କନକ ବ୍ୟୁରୋ : ଆଦିବାସୀ ଦିବସରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନଜାତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ରାନ୍ତି ଦିବସରେ ସହିଦ ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗର୍ବିତ ବୋଲି ନବୀନ କହିଛନ୍ତି । ଭୋଟ ନୁହେଁ କାମରେ ବିଶ୍ୱାସ କରୁ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ନେତା, ଜନତା ଏବଂ ସାମାଜିକ କର୍ମୀ ଯୋଗ ଦେଇଛନ୍ତି । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଛି ।

ସେପଟେ ଏହାକୁ ସମାଲୋଚନା କରିଛି ବିଜେପି। ୧୮ ବର୍ଷର ଶାସନ ଭିତରେ ବିଜେଡି ଆଦିବାସୀଙ୍କର କୌଣସି ବିକାଶ କରି ନାହିଁ। ବରଂ ସବୁବେଳେ ଧୋକା ଦେଇ ଆସିଛି। ନଗଡ଼ାର ଚିତ୍ର, କଳିଙ୍ଗ ନଗର ଆଦିବାସୀଙ୍କୁ ଗୁଳି କରିବା, ମେଳଘରାରେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ମହିଳାଙ୍କୁ ଗୁଳି କରିବା, ଦାନ ମାଝୀ କାନ୍ଧରେ ଶବ ବୁହା ଆଦି ଘଟଣା ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତିକୁ ସ୍ପଷ୍ଟ ଦର୍ଶାଉଛି। ତେଣୁ ଆଦିବାସୀ ସମାବେଶ ନାଁରେ ବିଜେଡି ସେମାନଙ୍କୁ ଭୂଆଁ ବୁଲାଇବାକୁ ହୀନପ୍ରୟାସ କରୁଛି ବୋଲି ବିଜେପି ଆରୋପ ଲଗାଇଛି। ସମାବେଶ ପୂର୍ବରୁ ରାଜ୍ୟର ଆଦିବାସୀ ସମାଜରେ ଥିବା ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ ଓ ଜୀବନ ଜୀବିକା ସମ୍ପର୍କରେ କାହିଁକି ଆଖିଦୃଶିଆ ପ୍ରଗତି ହୋଇ ନାହିଁ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଦଳ ଆହ୍ଵାନ ଦେଇଛି।