ସୁନ୍ଦରଗଡ଼ରେ ଆଦିବାସୀ ଆରମ୍ଭ କଲେ ପଥର ଗାଡ଼ ଶାସନ ! କବଜାକୁ ନେଲେ ଶାସନ ବ୍ୟବସ୍ଥା, ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶରେ ଲାଗିଲା କଟକଣା ।

57

କନକ ବ୍ୟୁରୋ : ଶାସନ-ପ୍ରଶାସନ ଏବଂ ଆଇନ-କାନୁନକୁ ବେଖାତିର କରି ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ଆରମ୍ଭ କରିଛନ୍ତି ପଥର ଗାଡ଼ ଶାସନ । ଅର୍ଥାତ୍ ପଥର ପୋତି, ନିଜ ଗାଁକୁ ନିଜେ ଶାସନ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଫଳରେ ଏହି ଆଦିବାସୀ ଗାଁ ଗୁଡ଼ିକୁ ପ୍ରଶାସନର କୌଣସି ଅଧିକାରୀଙ୍କୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯଦି କୌଣସି ଅଧିକାରୀ ଗାଁକୁ ଯିବାକୁ ଚାହିଁବେ ତେବେ ଗାଁ କମିଟିର ଅନୁମତି ନେବାକୁ ହେବ । ପେଶା ଆଇନର ଦ୍ୱାହି ଦେଇ ଶାସନ ବ୍ୟବସ୍ଥାକୁ ନିଜ କବଜାକୁ ନେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀମାନେ ।

ପଥର ଗାଡି ଶାସନ ପ୍ରକ୍ରିୟାକୁ ନିଜ କବଜାକୁ ନେବାକୁ ପ୍ରୟାସ କରିଛନ୍ତି ଆଦିବାସୀ । ନା ଏମାନେ କେନ୍ଦ୍ର ସରକାରଙ୍କ ନିୟମ ମାନିବାକୁ ରାଜି ଅଛନ୍ତି ନା’ ରାଜ୍ୟ ସରକାରଙ୍କ ନିୟମ । ସମସ୍ତଙ୍କ ପାଇଁ ଲାଗୁ ହୋଇଥିବା ନିୟମକୁ ଆଦିବାସୀ ଅଂଚଳରେ ଲାଗୁ ନକରିବା ପାଇଁ ସୁନ୍ଦରଗଡ଼ରେ ଚାଲିଛି ବଡଧରଣର ଆନ୍ଦୋଳନ । ସମ୍ବିଧାନର ଧାରା ୨୪୪ର ପଞ୍ଚମ ଅନୁଚ୍ଛେଦ ଅନୁସାରେ ଶାସନ ବ୍ୟବସ୍ଥା ଲାଗୁ କରିବାକୁ ଆଦିବାସୀମାନେ ଦାବି କରିଛନ୍ତି । ଆଦିବାସୀଙ୍କ ନିଷ୍ପତି ଖୋଦ୍ ଆଦିବାସୀ ନିଅନ୍ତୁ ବୋଲି ଦାବି କରିବା ସହ ପେଶା ଗ୍ରାମସଭା କମିଟି ଜରିଆରେ ସଂପୂର୍ଣ୍ଣ ଆଇନକାନୁନ୍ ବ୍ୟବସ୍ଥାକୁ ନିଜ କବଜାକୁ ନେବା ପାଇଁ ଅଡି ବସିଛନ୍ତି । ଯେଉଁଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁ ମୁଣ୍ଡରେ ବଡ ବଡ ପଥରରେ ପଥର ଗାଡ଼ି, ପଥରଗାଡ ଶାସନ ଆରମ୍ଭ କରିଛନ୍ତି ।

ବିନା ଅନୁମତିରେ ଆଦିବାସୀ ଅଂଚଳରେ ପ୍ରବେଶ କରିଥିବାରୁ ହାତୀବାରୀ ଥାନାର ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲା ଏହି ପେଶା ଗ୍ରାମସଭା କମିଟି । ବିଧାୟକ ଜର୍ଜ ତିକ୍ରୀଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଆନ୍ଦୋଳନରେ ବୀରମିତ୍ରପୁର ଏବଂ ବିଶ୍ରା ଅଞ୍ଚଳ ହଜାର ହଜାର ଆଦିବାସୀ ସାମିଲ ହୋଇଛନ୍ତି । ଏମିତିକି ବିଶ୍ରାଠାରୁ ହେମଗିରି ଯାଏଁ ନିଜ ଗାଁକୁ ନିଜ ଶାସନ ଚଳାଇବା ଆରମ୍ଭ କରିଛନ୍ତି । ବଡ କଥା ହେଉଛି, ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଲାର ଅନେକ ଉନ୍ନୟନ ମୂଳକ କାମ ପ୍ରଭାବିତ ହୋଇଛି । ଇସିଏଲ୍ କଂପାନୀକୁ ପାଣିବନ୍ଦ କରିବା ସହ ହେମଗିରି ଅଂଚଳରେ ବିଦ୍ୟୁତ ଟାୱାର କାମକୁ ବିରୋଧ କରିଛନ୍ତି । ଏମିତିକି କୁତ୍ରା ଅଂଚଳର ମଡେଲ ସ୍କୁଲକୁ ମଧ୍ୟ ବିରୋଧ କରୁଛନ୍ତି । ଆଦିବାସୀଙ୍କ ଏହି ଜିଦ୍ ସ୍ଥାନୀୟ ଅଂଚଳର ବିକାଶମୂଳକ ଯୋଜନା ଉପରେ ବଡ ଧରଣର ପ୍ରଭାବ ପକାଇଥିବା ବେଳେ ଏହାକୁ ପୁଣି ସ୍ୱାଭାବିକ୍ ସ୍ଥିତିକୁ ଆଣିବା ବର୍ତମାନ ପ୍ରଶାସନ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।