ରାଧା ପାଦ ସ୍ପର୍ଶ ଉପରେ ଲାଗିଲା କଟକଣା । କେବଳ ଦର୍ଶନ କରିବେ, ଛୁଇଁ ପାରିବେନି ଭକ୍ତ । ବିବାଦକୁ ଦୃଷ୍ଟିରେ ରଖି ଭିଆଇପି ବ୍ୟବସ୍ଥା ବି ବନ୍ଦ

ମନ୍ଦିର ପରିସରରୁ ଭୋଗ ଓ ଦୀପ ଦୋକାନ ହଟାଇବା ଲାଗି ନିଷ୍ପତ୍ତି

404

କନକ ବ୍ୟୁରୋ: ନଭେମ୍ବର ୧୭ରେ ପବିତ୍ର ଅଳାଁନବମୀ। ଏହି ଦିନ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ ନୀତି ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶଙ୍କା ଦୃଷ୍ଟିରୁ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ପ୍ରାକ୍ ସାଜସଜା ବି ଏକପ୍ରକାର ଆରମ୍ଭ ହୋଇଗଲାଣି। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ସମନ୍ବୟ ବୈଠକ ଦେବୋତ୍ତର କମିସନର ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଦର୍ଶନରେ ଶୃଙ୍ଖଳା ଆଣିବା ପାଇଁ ଚଳିତ ବର୍ଷ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ସ୍ପର୍ଶ ଉପରେ କଟକଣା ଲଗାଯାଇଛି।

ଏଥର ଭକ୍ତମାନେ କେବଳ ଦର୍ଶନର ସୁଯୋଗ ପାଇବେ। ପ୍ରତିବର୍ଷ ଭିଆଇପି ଦର୍ଶନକୁ ନେଇ ବିବାଦ ଉପୁଜୁଥିବା ଏବଂ ଏହାଦ୍ବାରା ସାଧାରଣ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେଉଥିବାରୁ ଚଳିତ ବର୍ଷ ଭିଆଇପି ପାସ୍ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ମନ୍ଦିର ପରିସରରୁ ଭୋଗ ଓ ଦୀପ ଦୋକାନ ହଟାଇବା ଲାଗି ନିଷ୍ପତ୍ତି ହୋଇଛି। ନଭେମ୍ବର ୧୩ରେ ପରବର୍ତୀ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ସମସ୍ତ ନିଷ୍ପତ୍ତି ଉପରେ ମୋହର ବାଜିବ ବୋଲି ଜଣାପଡ଼ିଛି।

ଗତକାଲିର ଏହି ବୈଠକରେ କେଦାର ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ସ୍ବାଇଁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ବାଇଁ, ତହସିଲଦାର କସ୍ତୁରୀ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରି, ସେବାୟତ ସଂଘ ସଭାପତି ଲିଙ୍ଗରାଜ ମହାପାତ୍ର, ସଂପାଦକ ଦିବାକର ମହାପାତ୍ର, ସେବାୟତ ବିଜୟ କୁମାର ମହାପାତ୍ର, ମନ୍ଦିର କାର‌୍ୟ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର, ସୁପରଭାଇଜର ବିଶ୍ବନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।