ସରୋଜଙ୍କ ପାଇଁ ବଢ଼ିଲା ସଂକଟ! ପାଟଣାଗଡ ବିଧାୟକଙ୍କ ଗିରଫ ଦାବିରେ ମେଳି ବାନ୍ଧିଲେ ଆଦିବାସୀ ସଂଘ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

255

କନକ ବ୍ୟୁରୋ : ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଘଟଣାରେ ଜୋର ଧରିଲା ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବିଧାୟକଙ୍କ ଗିରଫ ଦାବି କରାଯାଇଛି । ଅନ୍ୟପଟେ ସମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଦୁଃଖ ପ୍ରକାଶ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର ।

ରାଜରାସ୍ତାରେ ସହକାରୀ ଯନ୍ତ୍ରୀଙ୍କୁ ଅପଦସ୍ତ କରିବା ବିରୋଧରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିବାଦ । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମୁହାଁ-ମୁହିଁ ହୋଇଛନ୍ତି ପୁଲିସ୍ ଏବଂ ଆନ୍ଦୋଳନକାରୀ । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଲାଗୁ କରି, ତୁରନ୍ତ ଗିରଫ କରିବାକୁ ଦାବି କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।

ବିଧାୟକ ସରୋଜ ମେହେରଙ୍କ ବିରୋଧରେ ମାମଲା ହେବାର ୮ ଦିନ ପରେ ବି କାହିଁକି ପୁଲିସ୍ ହାତବାନ୍ଧି ବସି ରହିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଜଣେ ଆଦିବାସୀ ସରକାରୀ କର୍ମଚାରୀଙ୍କୁ ରାସ୍ତା ମଝିରେ ଅମାନବୀୟ ଆଚରଣ କରିଥିବା ବିଧାୟକଙ୍କୁ କିଏ ଏବଂ କାହିଁକି ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ଆଦିବାସୀ ସଂଘ । ଅନ୍ୟପଟେ ଏହି ଘଟଣାରେ ସାମ୍ମାଦିକ ସମ୍ମିଳନୀ କରି ପୁଣି ଥରେ ଦୁଃଖ ପ୍ରକାଶ କରିଛନ୍ତି ପାଟଣାଗଡ଼ ବିଧାୟକ । ଏସସି ଏସଟିଙ୍କୁ ସେ ଯଥେଷ୍ଟ ସମ୍ମାନ ଦିଅନ୍ତି ବୋଲି ସଫେଇ ଦେଇଛନ୍ତି ସରୋଜ ମେହେର ।

ରାସ୍ତାକାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ମଝିରେ ଉଠବସ୍ କରିଥିଲେ ପାଟଣାଗଡ଼ ବିଧାୟକ । ଏମିତି କି ୫ ମିନିଟ୍ ଭିତରେ ଶହେ ଥର ଉଠବସ୍ ହେବାକୁ ଦାଗିଦ୍ କରିଥିଲେ । ଆଉ ଏହି ଘଟଣାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ହୋଇପଡିଥିଲେ ସରୋଜ ।