ବନ୍ୟା ପ୍ରଭାବିତ ଅଂଚଳର ଉଦ୍ଧାର ଓ ରିଲିଫ କାମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା

69

କନକ ବ୍ୟୁରୋ : ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ତିତଲି ପ୍ରଭାବିତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଉଦ୍ଧାର ଓ ରିଲିଫ କାମ କେମିତି ଚାଲିଛି ସେନେଇ ସେ ବୁଝିଛନ୍ତି । ଦୁର୍ଗମ ଅଂଚଳକୁ ହେଲିକପ୍ଟର ଯୋଗେ ରିଲିଫ ପଠାଯାଉଛି ଏବଂ ଆସନ୍ତା ୭ ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ ସାତ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ ଏବଂ ପାଣି ସମସ୍ୟାର ତୁରନ୍ତ ଦୂର ହେବ ବୋଲି ସମୀକ୍ଷା ପରେ ଆଦିତ୍ୟ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆଜି ସଂଧ୍ୟା ସୁଦ୍ଧା ଆସ୍କା, ପୁରୁଷୋତ୍ତମପୁରକୁ ବିଦ୍ୟୁତ ସଂଯୋଗ ହେବ । ଅନ୍ୟପଟେ ଗଜପତି ପାହାଡ ଧସିବା ସ୍ଥଳକୁ ଉପଜିଲ୍ଲାପାଳ, ଏସପି ଓ ଡାକ୍ତରୀ ଦଶ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇ ରହିଥିବାରୁ ଘଟଣାସ୍ଥଳରେ ପହଂଚିବା ବିଳମ୍ଭ ହେଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେପଟେ ତିତଲି ପ୍ରଭାବିତ ଅଂଚଳର ଆକାଶ ମାର୍ଗରୁ ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିି ସେ ଆକାଶ ମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେହିପରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ କନ୍ଧମାଳ ଯାଇ ରିଲିଫ୍ ବଂଟନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୁôଜାରୀ ଓ ସୁଶାନ୍ତ ସିଂ ପ୍ରଭାବିତ ଜିଲ୍ଲାକୁ ଗସ୍ତ କରିବେ । ଗଂଜମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ୩ ମନ୍ତ୍ରୀ । ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରିବ ଏହି ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି । ଏନେଇ ତିନି ମନ୍ତ୍ରୀ ଦକ୍ଷିଣ ଓଡିଶା ଗସ୍ତ କରିଛନ୍ତି ।