ଆଜି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ଲାଗି ! ତିନି ବାଡରେ ଏଥିପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

31

କନକ ବ୍ୟୁରୋ : ଆଜି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ଲାଗି କରାଯିବ । ତିନି ବାଡରେ ଏହି ସ୍ୱତନ୍ତ୍ର ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସିଂହାସନରେ ବିରାଜମାନ ଶ୍ରୀବିଗ୍ରହମାନଙ୍କ ଉଚ୍ଚର ଅଧରହାଣ୍ଡି ପ୍ରସ୍ତୁତ ହୋଇ ରହିଛି । ଆଜି ରାତିରେ ତିନି ଠାକୁରଙ୍କୁ ଅଧରପଣା ଲାଗି କରାଯିବାର ସୂଚନା ମିଳିଛି ।
ଗତକାଲି ସୁନା ବେଶରେ ସଜାଇ ହୋଇ ଦର୍ଶନ ଦେଇଥିଲେ ଶ୍ରୀଜିଉ । ବଡ଼ଦାଣ୍ଡରେ ୫ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ସୁନାବେଶର ଦର୍ଶନ କରିଛନ୍ତି । ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଇଥିଲା ।

ବଡ ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ରୂପସମ୍ଭାର ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଫାଟି ପଡିଥିଲା ବଡ଼ଦାଣ୍ଡ । ମହଣ ମହଣ ସୁନାରେ ଶ୍ରୀଜିଉଙ୍କୁ ଆଭୁଷିତ କରାଯାଇଥିଲା ।

ସିଂହାରୀ, ପାଳିଆ, ଖୁଂଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନେ ପ୍ରଭୁଙ୍କୁ ସୁନାବେଶ କରାଇଥିଲେ । ମହାପ୍ରଭୁଙ୍କ ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଶ୍ରୀଜିଉଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଦାରୁ ବିଗ୍ରହଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ । ମହାପ୍ରଭୁଙ୍କ ଏହି ସୁନାବେଶକୁ ରାଜଧିରାଜ ବେଶ ବୋଲି ମଧ୍ୟ କୁହାଯାଏ ।