ଡାକ୍ତର ହେବ ତ ଏମିତି ! ରୋଗୀଙ୍କ ପାଇଁ ଭଗବାନ ସାଜିଲେ ଆଦିତ୍ୟ, ୪ କିଲୋମିଟର ପାହାଡ ଚଢି ଆସନ୍ନ ପ୍ରସବାଙ୍କୁ ଷ୍ଟ୍ରେଚରରେ ବୋହି ନେଲେ ହସ୍ପିଟାଲ

135

କନକ ବ୍ୟୁରୋ : ଅନେକ ସମୟରେ ଡାକ୍ତର ଓ ରୋଗୀ ସେବାକୁ ନେଇ ବିବାଦ ଦେଖା ଦେଇଥାଏ । ହେଲେ ବିବାଦରୁ ଉର୍ଦ୍ଧରେ ରହି ପାହାଡ ଚଢି ରୋଗୀ ସେବା କରି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡାର ଡାକ୍ତର ଆଦିତ୍ୟ ନାରାୟଣ ଯୋଶୀ । ପାହାଡ ତଳେ ଆମ୍ବୁଲାନ୍ସ ଅଟକି ଯିବାରୁ ୪ କିଲୋମିଟର ପାହାଡ ଚଢି ଆସନ୍ନ ପ୍ରସବାଙ୍କୁ ଚିକିତ୍ସା କରିଥିଲେ ଡାକ୍ତର । ତାପରେ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଷ୍ଟ୍ରେଚରରେ ଭାର କରି ଆମ୍ବୁଲାନ୍ସ ନିକଟକୁ ସେ ନିଜେ ବୋହି ଆଣିଥିଲେ । ନାରାୟଣଙ୍କ ଏଭଳି ପ୍ରଶଂସନୀୟ କାଯ୍ୟପାଇଁ କୁହାଯାଉଛି ଡାକ୍ତର ହେବ ତ ଏମିତି ।

ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଷ୍ଟ୍ରେଚର୍ରେ ବୋହି ନିଆଯାଉଥିବା ଚିତ୍ର ହିଁ ବୟାନ୍ କରୁଛି ଉପାନ୍ତ ଇଲାକାରେ ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର । ପାହାଡ ଉପରକୁ ପହଂଚି ପାରିଲାନି ଆମ୍ବୁଲାନ୍ସ, ଆଉ କୌଣସି ଉପାୟ ନପାଇ ବାଧ୍ୟ ହୋଇ ୪ କିଲୋମିଟର୍ ଯାଏଁ ମହିଳାଙ୍କୁ ବୋହି ଆଣିଲେ ସଂପର୍କୀୟ । ଆଉ ଏହି ଘଟଣାରେ ନାୟକର ଭୂମିକା ନେଇଥିଲେ ଡାକ୍ତର ଆଦିତ୍ୟ ନାରାୟଣ ଯୋଶୀ ।

ଘଟଣାଟି ହେଉଛି ନୂଆପଡ଼ା ଜିଲ୍ଲାର ଅପନ୍ତରା ଇଲାକାରେ ଥିବା କାପୁରଗଡ଼ ଗାଁର । ଗାଁର ପୁଲିତା ମାଝୀ, ପ୍ରସବ ଯନ୍ତ୍ରଣା ବଢ଼ିବାରୁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ହେଲେ ପାହାଡ଼ ଉପରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନହେବାରୁ କିକିରିକିଟା ଗାଁ ନିକଟରେ ଅଟକି ରହିଲା । ଗୋଟିଏ ପଟେ ପ୍ରସୂତୀଙ୍କ ପ୍ରସବ ଯନ୍ତ୍ରଣା, ଆଉ ଗୋଟେ ପଟେ ଗାଁରେ ପହଂଚି ପାରୁନଥାଏ ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ଯାଏଁ ପ୍ରସୂତୀ ମହିଳାଙ୍କୁ ବୋହିକି ଆଣିବାକୁ ପଡ଼ିଲା ।ଆମ୍ବୁଲାନ୍ସ ଯୋଗେ ଶେଷରେ ଖଡ଼ିଆଳ ଡାକ୍ତରଖାନାରେ ପହଂଚିଥିଲେ ପୁଲିତା ମାଝୀ । ଆଉ ସେଠି ଅସ୍ତ୍ରୋପଚାର ପରେ ଏବେ ଦୁନିଆ ଦେଖିଛି କୁନି ଶିଶୁ ।

କିଛି ଦିନ ପୂର୍ବେ ମାଲକାନଗିରରେ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା , ସେହି ସମାନ ଚିତ୍ର ନୂଆପଡ଼ାର ଉପାନ୍ତ ଅଂଚଳରେ ଦେଖିବାକୁ ମିଳିଛି ।ଆଉ ଦୁଇଟି କାହାଣୀରେ ନାୟକ ହେଉଛି ଡାକ୍ତର । ପ୍ରଥମେ ଓମ୍କାର ହୋତା ଆଉ ଏବେ ଆଦିତ୍ୟ ଯୋଶୀ । ଉପାନ୍ତ ଇଲାକାରୁ ଆସୁଥିବା ଏହି ଚିତ୍ର ସବୁ ଦେଖିଲେ, ସରକାରଙ୍କ ଭୂମିକା ନେଇ ଗୋଟିଏ ଓଡ଼ିଆ ଢ଼ଗ ଆପଣ ଛାଏଁ ମନକୁ ଚାଲିଆସେ-ମତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ୍ ।