ଆଦିବାସୀ ଇଲାକାରୁ ଆସିଲା ଆମ୍ବ ସ୍ୱାବଲମ୍ବୀ କରିବାର କାହାଣୀ । ଶହଶହ ଚାଷୀଙ୍କୁ ଲାଭ ଦେଉଛି ଆମ୍ବ ଚାଷ, ଶୀତଳ ଭଣ୍ଡାର ଓ ଆମ୍ବ ମଣ୍ଡି ପାଇଁ ଉଠିଲା ଦାବି ।

222

କନକ ବ୍ୟୁରୋ : ଆଦିବାସୀ ଇଲାକାର ଲୋକଙ୍କୁ ସ୍ୱାବଲମ୍ବୀ କରିଛି ଆମ୍ବ । ରାୟଗଡା ଓ ମାଲକାନଗିରିର ଶହ ଶହ ଚାଷୀ ଉପକୃତ ହୋଇଛନ୍ତି । ଏଠାରେ ଅମଳ ହୋଇଥିବା ଉନ୍ନତମାନର ଆମ୍ବ ଦେଶର ବିଭିନ୍ନ ଅଂଚଳକୁ ପଠାଯାଉଛି । ଯେଉଁ ଢିପ ଜମି ପୂର୍ବରୁ ପଡିଆ ପଡୁଥିଲା, ଏଥିରେ ଏବେ ସୁଆଦିଆ ଆମ୍ବ ଫଳାଇବାରେ ସଫଳ ହେଉଛନ୍ତି ଚାଷୀ । ତେବେ ଶୀତଳ ଭଣ୍ଡାର ଅଭାବରୁ ଅନେକ ସ୍ଥାନରେ କମ ମୂଲ୍ୟରେ ଆମ୍ବ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ଆସୁଛି । ଯଦି ସରକାରୀ ପ୍ରୋତ୍ସାହନରେ ଶୀତଳ ଭଣ୍ଡାର ଓ ଆମ୍ବ ମଣ୍ଡି ହୋଇପାରନ୍ତା, ତେବେ ଆମ୍ବର ଉପଯୁକ୍ତ ମୁଲ୍ୟ ପାଇପାରନ୍ତେ ଚାଷୀ ।

ଏ ହେଉଛି ମାଲିକାନଗିରି ଜିଲ୍ଲା ସିଆଡିମାଳ ଗାଁଁର ବ୍ରଜେନ କିସ୍କୁଙ୍କ ଆମ୍ବ ବଗିଚା । ପବନରେ ଲହଡା ଭାଙ୍ଗୁଛି ସୁଆଦିଆ ପାଚିଲା ଆମ୍ବ । ପୂର୍ବରୁ ଏହି ଢ଼ିପ ଜମି ପଡ଼ିଆ ରହୁଥିବା ବେଳେ ୨୦୦୭ରେ ନାବାର୍ଡ ୱାଡି ପ୍ରକଳ୍ପ ଜରିଆରେ ୩ ଏକର ଜମିରେ ଆମ୍ବ ଓ କାଜୁ ରୋପଣ କରିଥିଲେ ବ୍ରଜେନ । ୨୦୧୪ରୁ ପ୍ରତି ବର୍ଷ ପ୍ରାୟ ୧୦୦ କ୍ୱିଂଟାଲ ଆମ୍ବ ଅମଳ କରନ୍ତି ବ୍ରଜେନ ଓ ତାଙ୍କ ପରିବାର । ଚଳିତ ବର୍ଷ ଅପେକ୍ଷାକୃତ କମ୍ ଅମଳ ହୋଇଥିଲେ ହେଁ ଆମ୍ରପଲି, ମଲିକା, ଆଖୁରସ, ଦଶେରା ଓ ବାଇଗଣପଲି କିସମର ଉନ୍ନତମାନର ଆମ୍ବକୁ ନିଜ ବାଡିରୁ ୨୦ରୁ ୩୦ ଟଙ୍କା କିଲୋ ପିଛା ବିକ୍ରି କରୁଛନ୍ତି ବ୍ରଜେନ । କେବଳ ବ୍ରଜେନ ନୁହଁ, ତାଙ୍କ ପରି ପ୍ରାୟ ହଜାରେରୁ ଉଦ୍ଧ୍ୱର୍ ଚାଷୀ ଏବେ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ।

ଗୁଜୁରାଟରେ ସଫଳ ହୋଇଥିବା ୱାଡି ପ୍ରକଳ୍ପକୁ ଅନୁସରଣ କରି ୨୦୦୭ରେ ନାବାର୍ଡ ଜରିଆରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ମାଲକାନଗିରି କୋରୁକୋଣ୍ଡା ବ୍ଲକର ୨ ପଂଚାୟତର ୧୫ଟି ଗାଁର ପ୍ରାୟ ଏକ ହଜାର ଚାଷୀଙ୍କୁ ନେଇ ପରୀକ୍ଷାମୂଳକ ଭାବେ ଏହି ପ୍ରକଳ୍ପ ଆରମ୍ଭ କରିଥିଲା ସ୍ୱେଚ୍ଛାସେବୀ ସଙ୍ଗଠନ ଏସ.ଏଲ.ଏନ.ଡି.ଏସ । ଏବେ ଏହି ପ୍ରକଳ୍ପ ସଫଳ ହୋଇଛି । ତେବେ ଆମ୍ବର ଉପଯୁକ୍ତ ବଜାର ପାଇଁ ନା’ ଅଛି ମଣ୍ଡି ବ୍ୟବସ୍ଥା, ନା’ ଅଛି ଶୀତଳ ଭଣ୍ଡାର । ଫଳରେ ସଠିକ୍ ମୂଲ୍ୟ ମିଳୁନଥିବା ଅଭିଯୋଗ କରୁଛନ୍ତି ଚାଷୀ ।

ସେପଟେ ରାୟଗଡ଼ାର କାଶୀପୁର, ବିଷମକଟକ, କଲ୍ୟାଣସିଂହପୁର ଓ ରାମନାଗୁଡ଼ା ବ୍ଳକରେ ୧୨ ହଜାର ହେକ୍ଟରରୁ ଅଧିକ ଜମିରୁ ଅମଳ ହେଉଛି ଭଳିକି ଭଳି ସୁସ୍ୱାଦୁ ଆମ୍ବ । ଏହି ଅଂଚଳରୁ ଅମଳ ହେଉଥିବା ଆମ୍ରପଲୀ, ଦଶେରା, ଆଖୁରସ, ଆଲଫାନ୍ସୋ, ସୁନ୍ଦରୀ ଓ ବାଇଗଣପଲୀର ଚାହିଦା ରହିଛି ସାରା ଦେଶରେ । ଏହି ବର୍ଷ ୬୧ ହଜାର ଟନରୁ ଅଧିକ ଆମ୍ବ ଅମଳ ହୋଇଥିବା ବେଳେ ଦିଲ୍ଲୀର ମଦର ଡାଏରୀକୁ ଆମ୍ବ ପଠାଯାଇଛି । ଚାଷୀଙ୍କ ଉପଯୁକ୍ତ ମୂଲ୍ୟ ଦେବା ପାଇଁ ପ୍ରଶାସନର ଉଦ୍ୟମରେ ଆମ୍ବ ବଜାରର ଆୟୋଜନ କରାଯାଇଛି । ଆଦିବାସୀ ଅଂଚଳର ଜୀବନକୁ ବଦଳାଉଛି ଆମ୍ବ । ଏହି ଚାଷକୁ ଆହୁରି ବ୍ୟାପକ କରିବା ସହ ଉପଯୁକ୍ତ ବଜାର ପାଇଁ ଦାବି ହେଉଛି ।