ । ଆଉ ନିଜେ କରୁଥିଲେ ନିର୍ବାଚନୀ ପ୍ରଚାର । ଆଉ ଏହେଉଛି ମାଓବାଦୀଙ୍କ ଫତୁଆ ନମାନିବାର ପରିଣାମ ।

ସେପଟେ ରାୟଗଡା ଜିଲ୍ଲା ଶିକରପାଇ ଗାଁରେ ଲାଗିଛି ମାଓ ପୋଷ୍ଟର । ନିର୍ବାଚନ ବେଳେ ଭୋଟରଙ୍କୁ ମଦ ଓ ଟଙ୍କା ନ ବାଂଟିବାକୁ ନକ୍ସଲ କହିଛନ୍ତି । ଆଉ ନିର୍ଦ୍ଦେଶ ନମାନିଲେ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ଚେତାବନୀ ଦେଇଛନ୍ତି ମାଓବାଦୀ । ପ୍ରତି ଥର ନିର୍ବାଚନ ପୂର୍ବରୁ ମାଓବାଦୀ ଦିଅନ୍ତି ନିରୀହ ଆଦିବାସୀଙ୍କ ବଳି । ୨୦୦୯ ସାଧାରଣ ନିର୍ବାଚନ ବେଳେ ବିଧାୟକ ପ୍ରାର୍ଥୀ ସୋମନାଥ ମାଡକାମିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ନକ୍ସଲ ।

୨୦୦୮ ରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦ କାର୍ତାମୀ ହୋଇଥିଲେ ସେମାନଙ୍କ ଶୀକାର । ଏବେ ପୁଣି ଗଡିଛି ସ୍ଥାନୀୟ ଅଂଚଳର ଜଣେ ନେତାଙ୍କ ମୁଣ୍ଡ । ଯାହାକୁ ନେଇ ଲାଲଗଡରେ ଆତଙ୍କର ମାହୋଲ । ହେଲେ ପ୍ରାର୍ଥୀଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନିଆ ଯାଇଥିବା କହୁଛନ୍ତି ମାଲକାନଗିରି ଏସପି ।

ପଂଚାୟତ ନିର୍ବାଚନ ପୂର୍ବରୁ ଆଶାନ୍ତ ହୋଇ ପଡିଛି ସୀମାବର୍ତୀ ଅଂଚଳ । ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲା ବଡଶେଟ୍ଟି ଗାଁର ତାମୋ ମଁଡାବିଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ଏଭଳି ସ୍ଥିତିରେ ଲାଲଗଡରେ ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ଉପରେ ପ୍ରଶ୍ନ ଉଠିଛି ।