ନୂଆ ବର୍ଷ ପାଳନକୁ ବିରୋଧ କରିବ ଆଦିତ୍ୟବାହିନୀ । ବିଭିନ୍ନ ମଠ-ମନ୍ଦିର ଆଗରେ କରିବେ ବିକ୍ଷୋଭ ଓ ସଚେତନ ।

47

କନକ ବ୍ୟୁରୋ : ନୂଆ ବର୍ଷ ପାଳନକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଆଦିତ୍ୟବାହିନୀ ପକ୍ଷରୁ ଶ୍ରୀମନ୍ଦିର ସମେତ ଓଡିଶାର ସମସ୍ତ ମଠ ସମ୍ମୁଖରେ ଲୋକଙ୍କୁ ସଚେତନ କରାଯିବା ସହ ବିରୋଧ କରାଯିବ । ଏଭଳି ନିଷ୍ପତି ନେଇଛି ଆଦିତ୍ୟ ବାହିନୀ । ଏନେଇ ସୂଚନା ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ । ଗତକାଲି ନୂଆବର୍ଷ ପାଳନକୁ ନାପସନ୍ଦ କରିଥିଲେ । ସେ କହିଥିଲେ, ଜାନୁଆରୀ ୧ ତାରିଖରେ ନୂଆବର୍ଷ ପାଳିବା ଆମ ପରମ୍ପରାରେ ନାହିଁ । ଚୈତ୍ର ମାସ ଶୁକ୍ଲପକ୍ଷରେ ଆମ ନୂଆବର୍ଷ ହୁଏ । ଏହି ଦିନକୁ ଆମେ ନୂଆବର୍ଷ ଭାବେ ପାଳିବା କଥା । ମଠ, ମନ୍ଦିରରେ କିଭଳି ଏହି ଦିନକୁ ଧୁମଧାମରେ ପାଳନ କରାଯିବ, ସରକାର ଏନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଜିରୋ ନାଇଟ୍ ଓ ନୂଆବର୍ଷକୁ ନେଇ ଶ୍ରୀକ୍ଷେତ୍ରରେ ଏବେ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ । ତେଣୁ ଶ୍ରୀମନ୍ଦିରରେ ନୂଆବର୍ଷକୁ ନେଇ କରାଯାଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମଧ୍ୟ ରାତ୍ର ୧୨ଟା ପରେ ଶ୍ରୀମନ୍ଦିରରେ ବେଶ ଭିଡ ଜମିବା ଆରମ୍ଭ ହେବ । ସେଇଥିବା ଶ୍ରୀମନ୍ଦିରର ନୀତିକୁ ଶୃଙ୍ଖଳିତ କରିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସ୍ୱତନ୍ତ୍ର ବାରିକେଡ଼୍ ହୋଇଥିବା ବେଳେ ଶ୍ରୀମନ୍ଦିର ରାତି ଗୋଟାଏ ୨୫ ମିନିଟରେ ଖୋଲିବାକୁ ନୀତି ନିର୍ଘଣ୍ଟ ହୋଇଛି । ପୂର୍ବରୁ ପହିଲିଭୋଗ ନୀତି ପାଇଁ ରାତି ୨ଟାରେ ଦ୍ଵାର ଫିଟୁଥିବା ବେଳେ ଏହି ନୂଆବର୍ଷ ପାଇଁ ୩୫ମିନିଟ ପୂର୍ବରୁ ଦ୍ଵାର ଖୋଲିବାକୁ ଯାଉଛି।

ତେବେ ଏହି ଇଂରାଜୀ ନବବର୍ଷ ପାଳନକୁ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ଘୋର ବିରୋଧ କରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏହି ନୂଆବର୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି । ଏହି ପାଳନକୁ ଅନ୍ତତଃ ଶ୍ରୀମନ୍ଦିର ପ୍ରଶାସନ ସମର୍ଥନ ନ କରୁ ବୋଲି ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି। ସେ କହିଛନ୍ତି ରାତି ଅଧରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅଧିକାଂଶ ମଦ୍ୟପ ଥାଆନ୍ତି ।

ଏହା ପୂର୍ବରୁ ମଧ୍ୟ ପ୍ରମାଣିତ ହୋଇଛି। ଏଣୁ ଏହି ପାଳନକୁ ସମ୍ପୂର୍ଣ୍ଣ ବିରୋଧ ହେଉ। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ରୋତ୍ସାହିତ ନ କରୁ। ତାଙ୍କ ସହିତ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ମଧ୍ୟ ଶଙ୍କରାଚାର୍ୟ୍ୟଙ୍କ ଆହ୍ଵାନକୁ ସ୍ୱାଗତ କରିଛନ୍ତି। ଏହି ଆହ୍ଵାନ ଶ୍ରୀମନ୍ଦିରରୁ ଆରମ୍ଭ ହେଉ ବୋଲି ମଞ୍ଚ ଆବାହକ ଦେବାଶିଷ ଦାସ ମତବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ୭ ଲକ୍ଷ ଭକ୍ତଙ୍କ ସମାଗମ ଆଶା କରାଯାଉଥିବାରୁ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ବ୍ୟବସ୍ଥା ଥିବା ବେଳେ ସ୍ୱତନ୍ତ୍ର ଅଧିକାରୀ ମୁତୟନ ହେବାକୁ ଯାଉଛନ୍ତି। ଶ୍ରୀମନ୍ଦିର କାର୍ୟ୍ୟଳୟ ଠାରୁ ସ୍ୱତନ୍ତ୍ର ବାରିକେଡ଼ କରାଯାଇ କେବଳ ସିଂହଦ୍ଵାରରେ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଅନ୍ୟ ସମସ୍ତ ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

ସେପଟେ, ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ । ନୂଆ ବର୍ଷ ଜିରୋ ନାଇଟ୍ ପାଳନ ପୂର୍ବରୁ ରାଜ୍ୟର ବିଭିନ୍ନ ତାରକା ହୋଟେଲ ସମେତ , କ୍ଲବ ଉପରେ ଚଢା଼ଉ କରିଛି ଅଗ୍ନିଶମ ବିଭାଗ । ଭୁବନେଶ୍ୱରର ୬ଟି ତାରକା ହୋଟେଲରେ ରେଡ୍ କରାଯାଇଛି । କୌଣସି ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲେ ସେଥିରୁ ରକ୍ଷା ପାଇବା ପାଇଁ କଣ ବ୍ୟବସ୍ଥା ରହିଛି ତାର ଯାଂଚ କରୁଛନ୍ତି ଅଗ୍ନିଶମ ଟିମ୍ । ଅନ୍ୟ ସହରମାନଙ୍କରେ ମଧ୍ୟ ଯାଂଚ ଚାଲିଛି । ସେହିପରି କଟକର ମଧ୍ୟ ବିଭିନ୍ନ ହୋଟେଲ ଉପରେ ରେଡ ହୋଇଥିବା ସୂଚନା ମିଳିଛି । ଅଗ୍ନିନିରାପତା ନେଇ ତୃଟି ପରିଲଖିତ ହୋଇଥିବା ବିଭିନ୍ନ ହୋଟେଲମାନଙ୍କୁ ରିପୋର୍ଟ ଦେବାକୁ ଅଗ୍ନିଶମ ବିଭାଗ ନିର୍ଦ୍ଦେଶ ଦେଇଛି ।