ରାଜଧାନୀରେ ଗ୍ରାମୀଣ ଜୀବନର ଝଲକ୍ ! ୧୫ ଦିନ ଧରି ଚାଲିବ ଆଦିବାସୀ ମେଳା

152

କନକ ବ୍ୟୁରୋ : ଆରମ୍ଭ ହେଲା ଆଦିବାସୀ ମେଳା । ରାଜଧାନୀରେ ଗ୍ରାମୀଣ ଜୀବନର ଝଲକ ଦେଖିବା ପାଇଁ ମିଳିବ । ୧୫ ଦିନ ଧରି ଏହି ମେଳା ଚାଲିବ । ମେଳାରେ ୧୮୦ଟି ଷ୍ଟଲରେ ଆଦିବାସୀ ଜୀବନ ଶୈଳୀ, ଚିତ୍ରକଳା ଓ ସ୍ଥାପତ୍ୟ ସହ ଜଙ୍ଗଲଜାତ ଦ୍ରବ୍ୟ, ସାମଗ୍ରୀ ଆଦି ସ୍ଥାନ ପାଇଛି । ପ୍ରଥମ ଦିନରେ ଦେଖିବାକୁ ମିଳିଲା ଲକ୍ଷାଧିକ ଲୋକଙ୍କ ଭିଡ ।

ଗୋଟିଏ ପଟେ ସହରର ଚାକଚକ୍ୟ ଏବଂ ଅନ୍ୟପଟେ ଆଦିବାସୀ ଅଂଚଳର ଦୃଶ୍ୟ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ସେମାନଙ୍କ ପାରମ୍ପରିକ ଗୃହ, ଜୀବନ ଶୈଳୀ, କଳା, ସଂସ୍କୃତିକୁ ଗୋଟିଏ ପରିବେଷ୍ଟନୀରେ ସଜାଯାଇଛି । ସହର ମଧ୍ୟରେ ଆଦିବାସୀ ଗାଁ ଭ୍ରମ ସୃଷ୍ଟି କରୁଛି ଆଦିବାସୀ ମେଳା । ଏହା ସହ ରହିଛି ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଷ୍ଟଲ । ଏହା ସାଙ୍ଗକୁ ରହିଛି ସ୍ୱତନ୍ତ୍ର ଖାଦ୍ୟର ପସରା ।

ଚଳିତ ବର୍ଷ ଆଦିବାସୀ ମେଳାରେ ରହିଛି ୧୮୦ଟି ଷ୍ଟଲ । ଏଥିରେ ଆଦିବାସୀ କଳା ସଂସ୍କୃତି ଓ ଜୀବନ ଶୈଳୀର ପ୍ରଦର୍ଶନ ପାଇଁ ରହିଛି ୨୪ଟି ପାରମ୍ପରିକ ଗୃହ । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ୩୪ଟି ପିଣ୍ଡି ରହିଛିି । ସେହିପରି ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ୨୮ଟି ଷ୍ଟଲ ଖୋଲିଛି ଏହି ମେଳାରେ । ସରକାରଙ୍କ ୩୬ଟି ଷ୍ଟଲ ରହିଥିବାବେଳେ ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ରହିଛି ୩୪ଟି ସ୍ୱତନ୍ତ୍ର ଷ୍ଟଲ । ପ୍ରଥମ ଦିନରେ ହଳଦୀ, ମାଣ୍ଡିଆ, ମୁଗ, ବିରି, ଝୁଣା, ଝାଡୁ, ପାଳୁଅ ଆଦି କିଣାକିଣି କରିବା ପାଇଁ ରାଜଧାନୀବାସୀଙ୍କ ଭିଡ ଦେଖିବାକୁ ମିଳିଛି । ସେହିଭଳି ଖାଦ୍ୟ ବଜାରରେ ମୁଢ଼ି ମାଂସ, କାଙ୍ଗୁ ଖିରି, ମାଣ୍ଡିଆ ଜାଉ, ପିଠା, ହର୍ବାଲ ଜୁସର ମଜା ନେଉଛନ୍ତି ଲୋକେ ।

ଶନିବାର ସଂଧ୍ୟାରେ ଆଦିବାସୀ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଭୁବନେଶ୍ୱର ୟୁନିଟ ୩ରେ ୫୦୦ ଶଯ୍ୟାବିଶିଷ୍ଟ ଏକ ଅନୁସୂଚିତ ଜାତି-ଜନଜାତି ହଷ୍ଟେଲକୁ ମଧ୍ୟ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆଦିବାସୀଙ୍କ ପାଇଁ ହେଉଥିବା କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ଲାଭ ଉଠାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ‘ଜୀବନ ସମ୍ପର୍କ ପ୍ରକଳ୍ପ’ର ଲୋକାର୍ପଣ କରିଥିଲେ ନବୀନ ।